ଓଡ଼ିଶା-ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି ହେଲା ମିଳିତ ବିବୃତି: ଏକାଠି ମିଶି କାମ କରିବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଆନ୍ଧ୍ରପ୍ରଦେଶ ସମକକ୍ଷ ୱାଇ ଏସ୍‌ ଜଗନମୋହନ ରେଡ୍ଡିଙ୍କ ମଧ୍ୟରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ଗୁରୁତ୍ବପୂର୍ଣ୍ଣ ଅ‌ାଲୋଚନା ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ଓ ଜଗନ୍‌ମୋହନଙ୍କ ବୈଠକ ପରେ ଉଭୟ ରାଜ୍ୟ ପକ୍ଷରୁ ମିଳିତ ବିବୃତି ପ୍ରକାଶ ପାଇଛି। ଏହି ବୈଠକରେ ଓଡ଼ିଶାର କୋରାପୁଟ ଜିଲ୍ଲା କୋଟିଆ ପ୍ରସଙ୍ଗକୁ ସ୍ଥାନ ଦିଆଯାଇଥିଲା। କୋଟିଆ ବିବାଦର ସମାଧାନ ପାଇଁ ୨ ରାଜ୍ୟ କାମ କରିବାକୁ ସହମତି ଦେଇଥିଲେ। ମିଳିତ ଭାବେ ସମସ୍ୟାର ସମାଧାନ କରିବେ ବୋଲି ରାଜି ହୋଇଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସେହିପରି ପୋଲାଭରମ୍‌ ବିବାଦର ସମାଧାନ ନେଇ ଆଲୋଚନା ହୋଇଥିଲା। ଜଳ ବିବାଦ, ଶକ୍ତି ଓ ନକ୍ସଲ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨ ରାଜ୍ୟର ମୁଖ୍ୟ ସଚିବଙ୍କୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ୫ଟା ୫୦ରେ ଆରମ୍ଭ ହୋଇଥିଲା। ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ନବୀନ ଓ ଜଗନ୍‌ ଆଲୋଚନା କରିଥିଲେ।

ଏହି ବୈଠକରେ ଉଭୟ ରାଜ୍ୟ ଯେକୌଣସି ପ୍ରସଙ୍ଗରେ ପୂର୍ଣ୍ଣ ସହଯୋଗ କରିବାକୁ ସହମତ ହୋଇଥିଲେ। ଅତୀତରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ଉଭୟ ରାଜ୍ୟର ପ୍ରଶାସନ ସହଯୋଗର ହାତ ବଢ଼ାଇଛନ୍ତି। ୨ ରାଜ୍ୟ ମଧ୍ୟ ନକ୍ସଲ ଓ ଗଂଜେଇ ଚାଷ ସମସ୍ୟାର ସମାଧାନ କରିବେ।

ସେହିପରି ଉଭୟ ରାଜ୍ୟ ଓଡ଼ିଆ ଓ ତେଲୁଗୁ ଭାଷାରେ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଚେୟାର ବ୍ୟବସ୍ଥା କରିବେ। ଉଭୟ ରାଜ୍ୟର ସୀମାରେ ଥିବା ସ୍କୁଲ ଗୁଡ଼ିକରେ ଓଡ଼ିଆ ଓ ତେଲୁଗୁ ଶିକ୍ଷକଙ୍କ ନିଯୁକ୍ତି ହେବ। ସୀମାରେ ଥିବା ସ୍କୁଲ ଗୁଡ଼ିକୁ ଓଡ଼ିଆ ତେଲୁଗୁ ପୁସ୍ତକ ସରକାର ଯୋଗାଇବେ। ଲୋକଙ୍କର ସମସ୍ୟାକୁ ଦୂର କରାଯିବା ପାଇଁ ଉଭୟ ରାଜ୍ୟର ଅଧିକାରୀମାନେ ପଦକ୍ଷେପ ନେବେ।

ଏହି ବୈଠକରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ତାଙ୍କର ଆନ୍ଧ୍ରପ୍ରଦେଶର ସମକକ୍ଷ ଉପସ୍ଥିତ ଥିଲେ। ଏତଦ୍‌ ବ୍ୟତୀତ ରାଜ୍ୟ ସରକାରଙ୍କ ଜଳ ସଂପଦ ସଚିବ, ରାଜସ୍ବ ସଚିବ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ବୈଠକରେ ଅଂଶଗ୍ରହଣ କରିଥିଲେ। ସେହିପରି ଆନ୍ଧ୍ର ସରକାରଙ୍କର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଲା ପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଶ୍ରୀ ରେଡ୍ଡି ଅପରାହ୍ନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନ ଯାଇଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଇ ଲୋକସେବା ଭବନରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର