ମିଳିତ ଭାବେ ଯୋଗ ଦିବସ ପାଳନ କଲେ ବେଦାନ୍ତ-ଭକ୍ତି ବେଦାନ୍ତ-ଆମ୍ରି ହସ୍ପିଟାଲସ

ଭୁବନେଶ୍ବର: ଆନ୍ତର୍ଜାତୀୟ ଯୋଗଦିବସ ଅବସରରେ ଭୁବନେଶ୍ୱରସ୍ଥିତ ବେଦାନ୍ତ ଆଲୁମିନିୟମ, ଭକ୍ତି ବେଦାନ୍ତ ଇନଷ୍ଟିଟ୍ୟୁଟ ଓ ଆମ୍ରି ହସ୍ପିଟାଲସ ତରଫରୁ ଯୋଗଦିବସ ପାଳନ କରାଯାଇଛି। ସମ୍ପୃକ୍ତ ସଂସ୍ଥା ଗୁଡିକର ସଦସ୍ୟମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଯେ  ’ଯୋଗ’କୁ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇବାପାଇଁ ବେଦାନ୍ତ ପରି ଏକ ବୃହତ କର୍ପୋରେଟ ସଂସ୍ଥା ଭୁବନେଶ୍ୱରସ୍ଥିତ କର୍ପୋରେଟ ହସ୍ପିଟାଲ ଓ ବୈଦିକ ଗବେଷଣା ପ୍ରତିଷ୍ଠାନ ସହ ମିଳିତଭାବେ ଉଦ୍ୟମ କରିଛନ୍ତି।

ଅନୁଷ୍ଠିତ କାର୍ଯ୍ୟକ୍ରମର ସମ୍ପୂର୍ଣ ବିବରଣୀ ୟୁଟୁବ/ଟ୍ୱିଟର/ହ୍ଵାଟ୍ସଆପ/ଫେସବୁକ ଇତ୍ୟାଦି ସାମାଜିକ ଗଣମାଧ୍ୟମରେ ଅପଲୋଡ଼ କରିଦିଆଯିବ। ଯାହାଫଳରେ ‘ଯୋଗ’ର ଏକ ଦୃଢ ତଥା ବ୍ୟାପକ ସଚେତନତା ସୃଷ୍ଟି ହୋଇପାରିବ। ବେଦାନ୍ତ ମଧ୍ୟ ଏହାର ଓଡିଶାରେ ଥିବା ଝାରସୁଗୁଡା ଓ ଲାଞ୍ଜିଗଡ଼ସ୍ଥିତ ଉତ୍ପାଦନ କାରଖାନାଗୁଡିକରେ ସ୍ୱତନ୍ତ୍ରଭାବେ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରିଛି।

୨୦୧୫ ମସିହା ଠାରୁ, ପ୍ରତିବର୍ଷ ଜୁନ ୨୧ ତାରିଖରେ ‘ଅନ୍ତର୍ଜାତୀୟ ଯୋଗଦିବସ’ ରୂପେ ପାଳନ କରାଯାଇଆସୁଛି, ଯାହାକି ୨୦୧୪ ଜାତିସଂଘ ସାଧାରଣ ସଭାବେ ଅନୁମୋଦନ ଲାଭ କରିଥିଲା। ଯୋଗ ଏକ ଶାରୀରିକ, ମାନସିକ ତଥା ଆଧ୍ୟାତ୍ମିକ ଜୀବନଶୈଳୀ ଯାହାକି ମୂଳତଃ ଭାରତରୁ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୨୦୧୪ ମସିହା ଜାତିସଂଘ ଉଦ୍‌ବୋଧନ ଅବସରରେ ପରାମର୍ଶ ଦେଇଥିଲେ କି ଜୁନ ୨୧ ତାରିଖକୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରାଯାଉ। କାରଣ ଏହି ଦିନଟି ଉତ୍ତର ଗୋଲାର୍ଦ୍ଧରେ ବର୍ଷର ସବୁଠାରୁ ବଡ଼ଦିନ ଏବଂ ପୃଥିବୀର ବିଭିନ୍ନ ଭାଗରେ ଏହାର ସ୍ୱତନ୍ତ୍ର ପ୍ରଭାବ ରହିଛି।

ଭକ୍ତି ବେଦାନ୍ତ ମୁଖ୍ୟ ସ୍ୱାମୀ ଅଚ୍ୟୁତ କେଶବ ଦାସ ଯଥାର୍ଥରେ କହିଛନ୍ତି କି ଯୋଗ ହେଉଛି ସୁସ୍ଥତାର ପଥପ୍ରଦର୍ଶକ, ଯୋଗଶାସ୍ତ୍ର ବେଦର ଛ ଗୋଟି ଭାବ/ଶାଖା ମଧ୍ୟରେ ଅନ୍ୟତମ, ଯାହାକୁ ମଧ୍ୟ ବିଶ୍ୱର ପୁରାତନ ଧର୍ମଗ୍ରନ୍ଥ ରୂପେ ବିଚାର କରାଯାଇଥାଏ। ଭକ୍ତି ବେଦାନ୍ତ ପ୍ରତିଷ୍ଠାନ ମୁଖ୍ୟ ଏବଂ ଯୋଗଗୁରୁ ଶ୍ରୀ ଅଭିଷେକ, ଡ଼ଃ ତପନ କୁମାର ଚାନ୍ଦଙ୍କୁ ତାଙ୍କର ଜନହିତକର କାର୍ଯ୍ୟପାଇଁ ଭୁୟସୀ ପ୍ରଶଂସା କରିଥିଲେ।

ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲର ନିର୍ଦ୍ଦେଶିକା ସୁଶ୍ରୀ ନିରଞ୍ଜନୀ ଚକ୍ରବର୍ତ୍ତୀ, ବେଦାନ୍ତକୁ ପ୍ରଶଂସା କରିବା ଅବସରରେ କହିଥିଲେ କି ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କ୍ଷେତ୍ରରେ ଆମ୍ରି ହସ୍ପିଟାଲ ବେଦାନ୍ତ ସହିତ ମିଳିତ ଭାବରେ ଲୋକହିତକର କାର୍ଯ୍ୟକ୍ରମ କରିବାପାଇଁ ପଦକ୍ଷେପ ନେବ।

ବେଦାନ୍ତର ପ୍ରେସିଡେଣ୍ଟ ଡ଼ଃ ତପନ କୁମାର ଚାନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ କି ‘ଯୋଗ’ ଆମ ଭାରତୀୟ ସାଧୁସନ୍ଥମାନଙ୍କର ଜୀବନଶୈଳୀର ଏକ ପ୍ରମୁଖ ଅଂଶ। ଆମ୍ଭେମାନେ ସମସ୍ତେ ଏହାକୁ ଅଭ୍ୟାସ, ପ୍ରଚାର ଓ ପ୍ରସାର କରିବା ଆବଶ୍ୟକ। ଯୋଗ ସାଧାରଣ ଜନତାମାନଙ୍କର ସ୍ୱାସ୍ଥ୍ୟ ଓ ଜୀବନଶୈଳୀରେ ମାନ ବୃଦ୍ଧ କରିପାରିବ।

ବେଦାନ୍ତର ସେକ୍ଟର ସିଇଓ ରାହୁଲ ଶର୍ମା ବେଦାନ୍ତ କର୍ମଚାରୀମାନଙ୍କର ଶାରୀରିକ ଓ ମାନସିକ ଉନ୍ନତିପାଇଁ ଯୋଗକୁ ମାଧ୍ୟମ କରିବାପାଇଁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱର ବେଦାନ୍ତ ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଭବିଷ୍ୟତରେ ଏପ୍ରକାର ଅନେକ କାର୍ଯ୍ୟକ୍ରମ କରିବାପାଇଁ ଆଶାପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର