ଯୋଜନା ବୋର୍ଡର କାମ ନାହିଁ, ଖର୍ଚ୍ଚ ବଢ଼ୁଛି

ଭୁବନେଶ୍ବର : ରାଜ୍ୟ ଯୋଜନା ବୋର୍ଡ କିଛି କାମରେ ଲାଗୁନି। ବୈଠକ ବି ନିୟମିତ ବସୁନି। ୧୧ ବର୍ଷ ତଳେ ଶେଷ ବୈଠକ ବସିଥିଲା। କିନ୍ତୁ ନିୟମିତ ଭାବେ ଏଥିରେ ଉପାଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉଛି। ୨୦୦୭ ମସିହାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୪ ଉପାଧ୍ୟକ୍ଷ ଏବଂ ୨୬ ଜଣ ସଦସ୍ୟଙ୍କୁ ବିଭିନ୍ନ ସମୟରେ ନିଯୁକ୍ତି ଦିଆଯାଇଛି। ବୋର୍ଡ ଏକପ୍ରକାର ସାଇନ୍‌ବେ‌ାର୍ଡ ସଂସ୍ଥା ପାଲଟିଥିଲେ ବି ଏହାର ଉପାଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ରାଜକୋଷରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଛି। ପ୍ରତି ବର୍ଷ ଏହି ଖର୍ଚ୍ଚର ପରିମାଣ ବଢ଼ିଚାଲିଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି। ଆହୁରି ମଧ୍ୟ ଜଣାପଡ଼ିଛି, ୨୦୧୦ ଅକ୍ଟୋବର ୧୫ ତାରିଖରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୋର୍ଡର ଶେଷ ବୈଠକ ବସିଥିଲା। ସେ‌େତବେଳେ ବେଦ ପ୍ରକାଶ ଅଗ୍ରୱାଲ ଉପା‌ଧ୍ୟକ୍ଷ ଥିଲେ। ତାହା ପରେ ତିନି ତିନି ଜଣ ଉପାଧ୍ୟକ୍ଷ ନିଯୁକ୍ତି ପାଇଥିଲେ ବି ବୋର୍ଡର ବୈଠକ ଆଉ ବସି ନାହିଁ। ବୋର୍ଡର ବୈଠକ କେତେ ଅବଧି ମଧ୍ୟରେ ଅନୁଷ୍ଠିତ ହେବ, ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ନାହିଁ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

୨୦୧୦ ମସିହାରେ ଉପାଧ୍ୟକ୍ଷ ଓ ସଦସ୍ୟଙ୍କ ଭଡ଼ା, ଗସ୍ତଖର୍ଚ୍ଚ ଓ ବୋର୍ଡର ପ୍ରତିଷ୍ଠାନ ବ୍ୟୟ ବାବଦ‌େର ୭,୨୯,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୭ ବେଳକୁ ଏହା ବଢ଼ି ୧୪,୬୪,୦୦୦ ଟଙ୍କାରେ ପହଞ୍ଚିଲା। ୨୦୧୮ରେ ଏ ବାବଦକୁ ଖର୍ଚ୍ଚ ହେଲା ୨୧,୯୫,୬୮୭ ଟଙ୍କା।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି, ପୁଞ୍ଜି ଓ ମାନବ ସମ୍ବଳର ବିନିଯୋଗ, ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ମୂଲ୍ୟାୟନ, ବିଭିନ୍ନ ନୀତିଗତ ବିଷୟରେ ସୁପାରିସ୍ ପ୍ରଦାନ ଓ ସର୍ବାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଆଦି ବିଷୟରେ ଯୋଜନା ବୋର୍ଡ ପରାମର୍ଶ ଓ ପ୍ରସ୍ତାବ ଦେବା କଥା। ବୋର୍ଡର ସଦସ୍ୟମାନେ କେବେ ସରକାରଙ୍କୁ କି କି ପରାମର୍ଶ ଦେଇଛନ୍ତି ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ ବି ମନ୍ତ୍ରୀଙ୍କ ଉତ୍ତରରେ ସେ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ।

ସମ୍ବନ୍ଧିତ ଖବର