ଝରିଗାଁ (ରମେଶ ପଟ୍ଟନାୟକ): ଆମେ ବ୍ୟବହାର କରୁଥିବା ତୈଳ ମଧ୍ୟରୁ ଜଡ଼ାତେଲ ହେଉଛି ଅନ୍ୟତମ। ଏହି ତେଲକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିବା ପାଇଁ ବହୁ ପରିଶ୍ରମ କରିବାକୁ ହୋଇଥାଏ। ଏହି ତେଲ ଯଦିଓ ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଏ ନାହିଁ। ତଥାପି ଆଣ୍ଠୁଗଣ୍ଠି ବାତରୋଗକୁ ଖୁବ କମ୍ ଦିନରେ ଭଲ କରିବାରେ ସହାୟକ ହୋଇଥାଏ। ପାରଂପରିକ ପଦ୍ଧତିରେ ପ୍ରସ୍ତୁତ ଜଡ଼ାତେଲ ବାତରୋଗକୁ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ ଯେଉଁମାନେ ଏହାକୁ ପ୍ରସ୍ତୁତ କରନ୍ତି, ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି।
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ବସବାସ କରୁଥିବା ଆଦିବାସୀ ମହିଳା ଓ ପୁରୁଷମାନେ ପାରମ୍ପରିକ ପଦ୍ଧତିରେ ଜଡ଼ାତେଲ ପ୍ରସ୍ତୁତ କରିଥାନ୍ତି। ଜଡ଼ାତେଲ ପ୍ରସ୍ତୁତ କରିବା ଲାଗି କିଛି ଲୋକ ନିଜ ବାଡ଼ିରେ ଜଡ଼ା ଗଛ ଲଗାଇଥାନ୍ତି। ଯେଉଁମାନଙ୍କ ପାଖରେ ଜଡ଼ାଗଛ ଲଗାଇବା ପାଇଁ ସ୍ଥାନର ଅଭାବ ଥାଏ, ସେମାନେ ବଜାରରୁ କିଲୋ ପିଛା ୮୦ ଟଙ୍କାରେ ଜଡ଼ାମଞ୍ଜି କିଣିଥାନ୍ତି। ପରେ ଏହି ମଞ୍ଜିକୁ ଭଲଭାବରେ ଖରାରେ ଶୁଖାଇ ଦିଅନ୍ତି। ଜଡ଼ାମଞ୍ଜି ଶୁଖି ଯିବା ପରେ ପାରମ୍ପରିକ ପଦ୍ଧତିରେ ଏହାକୁ ଗୁଣ୍ଡ କରାଯାଏ। ପରେ ଏକ ହଣ୍ଡାରେ ପାଣି ଫୁଟାଇ ଦିଆଯାଏ। ଫୁଟିଲା ପାଣିରେ ଜଡ଼ାଗୁଣ୍ଡକୁ ମିଶାଇ ଦିଆଯାଇଥାଏ। କିଛି ଘଂଟା ପର୍ଯ୍ୟନ୍ତ ଏହା ଫୁଟିବା ପରେ ପାଣି ଏବଂ ତେଲକୁ ପୃଥକ କରାଯାଇଥାଏ। ଜଡ଼ାଗୁଣ୍ଡ ମିଶ୍ରିତ ପାଣି ଥଣ୍ଡା ହୋଇଯିବା ପରେ ହାତରେ ତେଲକୁ ପୃଥକୀକରଣ କରାଯାଏ। ପୁଣି ସେହି ତେଲରୁ ପାଣି ଅଂଶ ଶୁଖିବା ପାଇଁ ନିଆଁରେ ଫୁଟାଇ ଦିଆଯାଏ। ଏହିଭଳି ଭାବରେ ଜଡ଼ାତେଲ ପ୍ରସ୍ତୁତି ହୋଇଯାଏ। ଘରୋଇ ଉପାୟରେ ପସ୍ତୁତ ଜଡ଼ାତେଲକୁ ସେମାନେ ଖୁଚୁରା ଆକାରରେ ବିକ୍ରି କରିଥାନ୍ତି।
ଆଜିକାଲି ଅଧିକାଂଶ ଖାଦ୍ୟ ପଦାର୍ଥ ଓ ଅନ୍ୟ ସାମଗ୍ରୀ ଅପମିଶ୍ରିତ ହେଉଛି। ତେଲ ମଧ୍ୟ ବାଦ୍ ପଡୁନାହିଁ। ଦୋକାନରେ ମିଳୁଥିବା ଜଡ଼ାତେଲ ଓ ଘରେ ପ୍ରସ୍ତତ କରାଯାଉଥିବା ଜଡ଼ାତେଲ ମଧ୍ୟରେ ବହୁତ ପାର୍ଥକ୍ୟ ରହୁଛି। ଆୟୁର୍ବେଦିକ ଡାକ୍ତରମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡ଼ିତ ରୋଗୀଙ୍କୁ ଜଡ଼ାତେଲ ମାଲିସ କରିବାକୁ ପରାମର୍ଶ ଦେଇଥାନ୍ତି। ସେହିପରି ଏହି ତେଲ ମୁଣ୍ଡକୁ ଥଣ୍ଡା ରଖେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ଦୋକାନରେ ଜଡ଼ାତେଲ ଲିଟର ପିଛା ୧୫୦ ଟଙ୍କାରେ ମିଳୁଛ। କିନ୍ତୁ ଏହି ତେଲ ଖାଣ୍ଟି ନଥାଏ।
ତେବେ ଯେଉଁ ପରିବାର ଲୋକ ଜଡ଼ା ତେଲ ପାରମ୍ପରିକ ପଦ୍ଧତିରେ ତିଆରି କରୁଛନ୍ତି ସେମାନଙ୍କ ନିକଟରେ ସ୍ଥାନ ଓ ଅର୍ଥ ଅଭାବ ଯୋଗୁଁ ଜଡ଼ା ଗଛ ଲଗାଇ ନପାରି ବଜାରରୁ ଜଡ଼ା ମଞ୍ଜି କିଣି ନେଇ ତିଆରି କରୁଛନ୍ତି। ସେହିପରି ଜଡ଼ାତେଲ ବିକ୍ରି ପାଇଁ ବଜାର ସୁବିଧା ନଥିବା ଯୋଗୁଁ ଆଖପାଖ ଅଞ୍ଚଳରେ ତେଲ ଖୁଚୁରା ଭାବେ ବିକ୍ରି କରୁଛନ୍ତି। ବ୍ଳକରେ ଅଳ୍ପ କିଛି ପରିବାର ପାରମ୍ପରିକ ପଦ୍ଧତିରେ ଜଡ଼ା ତେଲ ବ୍ୟବସାୟ କରିଛନ୍ତି। ପ୍ରଶାସନ ପକ୍ଷରୁ ସୁବିଧା ସହଯୋଗ ମିଳିଲେ ଅଧିକ ଲାଭ ସହ ଅଧିକ ଲୋକ ଏହି ବ୍ୟବସାୟ କରିବେ ବୋଲି କହିଛନ୍ତି।
ପାରମ୍ପରିକ ପଦ୍ଧତିରେ ତିଆରି ଅସଲି ଜଡ଼ା ତେଲ ବିଭିନ୍ନ କାମରେ ଆସିଥାଏ। ଖରା ଦିନରେ ଜଡ଼ାତେଲ ମୁଣ୍ଡରେ ଲଗାଇଲେ ମୁଣ୍ଡ ଥଣ୍ଡା ରୁହେ। ସେହିପରି ଘରେ ଥିବା ଗାଈଗୋରୁଙ୍କ ଶିଙ୍ଘରେ ଜଡ଼ା ତେଲ ଲଗାଯାଏ। ଗାଈଗୋରୁ କୌଣସି କ୍ଷତ ହେଲେ ଜଡ଼ାତେଲ ଲଗାଯାଏ। ବିଭିନ୍ନ ପ୍ରକାର ଔଷଧ ତିଆରି କରିବା ପାଇଁ ଜଡ଼ାତେଲର ଆବଶ୍ୟକ ପଡ଼ିଥାଏ। ବିଶେଷ କରି ବାତ ରୋଗରେ ପୀଡ଼ିତଙ୍କୁ ଜଡ଼ାତେଲରେ ମାଲିସ କରାଯାଏ।