ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣା: ଡିସିପି ଅଫିସରେ ହାଜର ହେଲେ ସାମ୍ବାଦିକ ଅକ୍ଷୟ ନାୟକ

ଭୁବନେଶ୍ୱର/ ଗୋପ: ପୁରୀ ଜିଲ୍ଲା ଗୋପ ବ୍ଲକ୍ ୧୧ ନଂ ଜିଲ୍ଲା ପରିଷଦ ଜୋନ୍ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାରେ ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଛନ୍ତି ସାମ୍ବାଦିକ ଅକ୍ଷୟ ନାୟକ। ଭାଇରାଲ ଅଡିଓକୁ ନେଇ ଅକ୍ଷୟଙ୍କୁ ପୁଲିସ ପଚରାଉଚରା କରିଥିବା ଜଣାଯାଇଛି। ଏହାପରେ ଅକ୍ଷୟ ନାୟକ କହିଛନ୍ତି ଯେ  ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଆଗକୁ ବି ପୁଲିସକୁ ସହଯୋଗ କରିବେ ବୋଲି ସାମ୍ବାଦିକ ଅକ୍ଷୟ ନାୟକ କହିଛନ୍ତି।
ସୂଚନାଯୋଗ୍ୟ, ମୃତ ଧର୍ମେନ୍ଦ୍ର ଆତ୍ମହତ୍ୟା କରିବା ପୂର୍ବରୁ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ ଫୋନ କରି କହିଥିଲେ ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ତାହେଲେ ପାଞ୍ଚ ଜଣ ଦାୟୀ ରହିବେ। ଯେଉଁ ଅଡିଓରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶଙ୍କ ସମେତ ମୃତ ଧର୍ମେନ୍ଦ୍ର ପତ୍ନୀଙ୍କୁ ବି ଦାୟୀ କରିଥିଲେ। ବିଜେପି ସେହି ଅଡିଓ କ୍ଲିପକୁ ପ୍ରେସମିଟ୍ ଜରିଆରେ ଗଣମାଧ୍ୟମ ଆଗରେ ରଖିଥିଲା । କିନ୍ତୁ ଏଯାଏ ଉକ୍ତ ଅଡିଓ କ୍ଲିପର ଯାଞ୍ଚ କରାନଯିବା ନେଇ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
୧ ମିନିଟ ୨୭ ସେକେଣ୍ଡର ଏହି ଅଡିଓ କ୍ଲିପରେ ମୃତ ଧର୍ମେନ୍ଦ୍ର ଅକ୍ଷୟ ନାୟକ ନାମକ ଜଣେ ସାମ୍ବାଦିକଙ୍କ ସହିତ ଫୋନରେ କଥା ହେଉଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ ଭାବେ କହିଛନ୍ତି ତାଙ୍କ ମୃତ୍ୟୁ ପାଇଁ ୫ ଜଣ ଦାୟୀ। ସେମାନେ ହେଉଛନ୍ତି ତାଙ୍କ ପତ୍ନୀ, ସମୀର ଦାଶ, ରାଜୁ ନାୟକ ନାତୁଣୀ, ଟୁଲୁ ପାଣି ବୋହୂ, ଶ୍ବଶୁର ଦୁଃଶାସନ ସ୍ବାଇଁ ପ୍ରମୁଖ। ସାମ୍ବାଦିକଙ୍କ ସହିତ କଥାବାର୍ତା ବେଳେ ସେ କହିଛନ୍ତି, ମୁଁ ଆଜି ବଞ୍ଚି ଥାଏ କିମ୍ବା ନ ଥାଏ, ଏ କଥା ଜାଣିଥାଅ। ଧର୍ମେନ୍ଦ୍ର ଓ ସାମ୍ବାଦିକ ଅକ୍ଷୟଙ୍କ ମଧ୍ୟରେ ହୋଇଥିବା ଏହି ଅଡିଓ କ୍ଲିପକୁ ନେଇ ଗୋପ ବ୍ଲକ, ନିମାପଡ଼ା ଓ ଭୁବନେଶ୍ବରରେ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇ ଗଲାଣି।
ଏ ସମ୍ପର୍କରେ ସାମ୍ବାଦିକ ଅକ୍ଷୟ ନାୟକ କହିଥିଲେ, ଯେଉଁ ରାତିରେ ଧର୍ମେନ୍ଦ୍ର ଆତ୍ମହତ୍ୟା କଲେ ସେହି ରାତି ୧୧ଟାରୁ ୧୨ଟା ମଧ୍ୟରେ ତାଙ୍କୁ ଫୋନ୍ କରିଥିଲେ ଧର୍ମେନ୍ଦ୍ର। ତାଙ୍କୁ କହିଥିଲେ, ମୁଁ ମାନସିକ ଚାପରେ ଅଛି। ପରିବାରରେ ରାଜନୈତିକ ଝଡ଼ ଉଠିଛି। ତୁମ ଉପରେ ମୋର ଭରସା ଅଛି, ଆପଣ ଜଣେ ନିରପେକ୍ଷ ଓ ବିଶ୍ବାସଯୋଗ୍ୟ ସାମ୍ବାଦିକ। ତେଣୁ ମୁଁ ଯାହା କହୁଛି ତୁମେ ଶୁଣ, ତୁମେ କିଛି କୁହ ନାହିଁ, କେବଳ ରେକର୍ଡ଼ିଂ କର। ସାମ୍ବାଦିକ ଅକ୍ଷୟ ତାଙ୍କୁ ବାରମ୍ବାର ବୁଝାଇ ଫୋନ୍ କାଟି ଦେଇଥିଲେ ମଧ୍ୟ ଧର୍ମେନ୍ଦ୍ର ତାଙ୍କୁ ୩ ଥର ଫୋନ୍ କରିଥିଲେ ବୋଲି ସେ କହିଛନ୍ତି। ଅକ୍ଷୟ କହିଥିଲେ, ଧର୍ମେନ୍ଦ୍ର ୭ ଜଣଙ୍କୁ ଦାୟୀ କରିଛନ୍ତି। ପୁଲିସ ଯଦି ଚାହିଁବ ମୁଁ ପୁଲିସକୁ ଅଡିଓ କ୍ଲିପ୍ ଦେବା ସହିତ ସବୁ କଥା ମଧ୍ୟ ଜଣାଇ ପାରିବି। ଏହା ଦ୍ବାରା ଜଣେ ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ପାଇ ପାରିବ ବୋଲି ଅକ୍ଷୟ କହିଥିଲେ।

ସମ୍ବନ୍ଧିତ ଖବର