ହାତୀ ଉଦ୍ଧାର ବେଳେ ଅଘଟଣ: ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ : ମୁଣ୍ଡଳି ନିକଟରେ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଉଥିବା ଓଡ୍ରାଫ ଟିମର ବୋଟ ଓଲଟିବା ଘଟଣାରେ ଯୁବସାମ୍ବାଦିକ ଅରିନ୍ଦମ ଦାସଙ୍କର ଅକାଳ ବି‌ୟୋଗ ଘଟିଛି। ଏହି ଘଟଣା ରାଜ୍ୟର ଗଣମାଧ୍ୟମ ପରିସରରେ ଶୋକର ଛାୟା ଖେଳାଇ ଦେଇଛି।

ସୂଚନା ଅନୁସାରେ, ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟଟି ପାଣିର ପ୍ରଖର ସ୍ରୋତରେ ଖସିପଡ଼ିଥିଲା । ଫଳରେ ସେଥିରେ ଖବର ସଂଗ୍ରହ ଲାଗି ଯାଇଥିବା  ଓଟିଭିର ବରିଷ୍ଠ ପ୍ରତିନିଧି ଅରିନ୍ଦମ ଦାସ ଏବଂ  କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ପାଣିରେ ପଡ଼ିଯାଇଥିଲେ । ଏଥିସହ ଜଣେ ଓଡ୍ରାଫ୍ କର୍ମଚାରୀ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ସିହ୍ନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ସଙ୍ଗେସଙ୍ଗେ ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଅରିନ୍ଦମଙ୍କର ମୃତ୍ୟୁ ହୋଇଥିଲା। ପ୍ରଭାତ ସିହ୍ନାଙ୍କ ଅବସ୍ଥା ଗୁରୁତର ରହିଥବା ବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ସମ୍ପର୍କରେ କଟକ ବଡ଼ ମେଡିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ସ୍ପଷ୍ଟ କରିଛନ୍ତି। ଓଟିଭିରେ କାର୍ଯ୍ୟ କରିବା ପୂର୍ବରୁ ଅରିନ୍ଦମ ଦାସ ଦୈନିକ ଧରିତ୍ରୀର ଭୁବନେଶ୍ବରରେ କ୍ରାଇମ୍ ରିପୋର୍ଟର ଭାବେ କାର୍ଯ୍ୟ କରୁଥିଲେ।

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଶୋକ ପ୍ରକାଶ କରିଛନ୍ତି। ସେ ଜଣେ କର୍ମଠ ଓ ମେଳାପୀ ସ୍ୱଭାବର ବ୍ୟକ୍ତି ଥିଲେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାର ବର୍ଗଙ୍କୁ ଶକ୍ତି ଦେବାକୁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀଯୁକ୍ତ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର