ବାଲେଶ୍ୱର : ସାମ୍ବାଦିକ ବିସ୍ମୟ ମହାନ୍ତିଙ୍କ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା।
ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିବା ବେଳେ ସକାଳ ସାଢ଼େ ୯ଟା ବେଳେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
କିଛିଦିନ ହେବ ଶ୍ରୀ ମହାନ୍ତି ଅସୁସ୍ଥ ଥିଲେ। ତେବେ ସାମାନ୍ୟ ସୁସ୍ଥ ହେବା ପରେ ଗତ ଶନିବାର ଦିନ ପତ୍ନୀ ବିଜୟଲକ୍ଷ୍ମୀଙ୍କ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଇଥିଲେ। ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ ସାରି ସର୍କିଟ୍ ହାଉସ୍କୁ ଫେରିବା ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲ୍ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ପରେ ଜିଲ୍ଲା ତଥା ରାଜ୍ୟ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି।
ଆଜି ସନ୍ଧ୍ୟାରେ ତାଙ୍କ ଶବ ବାଲେଶ୍ୱର ଗୋପାଳଗାଁସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଶବାଧାରରେ ମାଲ୍ୟାର୍ପଣ କରିଥିଲେ। ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେ, ବିଧାୟକ ଜୀବନପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋପନାରାୟଣ ଦାସ, ବାଲେଶ୍ୱର ପୌରାଧ୍ୟକ୍ଷ ଆଲୋକ ସାହୁ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ ରାଉତ, ବାଲେଶ୍ୱର ବିଜେପି ସଭାପତି ମଦନମୋହନ ଦତ୍ତ, କଂଗ୍ରେସ ଯୁବନେତା ବିକ୍ରମ ପଣ୍ଡା, ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ଶବକୁ ଏକ ଶୋଭାଯାତ୍ରାରେ ଚାନ୍ଦିପୁର ବେଳାଭୂମିକୁ ନିଆଯାଇଥିଲା। ସେଠାରୁ ତାଙ୍କ ଜନ୍ମସ୍ଥାନ ଖଇରା ବ୍ଲକ ସାରଡାଙ୍ଗ ପଞ୍ଚାୟତ ମିର୍ଜାପୁର ଗାଁକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ; ୧୯୫୭ ମସିହାରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ସାରଡାଙ୍ଗ ଗାଁରେ ବିସ୍ମୟଙ୍କ ଜନ୍ମ। ବାପା ସ୍ୱର୍ଗତ ସଚ୍ଚୀନ୍ଦ୍ର ମହାନ୍ତି ଖଇରା ବ୍ଲକ୍ର ପୂର୍ବତନ ଉପାଧ୍ୟକ୍ଷ ଥିଲେ। ତାଙ୍କର ୪ ଭଉଣୀ, ଜଣେ ଭାଇ, ପୁଅ ନିର୍ମାଲ୍ୟ ଓ ଝିଅ ସୌଭାଗ୍ୟଲକ୍ଷ୍ମୀ ଅଛନ୍ତି। ବଡ଼ଭାଇ ବିପ୍ଳବ ମହାନ୍ତି ମଧ୍ୟ ଜଣେ ସାମ୍ବାଦିକ। ବାଲେଶ୍ୱରରୁ ପ୍ରକାଶ ପାଉଥିବା ଦୈନିକ ଓଡ଼ିଆ ଖବରକାଗଜ ‘ଆଜିକାଲି’ର ବିସ୍ମୟ ପ୍ରତିଷ୍ଠାତା ସଂପାଦକ ଥିଲେ। ଏଥିସହ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଆସୋସିଏସନ୍ର ସେ ସଭାପତି ଥିଲେ। ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆର ସଦସ୍ୟ ହେବା ସହ ଦକ୍ଷିଣ ପୂର୍ବ ରେଳବାଇର ୩ ଥର ସଦସ୍ୟ ଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଭାବେ କାର୍ଯ୍ୟ କରୁଥିଲେ।
ସେହିପରି ଛାତ୍ର ଜୀବନରୁ ବିସ୍ମୟ ରାଜନୀତିରେ ବେଶ୍ ନାଁ କମେଇଥିଲେ। ସୋର ୟୁଏନ୍ କଲେଜ ଛାତ୍ରସଂସଦର ଛାତ୍ରନେତା ଥିଲେ। ପରେ ଛାତ୍ର ଓ ଯୁବ କଂଗ୍ରେସର ଜିଲ୍ଲା ସଭାପତି ମଧ୍ୟ ହୋଇଥିଲେ। ତାଙ୍କର ସାମ୍ବାଦିକତା ଜୀବନ ଆରମ୍ଭ ହୋଇଥିଲା ‘ମାତୃଭୂମି’ ସମ୍ବାଦପତ୍ରର ସାମ୍ବାଦିକ ଭାବରେ। ପରେ ସେ ନିଜେ ଏକ ଖବରକାଗଜ ପ୍ରକାଶ କରିବା ପାଇଁ ମନସ୍ଥ କରି ୧୯୮୫ରେ ‘ଆଜିକାଲି’ ପ୍ରକାଶ କରିଥିଲେ। ୧୯୯୫ ମସିହାରେ ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ୩୨ ବର୍ଷ ଧରି ସେ ଗଣମାଧ୍ୟମ କ୍ଷେତ୍ର ସହ ଅନେକ ସାମାଜିକ ସଂଗଠନରେ ସାମିଲ ହୋଇଥିବା ବେଳେ ଚାନ୍ଦିପୁର ବେଳାଭୂମି ମହୋତ୍ସବ କମିଟିର ସାଧାରଣ ସଂପାଦକ ଏବଂ ବାଲେଶ୍ୱର ରାବଣପୋଡ଼ି ମହୋତ୍ସବ କମିଟିର ସଭାପତି ଭାବେ କାର୍ଯ୍ୟ କରୁଥିଲେ।