ସାମ୍ବାଦିକଙ୍କୁ ଥାନାରେ ମାଡ଼ ଅଭିଯୋଗରେ ଥାନା ଘେରାଉ, ଜିଲ୍ଲାପାଳଙ୍କୁ ଅଭିଯୋଗ

ବାଉଁଶୁଣି : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅଧିକାରୀ ସୁବାସ ଚନ୍ଦ୍ର ରାୟଗୁରୁ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଲାର ବିଭିନ୍ନ ୱେବ୍‌ ଚାନେଲର ସାମ୍ବାଦିକମାନେ ବାଉଁଶୁଣି ଥାନାକୁ ଘେରାଉ କରି ବାଉଁଶୁଣି ଗସ୍ତରେ ଆସିଥିବା ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ଏକ ୱେବ୍‌ ଚ୍ୟାନେଲର୍‌ କଣ୍ଟାମାଳ ପ୍ରତିନିଧି ରଞ୍ଜନ ମେହେର ଓ ତାଙ୍କ ସହିତ ଅନ୍ୟ ୭ଜଣ ୱେବ୍‌ ଚ୍ୟାନେଲର ପ୍ରତିନିଧି ଶନିବାର ଖବର ସଂଗ୍ରହ ପାଇଁ ବାଉଁଶୁଣି ଥାନାକୁ ଯାଇଥିଲେ। ରଞ୍ଜନ ଥାନା ପରିସରରେ ଜଣେ ନାବାଳିକାଙ୍କ ବାଇଟ୍‌ ନେଉଥିବା ବେଳେ ଥାନା ଅଧିକାରୀ ରଞ୍ଜନଙ୍କୁ ନିଜ ଚାମ୍ବରକୁ ଡାକି ମାଡ଼ ମାରିବା ସହ ବୁମ୍‌ ଛଡ଼ାଇ ନେଇଥିବାର ଅଭିଯୋଗ ହୋଇଛି। ଅନ୍ୟ ସାମ୍ବାଦିକଙ୍କୁ ମାଡ଼ ମାରିବା ପାଇଁ ଗୋଡ଼ାଇ ଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାର ପ୍ରତିବାଦରେ ସାମ୍ବାଦିକ ମାନେ ବାଉଁଶୁଣି ଥାନାକୁ ଘେରାଉ କରିଥିଲେ।

ଥାନା ଅଧିକାରୀ ଅନୁପସ୍ଥିତ ଥିବାରୁ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଉପଖଣ୍ଡ ପୁଲିସ ଅଧିକାରୀ ଥାନାକୁ ଆସି ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅଭିଯୋଗକାରୀ ସାମ୍ବାଦିକଙ୍କ ସହିତ ଆଲୋଚନା କରିଥିଲେ। ଜିଲ୍ଲାପାଳ ସେମାନଙ୍କ ସୁରକ୍ଷା ନେଇ ଆଶ୍ୱାସନା ଦେଇଛନ୍ତି। ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଜରିଆରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଏତଲା ପଠାଯାଇଛି। ଅଭିଯୋଗ ନେଇ ଥାନା ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ତେବେ ତାଙ୍କ ମୋବାଇଲ ସୁଇଚ୍‌ ଅଫ ଥିବାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର