କରୋନା ସଂକ୍ରମିତ ସାମ୍ବାଦିକଙ୍କ ମୃତ୍ୟୁ, ଗଞ୍ଜାମରେ ଗଲାଣି ୪ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର : କରୋନା ସଂକ୍ରମିତ ହୋଇ ଭୁବନେଶ୍ୱରର କିମ୍ସ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲାର ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ସେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବାସିନ୍ଦା ଏବଂ ଏକ ପ୍ରତିଷ୍ଠିତ ଦୈନିକ ଓଡ଼ିଆ ଖବରକାଗଜରେ କାମ କରୁଥିଲେ । ତେବେ ଏ ସଂପର୍କରେ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ ।  ଗତକିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି ।
ଗଞ୍ଜାମରେ ସଂକ୍ରମିତ ହେଲେଣି ୫୮୨ କୋଭିଡ଼୍ ଯୋଦ୍ଧା ,ଗଲାଣି ୪ ଯୋଦ୍ଧାଙ୍କ ଜୀବନ
ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ଓ ସଂକ୍ରମଣ ଶିଖର ଛୁଇଁଛି । କରୋନା ମୁକାବିଲାରେ ନିୟୋଜିତ କୋଭିଡ଼୍ ଯୋଦ୍ଧା ମାନେ ବି ବାଦ ପଡ଼ିନାହାନ୍ତି । ଜିଲ୍ଲାରେ ଇତିମଧ୍ୟରେ ୪ଜଣ କୋଭିଡ଼୍ ଯୋଦ୍ଧା(୨ ଜଣ ଶିକ୍ଷକ, ଜଣେ ଅଙ୍ଗନୱାଡ଼ି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ)ଙ୍କ ମୃତ୍ୟୁ ଘଟିଲାଣି । ୫୮୨ଜଣ କୋଭିଡ଼୍ ଯୋଦ୍ଧା ସଂକ୍ରମିତ ହେଲେଣି । ସେଥିମଧ୍ୟରୁ ୨୮୬ଜଣ ସୁସ୍ଥ ହୋଇଥିବା ବେଳେ ୨୯୬ଜଣ ଚିକିତ୍ସିତ ହେଉଛନ୍ତି । ଏହି କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ଶିକ୍ଷକଶିକ୍ଷୟିତ୍ରୀ, ସାମ୍ବାଦିକ ସରପଂଚ ଓ ଅନ୍ୟାନ ସରକାରୀ କର୍ମଚାରୀ ରହିଛନ୍ତି ।
ସମ୍ବନ୍ଧିତ ଖବର