ସମ୍ବଲପୁର : ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ନୂତନ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଲୋକାର୍ପଣ କରିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଭୁବନେଶ୍ୱର ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ସମ୍ବଲପୁର ପକ୍ଷରୁ ଏହାର ସିଧାପ୍ରସାରଣ ଦେଖିବା ବ୍ୟବସ୍ଥା କରାଯାଇଥିଲା। ଲୋକାର୍ପଣ କାର୍ଯ୍ୟକ୍ରମର ୟୁଟ୍ୟୁବ ପ୍ରସାରଣ ଦେଖିବା ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।
ସୂଚନା ଅନୁଯାୟୀ, କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୪ ଲକ୍ଷ, ସମ୍ପୂର୍ଣ ଅକ୍ଷମ ହେଲେ ୨ ଲକ୍ଷ ଏବଂ ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପାଇଁ ୨ ଲକ୍ଷ ଟଙ୍କା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଛି। ଗୋପବନ୍ଧୁ କର୍ମଜୀବୀ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ପାଇଁ ଶୁକ୍ରବାର ଠାରୁ ପଞ୍ଜୀକରଣ ପ୍ରକିୟା ଆରମ୍ଭ ହୋଇଛି। ସାମ୍ବାଦିକମାନେ http://owjws.odisha.gov.in ରେ ନିଜ ନାମକୁ ପଞ୍ଜୀକରଣ କରିବା ସହ ଅନଲାଇନ୍ରେ ସ୍ୱାସ୍ଥ୍ୟବୀମା ନିମନ୍ତେ ଆବେଦନ ପତ୍ରକୁ ଦାଖଲ କରିପାରିବେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁଙ୍କ ସମେତ ଜିଲ୍ଲାର ସାମ୍ବାଦିକମାନେ ଉପସ୍ଥିତ ଥିଲେ।