ରଥଯାତ୍ରାକୁ ଅଘଟଣ ପିଛା ଛାଡ଼ୁନି। ଚଳିତ ବର୍ଷ ସବୁଠାରୁ ଅଧିକ ବିଶୃଙ୍ଖଳା ଦେଖାଦେଇଛି। ରାଜ୍ୟ ସରକାର ସ୍ୱୀକୃତିପ୍ରାପ୍ତ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ରଥଯାତ୍ରା ଖବର ସଂଗ୍ରହ ପାଇଁ ଡାକି ନେଇଥିବା ବେଳେ ପୁରୀରେ ପୁଲିସ ତାଙ୍କୁ ଆକ୍ରମଣ କରିଛି। ଆକ୍ରମଣରେ ୭ରୁ ଉର୍ଦ୍ଧ୍ବ ସାମ୍ବାଦିକ ଗୁରୁତର ଆହତ ହୋଇଛନ୍ତି। ଜଣେ ମହିଳା ସାମ୍ବାଦିକ ହାତ ଫାଟିଯିବାରୁ ୨୦ ଷ୍ଟିଚ୍‌ ପଡ଼ିଛି। ଏଭଳି ଘଟଣା ପ୍ରଥମ ଥର ଘଟିଛି। ଏହାକୁ ବିରୋଧୀ ତୀବ୍ର ନିନ୍ଦା କରିଛନ୍ତି। 

Advertisment

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ସାମ୍ବାଦିକମାନଙ୍କ ପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା ଦେଖିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥିଲା। ସେମାନଙ୍କ ପାଇଁ କର୍ଡନ ପାସ୍‌ ବ୍ୟବସ୍ଥା କରାଯାଇଥିଲା। ସକାଳ ୮ଟାରୁ ଭୁବନେଶ୍ବର ଜୟଦେବ ଭବନ ନିକଟରୁ ଓଟିଡ଼ିସି ବସ୍‌ରେ ୫୨ ଜଣ ସାମ୍ବାଦିକ ପୁରୀ ଆସି ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ। ସେମାନେ ମୋଚି ସାହି ଦେଇ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। କର୍ଡନ୍‌ ପାସ୍‌ ସହ ନିଜର ପରିଚୟପତ୍ର ଦେଖାଇଥିଲେ ମଧ୍ୟ ସେମାନଙ୍କୁ ପୁଲିସ ବ୍ୟାରିକେଡ୍‌ରେ ଛାଡ଼ି ନଥିଲା। ବରଂ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲା। ପୁଲିସ କର୍ମଚାରୀମାନେ ସାମ୍ବାଦିକଙ୍କୁ ଠେଲି ଦେବାରୁ ୭ ଜଣ ଆହତ ହୋଇଥିଲେ। ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ତଳେ ପଡିଯିବାରୁ ଲୋକମାନେ ତାଙ୍କ ଉପରେ ଚଢ଼ି ଯାଇଥିଲେ। ସେଠାରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ପ୍ରଭୁ କଲ୍ୟାଣ ମହାପାତ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସନତ ମିଶ୍ର ଓ ହର ପ୍ରସାଦ ଦାସଙ୍କ ଛାତିରେ ଆଘାତ ଲାଗିଥିଲା। ମହିଳା ସାମ୍ବାଦିକା ବିଜୟିତା ତ୍ରିପାଠୀଙ୍କୁ ପୁଲିସ ଠେଲି ଦେବାରୁ ତାଙ୍କ ହାତରେ ବଡ଼ କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗିରିଧାରୀ ଲାଲ ଷଡଙ୍ଗୀଙ୍କ ଗୋଡ଼ରେ ଆଘାତ ଲାଗିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ତକ୍ଷେପ କରିବା ସହ ସିସିଟିଭି କ୍ୟାମେରା ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି।