ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦଫାସ ହୋଇଛି। ସଂପର୍କୀୟ ଭାଇ ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି। ଅନ୍ୟପଟେ ହତ୍ୟା ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସ୍ଥାନୀୟ ସମ୍ବାଦିକ। ରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ବିଜାପୁର ଏସ୍‌ପିଙ୍କୁ ନିଲମ୍ବନ ପାଇଁ ଦାବି କରିଛନ୍ତି। 

Advertisment

ମୁକେଶଙ୍କ ସଂପର୍କୀୟ ଭାଇ ସୁରେଶ ଚନ୍ଦ୍ରକାର ଏବଂ ରିତେଶ ଚନ୍ଦ୍ରକାର ଠିକାଦାର। ଗାଙ୍ଗଲୁର ଅଞ୍ଚଳରେ ପୂର୍ତ୍ତ ବିଭାଗର ୧୨୦ କୋଟି ଟଙ୍କାର ରାସ୍ତା ନିର୍ମାଣ କରୁଥିଲେ। ତେବେ ଏହି ରାସ୍ତା ନିମ୍ନମାନର ବୋଲି ଦର୍ଶାଇ ଡିସେମ୍ବର ୩୦ରେ ମୁକେଶ ନିଜ ଚ୍ୟାନେଲ୍‌ରେ ଖବର ପ୍ରକାଶ କରିଥିଲେ। ଏହାପରେ ଆଲୋଚନା ପାଇଁ ୧ତାରିଖ ସଂଧ୍ୟାରେ ମୁକେଶଙ୍କୁ ଡକାଇଥିଲେ ରିତେଶ। ରାତ୍ରି ଭୋଜନ ପରେ ପ୍ରସାରିତ ଖବରକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ରିତେଶ ଏବଂ ଅନ୍ୟ ଦୁଇଜଣ ମିଳିତ ଭାବେ ଶାବଳ ଏବଂ କୋଦାଳରେ ମୁକେଶଙ୍କୁ ଆକ୍ରମଣ କରିଥିଲେ। ଶବକୁ ପାଖ ପାଇଖାନାରେ ପୋତି ସିମେଣ୍ଟ ପ୍ଲାଷ୍ଟର କରିଦେଇଥିଲେ। ହତ୍ୟାକାଣ୍ଡ ପରେ ରିତେଶ ପୂରା ଘଟଣା ବିଷୟରେ ସୁରେଶଙ୍କୁ ସୂଚନା ଦେଇଥିଲେ।

ମୁକେଶ ଘରକୁ ନ ଫେରିବାରୁ ବିଜାପୁର ଥାନାରେ ତାଙ୍କ ନିଜ ବଡ଼ଭାଇ ଏତଲା ଦେଇଥିଲେ। ପୁଲିସ ତଦନ୍ତ କରି ପ୍ରଥମେ ମୁକେଶଙ୍କ ଜି-ମେଲ୍‌ ଟ୍ରାକ୍‌ କରିଥିଲା। ରିତେଶଙ୍କ ଘର ପାଖାପାଖି ମୁକେଶ ରହିଥିବା ସେଥିରୁ ଜଣାପଡ଼ିଥିଲା। ଏହାପରେ ରିତେଶଙ୍କ ବ୍ୟାଡ୍‌ମିଣ୍ଟନ ପଡ଼ିଆ ନିକଟରେ ନୂଆ ପ୍ଲାଷ୍ଟର ହୋଇଥିବା ପାଇଖାନା ପୁଲିସ ନଜରକୁ ଆସିଥିଲା। ଉକ୍ତ ପାଇଖାନାକୁ ଜେସିବି ଲଗାଇ ତାଡ଼ିବାରୁ ମୁକେଶଙ୍କ ମୃତହେଦ ବାହାରିଥିଲା। ଖବର ପ୍ରକାଶକୁ କେନ୍ଦ୍ର କରି ମୁକେଶଙ୍କୁ ହତ୍ୟା କରାଯାଇଛି। ରିତେଶ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା। ତେଣୁ ରିତେଶଙ୍କୁ ରାୟପୁରରୁ ଗିରଫ କରିଥିଲା। ହତ୍ୟାରେ ସହଯୋଗ କରିଥିବା ରିତେଶଙ୍କ ସୁପରଭାଇଜର ମହେନ୍ଦ୍ର ରାମଟେକେ ଏବଂ ଅନ୍ୟ ଜଣେ ଭାଇ ଦିନେଶ ଚନ୍ଦ୍ରକାରଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତଦନ୍ତ ନିମନ୍ତେ ବିଜାପୁର ଏସ୍‌ପିଙ୍କ ନେତୃତ୍ବରେ ୧୧ ଜଣିଆ ଟିମ୍‌ ଗଠନ କରାଯାଇଛି। ଅଭିଯୁକ୍ତର ବଡ଼ଭାଇ ସୁରେଶଙ୍କ ସମସ୍ତ ସଂପତ୍ତି ଜବତ କରାଯିବା ସହ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ୫ଏକର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ହୋଇଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ରାଜ୍ୟର ଶାସକ ଏବଂ ବିରୋଧୀ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି।

ଚିନ୍ତାପ୍ରକଟ କଲା ଏଡିଟର୍ସ ଗିଲ୍‌ଡ

ଭୁବନେଶ୍ବର: ଛତିଶଗଡ଼ ବିଜାପୁର ଜିଲ୍ଲାର ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ପୁଲିସ ସୁରେଶ ଚନ୍ଦ୍ରକାର ନାମକ ଠିକାଦାର ଘରେ ଶୁକ୍ରବାର ଚଢ଼ଉ କରିବା ପରେ ପାଇଖାନା ଟାଙ୍କିରୁ ମୁକେଶଙ୍କ ମୃତଦେହ ମିଳିଥିଲା। ସାମ୍ବାଦିକଙ୍କୁ ହତ୍ୟା ନେଇ ଏଡଟର୍ସ ଗିଲ୍‌ଡ ଚିନ୍ତା ପ୍ରକଟ କରିଛି। ଦେଶର ଛୋଟ ସହର ଓ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲାଗି ଦାବି ହୋଇଛି। 

ଏଡିଟର୍ସ ଗିଲ୍‌ଡ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ମୁକେଶ ଏକାଧିକ ଟିଭି ପାଇଁ କାମ କରୁଥିଲେ। ବିଜାପୁର ଅଞ୍ଚଳରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ରାସ୍ତା କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଥିଲା। ମୁକେଶ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଖବର ପ୍ରସାରଣ କରିଥିଲେ। ଏହା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତଦନ୍ତ କରିବା ଲାଗି ବାଧ୍ୟ କରିଥିଲା। ଏହାପରେ ମୁକେଶଙ୍କ ହତ୍ୟା ନିଶ୍ଚିତଭାବେ ଚିନ୍ତାଜନକ। ତେଣୁ ଛତିଶଗଡ଼ ସରକାର ଏହି ଘଟଣାର ତ୍ବରିତ ତଦନ୍ତ କରିବା ସହ ଘଟଣାରେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ମୁକ୍ତ ଗଣମାଧ୍ୟମ ସୁସ୍ଥ ଗଣତନ୍ତ୍ର ପାଇଁ ଗୁରୁତ୍ବପୂର୍ଣ୍ଣ। ମୁକେଶଙ୍କ ହତ୍ୟାକୁ ଦେଶ ବ୍ୟର୍ଥ ହେବାକୁ ଦେବା ଉଚିତ ନୁହେଁ ବୋଲି ଏଡିଟର୍ସ ଗିଲ୍‌ଡର ସଭାପତି ଅନନ୍ତ ନାଥ, ସାଧାରଣ ସଂପାଦକ ରୁବେନ ବାନାର୍ଜୀ ଓ କୋଷାଧ୍ୟକ୍ଷ କେ.ଭି. ପ୍ରସାଦ କହିଛନ୍ତି।