ନିର୍ଯାତିତ ସାମ୍ବାଦିକଙ୍କୁ ଜାମିନ୍‌: ଏମିତି କହିଲେ ଲୋକନାଥ…

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ନୀଳଗିରି ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ଆଜି ଜାମିନ ମିଳିଛି। ନୀଳଗିରି ଏସ୍‌ଡିଜେଏମ୍‌ ଇପ୍ସିତା ମହାନ୍ତି ମାମଲାର ଶୁଣାଣି କରିଥିଲେ। ଜାମିନରେ ଆସିବା ପରେ ଶ୍ରୀ ଦଳେଇ ନୀଳଗିରି ପୁଲିସ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ନୀଳଗିରି ପୁଲିସ ନାନା ବେଆଇନ କାମ କରୁଛି। ଅପରାଧୀଙ୍କ ସହ ସଂପୃକ୍ତି ରହିଛି। ଯାହାର ସେ ଖୁବ୍‌ଶୀଘ୍ର ଖୁଲାସା କରିବେ।

ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଥିଲା। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା। ତେବେ ଲୋକନାଥ ସୁସ୍ଥ ହେବା ପରେ ଗତକାଲି ପୁଲିସ ତାଙ୍କୁ ହେପାଜତରେ ନେବା ସହ ଜେଲ୍‌ ହାଜତକୁ ପଠାଇ ଦେଇଥିଲା।

ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ମାଡ଼ ମରାଯିବା ଘଟଣା ଦେଶରେ ଚର୍ଚ୍ଚାର କେନ୍ଦ୍ର ହୋଇଥିବା ବେଳେ ଶହ ଶହ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଇଥିଲେ। ‌ ଘଟଣାର ଗୁରତ୍ବକୁ ଦେଖି ପୁଲିସ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଥିଲା। ହାବିଲଦାର ଚିତ୍ତରଂଜନ ସିଂ’ଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ବେଳେ ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ତଥାପି ମାମଲା ଶାନ୍ତ ପଡ଼ି ନାହିଁ। ଥାନାଧିକାରୀ ‌ଓ ତଦନ୍ତକାରୀ ଅଧିକାରୀଙ୍କ ନିଲମ୍ବନ ପାଇଁ ସାମ୍ବାଦିକମାନେ ଅଡ଼ି ବସିଛନ୍ତି।

ସମ୍ବନ୍ଧିତ ଖବର