ବିଧାନସଭାରେ ଉଠିଲା ସାମ୍ବାଦିକ ସୁରକ୍ଷା ପ୍ରସଙ୍ଗ : ସ୍ୱତନ୍ତ୍ର ବିଧେୟକ ଆଣିବା ପାଇଁ ଦାବି

ସ୍ୱାସ୍ଥ୍ୟ ବୀମା ରାଶି ୫ ଲକ୍ଷ କରିବାକୁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯାଉଥିବାବେଳେ ଆକ୍ରମଣର ଶିକାର ହେଉଛନ୍ତି। ଅନେକ ଘଟଣାରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହେଉଥିବା ନଜିର ରହିଛି। ମହାରାଷ୍ଟ୍ର ସରକାରଙ୍କ ପରି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ବିଧେୟକ ପ୍ରଣୟନ କରିବା ଦରକାର। ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ଦଳମତ ନିର୍ବିଶେଷରେ ଉପସ୍ଥିତ ଥିବା ପ୍ରାୟ ସମସ୍ତ ବିଧାୟକ ବୈଧାନିକ ପ୍ରଶ୍ନ ଉତ୍ଥାପନ ଛଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ସହିତ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ରାଶି ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରସଙ୍ଗ କହିଥିଲେ, ରାଜ୍ୟରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଆଉ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଏ ନେଇ ସାମ୍ବାଦିକ ସଂଘ ମଧ୍ୟ ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଅନେକ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକମାନେ ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ଦ୍ବାରା ଅପମାନିତ ଓ ଏପରିକି ଆକ୍ରମଣର ଶିକାର ହେଉଛନ୍ତି। ମହାରାଷ୍ଟ୍ର ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରଣୟନ କରିଥିବା ଆଇନ ସଦୃଶ ଓଡ଼ିଶା ସରକାର ସାମ୍ବାଦିକଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାର ବେଳ ଆସି ପହଞ୍ଚିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ରାଜ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି। ସେମାନେ ନିରପେକ୍ଷ ଭାବେ କାର୍ଯ୍ୟ କରୁନଥିଲେ ଅନେକ ଘଟଣା ଲୋକଲୋଚନକୁ ଆସିପାରନ୍ତା ନାହିଁ। ସ୍ବାସ୍ଥ୍ୟ ବୀମା ସହାୟତା ପାଇଁ ପ୍ରଦାନ କରାଯାଉଥିବା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରି ୫ ଲକ୍ଷ କରାଯାଉ। ଏହା ସହିତ ଅନ୍ୟ ରାଜ୍ୟ ଭଳି ସେମାନଙ୍କୁ ପେନସନ୍ ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା କରିବାକୁ ଶ୍ରୀ ସାଲୁଜା ଦାବି କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ, ଶ୍ରମ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଭିତରେ ତାଳମେଳ ନ ରହିବାରୁ ଏଯାଏ ରାଜ୍ୟରେ ସାମ୍ବାଦିକ ଚିହ୍ନଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ସ୍ବାସ୍ଥ୍ୟ ବୀମା ରାଶିକୁ ବୃଦ୍ଧି କରିବା ନେଇ ମଧ୍ୟ ଶ୍ରୀ ସାମଲ ଦାବି କରିଥିଲେ। ଏହି ପ୍ରସଙ୍ଗରେ ସ୍ବର ଉଠାଇ ବିଜେ଼ଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଚାଷୀ ଓ ସାମ୍ବାଦିକମାନଙ୍କ ପାଇଁ ଗୃହରେ ଉଦ୍‌ବେଗ ସ୍ବାଗତଯୋଗ୍ୟ। ଉଭୟ ପ୍ରସଙ୍ଗରେ ଦଳୀୟ ଭାବନା ପରିହାର କରି ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ତେ ଚିନ୍ତା କରିବା ଦରକାର। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ ପ୍ରମୁଖ ସାମ୍ବାଦିକଙ୍କ ସୁରକ୍ଷା ନେଇ ଗୃହରେ ଦାବି କରିଥିଲେ।

ସମ୍ବନ୍ଧିତ ଖବର