ପେସା ସାମ୍ବାଦିକତା; ନିଶା ମଞ୍ଚ ଅଭିନୟ ଓ କଳାକାର ସୃଷ୍ଟି 

ପାତ୍ରପୁର : ମଣିଷ ପାଶ୍ଚାତ୍ୟ ସଭ୍ୟତା ଆଡ଼କୁ ଯେତିକି ଅଗ୍ରସର ହେଉଛି ସାହିତ୍ୟ, କଳା, ସଂସ୍କୃତି, ପରମ୍ପରା ଭଳି ମଞ୍ଚ ନାଟକ ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଛି। ଏଭଳି ସ୍ଥଳେ ଗଂଜାମ ଜିଲ୍ଳା ପାତ୍ରପୁର ବ୍ଲକ୍‌ ଜରଡ଼ା ଗଡ଼ର ରାଜଗୋପାଳ ପାଢ଼ୀ ଅଭିନୟ କରିବାକୁ ଯେତିକି ଉତ୍ସାହ ତାଠାରୁ କଳାକାର ସୃଷ୍ଟି କରିବା ତାଙ୍କର ଅଧିକା ନିଶା। ତାଙ୍କର ଏଭଳି ପ୍ରୟାସ ପାଇଁ ସେ ଆଜି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଗାଁ ଆଖଡ଼ାରୁ ଶିଶୁ କଳାକାର ଭୂମିକାରେ ଅଭିନୟ କରି ଆଜି ବଡ଼ ମଞ୍ଚରେ ଅଭିନୟ ସହିତ ନିର୍ଦ୍ଦେଶନା ଦେବା ଓ ଯୁବ କଳାକାର ସୃଷ୍ଟି କରିବାରେ ଆଗ୍ରହ ରଖନ୍ତି। ବର୍ତ୍ତମାନ ସୁଦ୍ଧା ୮୦ରୁ ଅଧିକ ମଞ୍ଚ ନାଟକରେ ଅଭିନୟ ସହ ୪୦ରୁ ଅଧିକ ନାଟକ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଅଭିନୀତ ନାଟକ ଶାପିତ ପୁତ୍ର, ଗାନ୍ଧୀ ପାର୍କ, କୌଣସି ଏକ ସକାଳ ପାଇଁ, ଜରି, ଏକ ପ୍ରେମ କାହାଣୀ, ଚେତାବନୀ, ବ୍ରେନ୍‌ ଗେନ୍‌ ଡଟ କମ, ପାପ ପୁଣ୍ୟରୁ କିଛି, ଅନ୍ଧ ନାୟକ ଭଳି ନାଟକରେ ତାଙ୍କ ଅଭିନୟର ନିଖୁଣ କଳାକାରର ସୂଚନା ପ୍ରଦାନ କରିଛି ।
ଅବସର କୃଷି କର୍ମଚାରୀ ଭାଗବତ ପ୍ରସାଦ ପାଢ଼ୀ ଓ ମାତା ସ୍ୱର୍ଗତା ଜ୍ୟୋତିପ୍ରଭା ଦେବୀଙ୍କ ସାନପୁଅ ରାଜଗୋପାଳ ସାମନ୍ତିଆପଲ୍ଲୀ ଶ୍ରୀଭରତପତି ମହାବିଦ୍ୟାଳୟରେ ଯୁକ୍ତ ତିନି ପର୍ଯ୍ୟନ୍ତ ପଢ଼ିଛନ୍ତି। ଗାଁ ଆଖଡ଼ାରେ ପ୍ରଥମ ମଞ୍ଚ ନାଟକ ଦାନବୀର ହରିଶ୍ଚନ୍ଦ୍ରରେ ହରିଶ୍ଚନ୍ଦ୍ରଙ୍କ ପୁଅ ରୋହିତ ଭୂମିକାରେ ଅଭିନୟ, ପରେ ଲବ କୁଶ, ଲକ୍ଷ୍ମଣ, ସଖୀ ଓ କେଳା ଭାବେ ଅଭିନୟ କରିଥିଲେ। ୨୦୦୦ ମସିହାରୁ ୨୦୦୭ ପର୍ଯ୍ୟନ୍ତ ‘ଆୱେର୍‌’ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଜଡ଼ିତ ରହି ମୋହନା, ଚନ୍ଦ୍ରଗିରି ଆଦିବାସୀ ଅଞ୍ଚଳରେ ନାଟକରେ ଅଭିନୟ କରିଥିଲେ। ଓଡ଼ିଶାର ପ୍ରଖ୍ୟାତ ନାଟ୍ୟକାର ସ୍ୱର୍ଗତ ରଘୁନାଥ ମିଶ୍ରଙ୍କ ନାଟକରେ ଅଭିନୟ କରିବା ସହ ମଞ୍ଚ ନାଟକ ବିଷୟରେ ବହୁତ କିଛି ଶିକ୍ଷା କରିଥିଲେ। ମଞ୍ଚ ନାଟକ ବିଲୁପ୍ତ ହେବାକୁ ଯାଉଥିବା ବେଳେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନାଟକ ଶିକ୍ଷାଦାନ କରି ନୂତନ କଳାକାର ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ବୋଲି ପ୍ରକାଶ କରିଛନ୍ତି।
ସର୍ବଭାରତୀୟସ୍ତରରେ ବହୁଭାଷୀ କ୍ଷୁଦ୍ର ନାଟକରେ ଅଭିନୟ ସହ ଚିକିଟି ପାତ୍ରପୁର ବ୍ଳକର କଳାକାରଙ୍କୁ ନେଇ ନିଜେ ନିର୍ଦ୍ଦେଶନା ଦେଇ ବହୁ ପୁରସ୍କାର ସାଉଁଟି ଆଣିଛନ୍ତି । ବିହାର, ଉତ୍ତରପ୍ରଦେଶ, ଗୋଆ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଅନୁଷ୍ଠିତ ସର୍ବଭାରତୀୟ ନାଟକ ପ୍ରତିଯୋଗିତାରେ ସେ ଏକାଧିକ ପୁରସ୍କାର ଜିତିବା ସହ ଜଣେ ସଫଳ ନାଟ୍ୟକର୍ମୀ, ଅଭିନେତା ଓ ନିର୍ଦ୍ଦେଶକ ଭାବେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ତାଙ୍କ ରଚିତ ନାଟକ ‘ଶାପିତ ପୁତ୍ର’ ବିଭିନ୍ନ ସ୍ଥାନରେ ପ୍ରଶଂସା ସାଉଁଟିଛି। ବ୍ରହ୍ମପୁରରେ ୨୦ ଟି ନାଟ୍ୟ ସଂସଦକୁ ନେଇ କଳାକାର ଏକତା ମଞ୍ଚର ସେ ସଂପାଦକ ଥିବା ବେଳେ ଅଲ୍‌ ଇଣ୍ଡିଆ ଥିଏଟର୍‌ କାଉନସିଲ୍‌ର ଓଡ଼ିଶା ପ୍ରଭାରୀ ସହ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ଭାବେ ବର୍ତ୍ତମାନ ଗୁରୁଦାୟିତ୍ୱ ତୁଲାଉଛନ୍ତି ରାଜଗୋପାଳ। ଜଣେ ସାମ୍ବାଦିକ ଭାବେ ଲେଖନୀ ଜାରି ରଖିବା ସହ ମଞ୍ଚ ନାଟକକୁ ନିଜର ନିଶା କରି ଆପଣାର କରିଛନ୍ତି।
ସମ୍ବନ୍ଧିତ ଖବର