ସାମ୍ବାଦିକ ରଣଜିତ୍‌ ଗୁରୁ ସ୍ମାରକୀ ୱେବିନାର ଉଦ୍‌ଘାଟିତ : ନିର୍ଭୀକ ଓ ସାଲିସବିହୀନ ସାମ୍ବାଦିକ ଥିଲେ

ଭୁବନେଶ୍ୱର : କୁଆଁପାଳସ୍ଥିତ ଜବାହରଲାଲ୍‌ ନେହରୁ ମହାବିଦ୍ୟାଳୟର ଇତିହାସ ଓ ରାଜନୀତି ବିଜ୍ଞାନ ବିଭାଗ ଏବଂ ଆଦିବାସୀ ଗବେଷଣା ଉନ୍ନୟନ ସଂସ୍ଥାନ(ସିଏଆରଡି)ର ମିଳିତ ସହଯୋଗରେ ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ରଣଜିତ ଗୁରୁ ସ୍ମାରକୀ ୱେବିନାର ଆଜି ଉଦ୍‌ଘାଟିତ ହୋଇଛି। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସ୍ମାରକୀ ୱେବିନାରକୁ ଉଦ୍‌ଘାଟନ କରି କହିଲେ ଯେ ରଣଜିତ୍‌ ଗୁରୁ ଜଣେ ସଫଳ ସାମ୍ବାଦିକ ଥିଲେ। ତାଙ୍କ ମଧ୍ୟରେ ନିଷ୍ଠା ଓ ସମର୍ପଣ ଭାବ ରହିଥିଲା। ନିର୍ଭୀକ ଓ ସାଲିସବିହୀନ ସାମ୍ବାଦିକତା କରିବାକୁ ‌ସେ ଭଲ ପାଉଥିଲେ। ‌ସତ୍ୟ ଓ ତଥ୍ୟ ତାଙ୍କର ପ୍ରମୁଖ ଅସ୍ତ୍ର ଥିବାରୁ ସେ ସଫଳ ହୋଇପାରିଥିଲେ। ସାମ୍ବାଦିକର ବୃତ୍ତି ଅନ୍ୟ ସବୁ ବୃତ୍ତିଠାରୁ ଭିନ୍ନ। ସମସ୍ତେ ଶୋଇଥିବା ବେଳେ ଜଣେ ସାମ୍ବାଦିକ ଜାଗ୍ରତପ୍ରହରି ଭାବେ ସମାଜ ପାଇଁ କାମ କରୁଥାଏ।

‘ସମ୍ବାଦ’ର ଫିଚର ସଂପାଦକ ତଥା ବିଶିଷ୍ଟ ଲେଖକ ଗୌରହରି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘କୋଭିଡ୍‌-୧୯ ପରବର୍ତ୍ତୀ ଜୀବନ’ ଉପରେ ବକ୍ତବ୍ୟ ରଖି କହିଲେ, ସାରା ବିଶ୍ବ ଏଭଳି ଅଚଳ ହୋଇପଡ଼ିବ ବୋଲି କେହି ଭାବି ପାରି ନ ଥିଲେ। ଆମେରିକା ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ଭରତର ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେବା ସହ ଉଦ୍‌ବିଘ୍ନ ହୋଇପଡ଼ିଛନ୍ତି। ସ୍ଥିତି ଜଟିଳ ହେଉଥିବାରୁ କରୋନା ପରବର୍ତୀ କାଳରେ ଆମକୁ ସତର୍କ ହେବାକୁ ପଡ଼ିବ। ଉନ୍ନତ ସ୍ବାସ୍ଥ୍ୟ ସେବା ଓ ଡିଜିଟାଲ ପ୍ଲାଟ୍‌ଫର୍ମକୁ ବଢ଼ାଇବାର ଆବଶ୍ୟକତା ରହିଛି। ଆଗକୁ ଆମେ ଏକ ସ୍ପର୍ଶହୀନ, ସମ୍ପର୍କହୀନ ପୃଥିବୀ ସହ ଅଭ୍ୟସ୍ତ ହେବାକୁ ଯାଉଛୁ। ଏଥିପାଇଁ ଆମକୁ ପାରମ୍ପରିକ ମନୋଭାବରେ ପରିବର୍ତନ ଓ ପ୍ରସ୍ତୁତିର ଆବଶ୍ୟକତା ରହିଛି।

ସିଏଆରଡିର ନିର୍ଦେଶକ ବିକ୍ରମ କେଶରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଗୁରୁଙ୍କ ବ୍ୟକ୍ତିତ୍ବ, ବିଷୟ ଓ ୱେବିନାରର ଗୁରୁତ୍ୱପୂର୍ଣ୍ଣତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଜବାହରଲାଲ ନେହରୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପଲ୍ଲବ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ୱେବିନାରରେ ଆବାହକ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ସଂଯୋଜକ ରୁଦ୍ରନାରାୟଣ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ତଥା ସହ ଆବାହକ ଅଧ୍ୟାପକ ଶୁଭମ ଦାସ କାର୍ଯ୍ୟକ୍ରମକୁ ପରିଚାଳନା ସହ ଧନ୍ୟବାଦ ଦେଇଥିଲେ।

ୱେବିନାରର ଦ୍ବିତୀୟ ଅଧିବେଶନରେ ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ପାୟଲ ଅଗ୍ରୱାଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆସାମ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରୋଜିତ କୁମାର ପାଲିତ ବକ୍ତା ଭାବରେ ଯୋଗଦେଇ ‘ଉତ୍ତର-ପୂର୍ବ ଭାରତରେ ଆଦିବାସୀ ଆନ୍ଦୋଳନ’ ବିଷୟରେ ମତବ୍ୟକ୍ତ କରିଥିଲେ। ସେହିପରି ରାମକୃଷ୍ଣ ବେଦାନ୍ତ ସେଣ୍ଟରର ଆଧ୍ୟାତ୍ମିକ ନିର୍ଦେଶକ ସ୍ୱାମୀ ଦେବପ୍ରିୟନନ୍ଦ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ‘ଯୁବ ମାନସିକତା ଏବଂ ଭାରତର ନୂଆ କଳ୍ପନା’ ଶୀର୍ଷକ ବିଷୟ ଉପରେ ଆଲୋକପାତ କରିଥିଲେ। ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟାପକ ଶୁଭମ ଦାସ ଓ ରୁଦ୍ର ନାରାୟଣ ଦାଶ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର