ଆଖିବୁଜିଲେ ସାମ୍ବାଦିକ ସୁବାସ ସାହାରେ

ଝାରସୁଗୁଡ଼ା : ଝାରସୁଗୁଡ଼ାର ଜଣେ ଜଣାଶୁଣା ସମାଜସେବୀ ତଥା ସାମ୍ବାଦିକ ସୁବାସ ସାହାରେଙ୍କ ବୁଧବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହେଇଥିଲା।

‘ଝାରସୁଗୁଡ଼ା ବିଚାର’ ନାମକ ଏକ ପତ୍ରିକାର ସଂପାଦନା ଦାୟିତ୍ବ ସହିତ ଏକ ପୋର୍ଟାଲରେ ମଧ୍ୟ କାର୍ଯ୍ୟ କରୁଥିଲେ। ସବୁବେଳେ ଗରିବଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ସ୍ବର୍ଗତ ସାହାରେ ‘ମାନବ ସେବା ସଂଘ’ ନାମରେ ଏକ ସଂଗଠନ କରି ତାର ସଭାପତି ଥିଲେ। ଅସହାୟ ଓ ଅନାଥ ଲୋକଙ୍କ ମୃତଦେହକୁ ସେ ସମ୍ମାନର ସହିତ ଦାହ ସଂସ୍କାର କରୁଥିଲେ। ‌ପ୍ରାୟ ୫୦ରୁ ଅଧିକ ମୃତଦେହକୁ ସେ ତାଙ୍କ ସଂଗଠନ ମାଧ୍ୟମରେ ଅନ୍ତିମ ସଂସ୍କାର କରିଥିଲେ। ଦୁଃଖରେ ଥିବା ଅସହାୟ ମଣିଷଙ୍କ ପାଖକୁ  ସେ ପହଞ୍ଚି ଯାହା କିଛି ସମ୍ଭବ ଆର୍ଥିକ ସହାୟତା କରୁଥିଲେ। ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା, ଶୀତକାକରରେ ପଡ଼ିଥିବା ଗରିବ ଲୋକଙ୍କୁ କମ୍ବଳ, ପ୍ରଚଣ୍ଡ ଖରାରେ କାମା କରୁଥିବା ଠେଲାବାଲା, ରିକ୍‌ସାବାଲା, ଟ୍ରାଫିକ କର୍ମଚାରୀଙ୍କୁ ଗାମୁଛା, ଛତା, ଥଣ୍ଡାପାଣି ବୋତଲ, ବୃଦ୍ଧବୃଦ୍ଧାଙ୍କୁ ଲୁଗା, ଚପଲ ପ୍ରଦାନ କରୁଥିଲେ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ସିଲେଇ ମେସିନ, ଡାକ୍ତରଖାନାରେ ରୋଗୀଙ୍କୁ ସେବା କରିବା ପାଇଁ ଆର୍ଥିକ ସାହାଯ୍ୟ ସହିତ ଅକ୍ସିଜେନ୍‌ ସିଲିଣ୍ଡର ପ୍ରଦାନ କରି ପାରୁ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ହସ ଦେଖିବାକୁ ପ୍ରୟାସ କରୁଥିଲେ। ପ୍ରଚାର-ପ୍ରସାରଠାରୁ ଦୂରରେ ରହି ସେ ମାନବ ସେବାକୁ ନିଜର ଧର୍ମ କରିଥିଲେ।

ମଙ୍ଗଳବାର ସେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ସମଲେଶ୍ବରୀ ଓ ପରେ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। କୋଭିଡ୍‌ ଲକ୍ଷଣ ଥିବାରୁ ବହୁ ସମୟ ଧରି ତାଙ୍କର ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି। ଜୀବନତମାମ ମାନବ ସେବା କରୁଥିବା ବେଳେ ସ୍ବର୍ଗତ ସାହାରେ ଡାକ୍ତରଖାନାରେ ଉପଯୁକ୍ତ ସେବା ପାଇ ପାରି ନଥିଲେ। ଆଜି ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କର ପତ୍ନୀ, ପୁଅ, ଭାଇ ତଥା ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ସ୍ଥାନୀୟ ଏଚ୍‌. କଟାପାଲିଠାରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହି ଖବର ଜଣାପଡ଼ିବା ପରେ ସାରା ସହରରେ ‌ଶୋକର ଛାୟା ଖେଳି ଯାଇଥିଲା।

ସମ୍ବନ୍ଧିତ ଖବର