ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା : ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌, ୫ବର୍ଷ ୧ ମାସ ପରେ ରାୟ ପ୍ରକାଶ

ବ୍ରହ୍ମପୁର/ଖଲ୍ଲିକୋଟ : ଦୀର୍ଘ ୫ବର୍ଷ ୧ ମାସ ପରେ ବହୁଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମକଦ୍ଦମାର ଚୂଡ଼ାନ୍ତ ରାୟ ଗୁରୁବାର ପ୍ରକାଶ ପାଇଛି। ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀନିବାସ ପ୍ରତିହାରୀ ୪୭ ସାକ୍ଷୀଙ୍କ ଜମାନବନ୍ଦୀ ଓ ତଥ୍ୟ ପ୍ରମାଣକୁ ଭିତ୍ତିକରି ଏହି ଗୁରୁତ୍ବପୂର୍ଣ ରାୟ ଶୁଣାଇଛନ୍ତି। ଏହି ଘଟଣାରେ ଗିରଫ ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସନ୍ତୋଷ ମହାରଣା ଏବଂ ରମେଶ ଓରଫ ନାରାୟଣ ରେଡ୍ଡିଙ୍କୁ ୩୦୨ ଦଫାରେ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ସେହିପରି ମୁଖ୍ୟ ଷଡ଼ଯନ୍ତ୍ରକାରୀ ପି.ଶ୍ୟାମସୁନ୍ଦର ପୃଷ୍ଟି, ସୁରେଶ ସାହୁ ଏବଂ ଶିବରାମ ନାୟକଙ୍କୁ ୩୦୨, ୧୨୦ (ବି) ଏବଂ ୧୦୯ ଦଫାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟ ଘୋଷଣା ସମୟରେ ଆଜି ସମସ୍ତ ଅଭିଯୁକ୍ତ ଅଦାଲତରେ ଉପସ୍ଥିତ ଥିଲେ।

ମାମଲାର ବିବରଣୀରୁ ପ୍ରକାଶ ‌ଯେ, ୨୦୧୪ ମେ ୨୭ ତାରିଖ ରାତିରେ ତରୁଣ ଖଲ୍ଲିକୋଟରୁ ନିଜ ଘର ବିକ୍ରମପୁର ଫେରୁଥିଲେ। ରାତି ପ୍ରାୟ ୯ଟା ୩୦ରେ ଖଲ୍ଲିକୋଟ ଥାନା ଠାରୁ ମାତ୍ର ଶହେ ମିଟର ଦୂର ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବୃତ୍ତମାନେ ତରୁଣଙ୍କ ତଣ୍ଟି କାଟି ବୀଭତ୍ସ ହତ୍ୟା କରିଥିଲେ। ମୋବାଇଲ୍ କଲ୍‌ ରେକର୍ଡ଼ ଯାଞ୍ଚ ଓ ଟ୍ରାକିଂ ପରେ ଭରସା କାଜୁ ଫ୍ୟାକ୍ଟ୍ରିରେ ଶିଶୁ ଶ୍ରମିକ କାର୍ଯ୍ୟ କରୁଥିବା ଖବର ପ୍ରସାରଣକୁ ‌କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଏବଂ କାଜୁ ଫ୍ୟାକ୍ଟ୍ରି ମାଲିକ ପି. ଶ୍ୟାମସୁନ୍ଦର ପୃଷ୍ଟି ଏହି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପୁଲିସ ପର୍ଯ୍ୟାୟ କ୍ରମେ କାଜୁ ଫ୍ୟାକ୍ଟ୍ରିର ମାଲିକ ପି. ଶ୍ୟାମସୁନ୍ଦର ପୃଷ୍ଟି, ସନ୍ତୋଷ ମହାରଣା, ଏନ୍.ର‌ମେଶ‌ ରେଡ୍ଡି, ସୁରେଶ ଚନ୍ଦ୍ର ସାହୁ ଏବଂ ଶିବରାମ ନାୟକଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ବର୍ତମାନ ଜେଲ୍‌ରେ ଅଛନ୍ତି। କିନ୍ତୁ ତଦନ୍ତରେ ଶିଥିଳତା ଅନୁଭବ କରି ତୁରଣଙ୍କ ବଡ଼ଭାଇ ତାପସ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଘଟଣାର ଗୁରୁତ୍ବକୁ ଅନୁଭବ କରି ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ୨୦୧୫ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବୁଡ୍ଡୁ ଓରଫ ନୃସିଂହ ଚରଣ ପଣ୍ଡା ନାମକ ଜଣେ ଅଭିଯୁକ୍ତ ଅଦ୍ୟାବଧି ଫେରାର ରହିଥିବା ବେଳେ କ୍ରାଇମବ୍ରାଞ୍ଚ ଏ ଯାଏଁ ତାକୁ ଗରିଫ କରିପାରି ନାହିଁ।

ଅନ୍ୟପକ୍ଷରେ ପି.ଶ୍ୟାମସୁନ୍ଦର ପୃଷ୍ଟି ଓ ଶିବରାମ ନାୟକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇ ଜାମିନ ଆବେଦନ କରିଥିଲେ। କିନ୍ତୁ ୨୦୧୭ ଜୁଲାଇ ୩ ତାରିଖରେ ଏହାର ଶୁଣାଣି କରି ସୁପ୍ରିମକୋଟ ଜାମିନ ଆବଦେନକୁ ଖାରଜ କରିଥିଲେ। ୬ ମାସ ମଧ୍ୟରେ ଏହି ମାମଲାର ଫଏସଲା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ପ୍ରଥମେ ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ଥିଲା। ଖଲ୍ଲିକୋଟ ଠାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟ ଖୋଲିବା ପରେ ଏହି ମାମଲା ସେଠାକୁ ସ୍ଥାନାନ୍ତରିତ ହୋଇଥିଲା।

ରାୟ ପ୍ରକାଶ ପାଇବା ପରେ ସତ୍ୟ, ଧର୍ମ ଓ ନ୍ୟାୟର ବିଜୟ ହେଲା ବୋଲି ତରୁଣଙ୍କ ବଡ଼ ଭାଇ ଆଇନଜୀବୀ ତାପସ ଆଚାର୍ଯ୍ୟ ଓ ମୃତ ତରୁଣଙ୍କ ସମ୍ପର୍କୀୟ ତଥା ଆଇନଜୀବୀ ସନ୍ତୋଷ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୁକ୍ତ ମାନେ ଉପର କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ତାଙ୍କ ଆଇନଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର