ସାମ୍ବାଦିକ କଲ୍ୟାଣ ଯୋଜନା: ୩୫ ସାମ୍ବାଦିକ ପରିବାରକୁ ସହାୟତା

କରୋନାରେ ଜୀବନ ହରାଇଥିବା ୧୬ ସାମ୍ବାଦିକଙ୍କ ପରିବାର ସହାୟତା ପାଇବେ

ଭୁବନେଶ୍ବର : ୩୫ ମୃତ ସାମ୍ବାଦିକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରୁ ୧୬ ସାମ୍ବାଦିକ କୋଭିଡ-୧୯ରେ ପ୍ରାଣ ହରାଇଥିଲେ। ଏହି ସହାୟତା ସାମ୍ବାଦିକ କଲ୍ୟାଣ ଯୋଜନା (ଜେଡବ୍ଲୁଏସ)ରୁ ପ୍ରଦାନ କରାଯିବ। ଏହି ପରିବାରଗୁଡ଼ିକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜେଡବ୍ଲୁଏସ୍‌ କମିଟି ବୈଠକରେ ଏହି ସହାୟତା ମଞ୍ଜୁର କରାଯାଇଛି।

ଜେଡବ୍ଲୁଏସ୍ କମିଟି ସ୍ଥାୟୀ ଭିନ୍ନକ୍ଷମ ଦୁଇ ସାମ୍ବାଦିକ ଓ ଗୁରୁତର ରୋଗରେ ପୀଡ଼ିତ ପାଞ୍ଚ ସାମ୍ବାଦିକଙ୍କ ପାଇଁ ଜେଡବ୍ଲୁଏସ୍ ନିୟମାବଳୀ ଅନୁସାରେ ସହାୟତା ପାଇଁ ସୁପାରିସ କରିଛନ୍ତି। ବୈଠକରେ କମିଟି ସମୁଦାୟ ଏକ କୋଟି ୮୧ ଲକ୍ଷ ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ କୋଭିଡ୍-୧୯ ହେତୁ ଜୀବନ ହରାଇଥିବା ୧୨୩ ଜଣ ସାମ୍ବାଦିକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ବୈଠକରେ ବର୍ତ୍ତମାନର ମଞ୍ଜୁର ସହିତ ସମୁଦାୟ ୧୩୯ ପରିବାରକୁ ସହାୟତା ପ୍ରଦାନ କରାଯାଇଛି।

ଏହି ଯୋଜନାରେ ସାମ୍ବାଦିକଙ୍କ ମୃତ୍ୟୁ କ୍ଷେତ୍ରରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ସହିତ ସ୍ଥାୟୀ ଅକ୍ଷମତା, ଗୁରୁତର ଦୁର୍ଘଟଣା ଓ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଗତ ଆର୍ଥିକ ବର୍ଷରେ ବିଭିନ୍ନ ବର୍ଗରେ ୧୩୪ ଜଣ ସାମ୍ବାଦିକ ଓ ତାଙ୍କର ପରିବାରକୁ ୬.୪୭ କୋଟିର ସହାୟତା ପ୍ରଦାନ କରାଯାଇଛି। ବୈଠକରେ ଜୟଦୀପ ଭଟ୍ଟନାଗର, ପ୍ରମୁଖ ମହାନିର୍ଦ୍ଦେଶକ, ପିଆଇବି, ବିକ୍ରମ ସହାୟ, ଯୁଗ୍ମ ସଚିବ ଏବଂ କମିଟିର ସମ୍ବାଦିକ ପ୍ରତିନିଧି ସନ୍ତୋଷ ଠାକୁର, ଅମିତ କୁମାର, ଉମେଶ୍ବର କୁମାର, ଶ୍ରୀମତୀ ସର୍ଜନା ଶର୍ମା, ରାଜକିଶୋର ତିୱାରୀ ଓ ଗଣେଶ ବିଷ୍ଟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର