ଶବ ଉଠାଇବାକୁ ପୁଅ ବି ମନା କଲା, କେହି ଆସିଲେନି : ସାମ୍ବାଦିକ ଦେଖାଇଲେ ମାନବିକତା

ବାମରା : ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଜୁରାବାହାଲ ଗାଁରେ ସନାତନ ଧୁରୁଆ (୫୦) ସପରିବାର ରହନ୍ତି। ବୁଧବାର ରାତିରେ ସନାତନ ଶୌଚ ପାଇଁ ବାହାରି ସକାଳ ସୁଦ୍ଧା ଫେରି ନଥିଲେ। ସ୍ତ୍ରୀ ପ୍ରଭା ଗୁରୁବାର ଖୋଜାଖୋଜି କରି କେଶାଇବାହାଲ ଖଡ଼ିଆପଡ଼ାର ଏକ କଲଭର୍ଟ ତଳେ ପାଣିରେ ଭାସୁଥିବା ଦେଖିଥିଲେ। ଖବର ପାଇ ମଧ୍ୟ ଗ୍ରାମବାସୀ କିଛି କରି ନଥିଲେ। ମହୁଲପାଲି ଏସଆଇ ଏସକେ ସରାଫ, ପି ଖାଲକୋ, ଏସ ପଟେଲ, ଅନ୍ୟାନ୍ୟ ପୁଲିସ୍‌ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନଥିଲେ। ଶବକୁ ବାହାର କରିବାକୁ କୌଣସି ଲୋକ ରାଜି ହୋଇ ନଥିଲେ। ମୃତକଙ୍କ ପୁଅ ଚନ୍ଦନ ମଧ୍ୟ ବାପାଙ୍କ ଶବ ପାଖକୁ ଯାଇନଥିଲେ। ଖବର ସଂଗ୍ରହ କରିବାକୁ ଯାଇଥିବା ବାମରାର କିଛି ସାମ୍ବାଦିକ ଶେଷରେ ପାଣିକୁ ଓହ୍ଲାଇ ଶବକୁ ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଥିଲେ। ମୃତ ସନାତନଙ୍କ ଜାତି ପାଇଁ ଜାତିସମାଜ ପ୍ରଥାର ଦ୍ୱାହି ଦେଇ କେହି ଶବକୁ ଛୁଇଁ ନଥିବା ଜଣାପଡ଼ିଛି। ପୁଅ ଚନ୍ଦନ ଏ ବିଷୟରେ କହିଥିଲେ ଯେ ତାଙ୍କ ମା’ବାପା ଛୋଟ ସମୟରେ ତାଙ୍କୁ ଛାଡ଼ି ଅନ୍ୟତ୍ର ପଳାଇ ଯାଇଥିଲେ। ଶବସତ୍କାରରେ କେଶାଇବାହାଲର ସମୀର ନାୟକ ଓ ପବନ ଖଣ୍ଡେଲଓ୍ଵାଲ ସହଯୋଗ କରିଥିବା ବେଳେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର