ଭୁବନେଶ୍ବର: ଗତକାଲି ବିଧାୟକମାନେ ବିଧାନସଭା ଗୃହରେ ଅତ୍ୟନ୍ତ ଅଶୋଭନୀୟ ଆଚରଣ ପ୍ରଦର୍ଶନ କଲେ। ଧସ୍ତାଧସ୍ତି ହୋଇ ଗୃହକୁ ରଣକ୍ଷେତ୍ରରେ ପରିଣତ କରିଦେଲେ। ଏହାକୁ ରାଜ୍ୟବ୍ୟାପୀ ନିନ୍ଦା କରାଗଲା। କିନ୍ତୁ ଦୋଷ ହେଲା ଗଣମାଧ୍ୟମର। ଗଣମାଧ୍ୟମ ପ୍ରତିନିଧିଙ୍କ ବିରୋଧରେ ଅଭିଯୋଗ ହେଲା ଯେ ସେମାନେ ମିଡିଆ ଗ୍ୟାଲେରିରୁ ଭିଡିଓ ସୁଟିଂ କରି ଭାଇରାଲ୍ କରାଇଲେ। ଫଳରେ ବିଧାନସଭାର ଗରିମା କ୍ଷୂଣ୍ଣ ହେଲା। ଏପରି ଅଭିଯୋଗ ଆଣି ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରେସ୍ ଗ୍ୟାଲେରିକୁ ମୋବାଇଲ୍ ନେଇ ଯିବା ଉପରେ ବାରଣ କରାଗଲା। ସକାଳେ ହଠାତ କୁହାଗଲା ଯେ ବାହାରେ ମୋବାଇଲ୍ ଦାଖଲ କରି ଭିତରକୁ ଯିବା ପାଇଁ। ଏପରି ବିଚିତ୍ର ନିଷ୍ପତ୍ତିକୁ ସାମ୍ବାଦିକମାନେ ପ୍ରତିବାଦ କରିଥିଲେ। ସେମାନେ ପ୍ରେସ୍ ଗ୍ୟାଲେରି ଯିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଦେଲେ। ତାହା ପରେ ବିଧାନସଭା ରିପୋର୍ଟିଂ ବର୍ଜନ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଲେ। ମୋବାଇଲ୍ ଫୋନ୍ କଟକଣା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କଲେ। ଫଳରେ ବିଧାନସଭା ଗୃହରେ କ’ଣ ଘଟୁଛି, ତାହା ଆଉ ବାହାରକୁ ଆସିଲା ନାହିଁ। ରାଜ୍ୟବାସୀ ଏକପ୍ରକାର ଅନ୍ଧାରରେ ରହିଲେ।
ସାମ୍ବାଦିକମାନଙ୍କର ଯୁକ୍ତି ଥିଲା ଯେ ପ୍ରଶ୍ନକାଳରେ ଅର୍ଥାତ୍ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ବିବରଣୀର ସିଧା ପ୍ରସାରଣ ବ୍ୟବସ୍ଥା ଅଛି। ସେହି ସମୟରେ ଫଟୋ ଓ ଭିଡିଓ ଖୋଲାଖୋଲି ଭାବେ ବାହାରକୁ ଯାଏ। ତେଣୁ ଗତକାଲି ପ୍ରଶ୍ନକାଳରେ ହିଁ ଶାସକ-ବିରୋଧୀ ଧସ୍ତାଧସ୍ତି ହୋଇଥିଲେ। ତେଣୁ ଭିଡିଓ ବାହାରକୁ ଯିବା ସ୍ବାଭାବିକ ଥିଲା। ଏହା ବାଦ୍ ଯଦି କୌଣସି ବ୍ୟକ୍ତି ବେଆଇନ ଭାବେ ଭିଡିଓ ସୁଟିଂ କରି ବାହାରକୁ ପଠାଇଛନ୍ତି, ତାଙ୍କୁ ଚିହ୍ନଟ କରାଯାଉ। ତାହା ନକରି ସମସ୍ତ ସାମ୍ବାଦିକଙ୍କୁ ମୋବାଇଲ୍ ନେବାକୁ ବାରଣ କରାଯିବା ସମ୍ପୂର୍ଣ୍ଣ ଅଯୌକ୍ତିକ ନିଷ୍ପତ୍ତି।
ପ୍ରେସ୍ ଗ୍ୟାଲେରି ବର୍ଜନ କଲେ ସାମ୍ବାଦିକ
ପ୍ରତିବାଦ ପରେ ନିଷ୍ପତ୍ତି ପ୍ରତ୍ୟାହାର
ପାଖାପାଖି ଦୁଇ ଘଣ୍ଟା ଧରି ସାମ୍ବାଦିକମାନେ ଧାରଣା ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ସାମ୍ବାଦିକଙ୍କ ବିଧାନସଭା ରିପୋର୍ଟିଂ ବର୍ଜନ ଖବର ଗଣମାଧ୍ୟମରେ ପ୍ରସାର ହେଲା ପରେ ସରକାର ଆହୁରି ଅଡ଼ୁଆରେ ପଡ଼ିଯାଇଥିଲା। ବିଜେଡି ସରକାର ସମୟରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ବୋଲି ବିଜେପି ଅଭିଯୋଗ କରୁଥିଲା ବେଳେ ଏବେ ସମାନ କାରଣ ପାଇଁ ବିଜେପି ସରକାର ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ ହେଲେ। ବିଜେଡି ଓ କଂଗ୍ରେସ ବିଧାୟକମାନେ ଧାରଣାସ୍ଥଳକୁ ଯାଇ ସାମ୍ବାଦିକମାନଙ୍କୁ ସମର୍ଥନ କରିଥିଲେ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଧାରଣାସ୍ଥଳକୁ ଆସି ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ପାଖାପାଖି ୧ଟା ବେଳେ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ତାଙ୍କୁ ଚାମ୍ବରରେ ଭେଟିଥିଲେ। ଏହି ସମୟରେ ସଂସ୍କୃତି ମନ୍ତ୍ରୀଙ୍କ ସମେତ ବିଧାନସଭା ସଚିବ ମଧ୍ୟ ଉପସ୍ଥିତ ଥିଲେ। ପୂର୍ବ ପରି ସାମ୍ବାଦିକମାନେ ମୋବାଇଲ୍ ନେଇ ପ୍ରେସ୍ ଗ୍ୟାଲେରିକୁ ଯାଇପାରିବେ ବୋଲି ବାଚସ୍ପତି ସମ୍ମତି ପ୍ରକାଶ କରିଥିଲେ। ତେବେ ପ୍ରେସ୍ ଗ୍ୟାଲେରିରୁ ଫଟୋ କି ଭିଡିଓ ଉଠାଇବା ପାଇଁ ପୂର୍ବରୁ ରହିଥିବା କଟକଣା ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ। ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ପ୍ରଥମାର୍ଦ୍ଧରେ ବିଧାନସଭା ଗୃହରେ ହୋଇଥିବା ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ କୌଣସି ଖବର ସଂଗ୍ରହ କରିପାରି ନଥିଲେ।