ବ୍ୟାସନଗର: କଳିଙ୍ଗନଗର ଥାନା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦୁଇଜଣ ଦୁର୍ବୃତ୍ତ ଜଣେ ସାମ୍ବାଦିକଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଛନ୍ତି। ଏନେଇ ବ୍ୟାସନଗର ଅଞ୍ଚଳର ସାମ୍ବାଦିକ ପ୍ରକାଶ ରାଉତ କଳିଙ୍ଗନଗର ଥାନାରେ ଅଭିଯୋଗ କରିଛନ୍ତି। କନକ ଟିଭିର ସାମ୍ବାଦିକ ଶ୍ରୀ ରାଉତ ଗତକାଲି ସନ୍ଧ୍ୟାରେ ବାଇକ୍‌ରେ ଯାଉଥିବା ବେଳେ କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗଡ଼ିଆ ହନୁମାନ ମନ୍ଦିର ନିକଟରେ ଦୁଇଜଣ ଯୁବକ ଏକ ନମ୍ବର ବିହୀନ ବାଇକ୍‌ରେ ଆସି ତାଙ୍କ ମୋବାଇଲ ଫୋନ୍‌କୁ ଝାମ୍ପି ନେଇଥିଲେ। ଅଭିଯୁକ୍ତମାନେ ଦ୍ରୁତ ଗତିରେ ଡୁବୁରି ଆଡ଼କୁ ପଳାଇ ଯାଇଥିଲେ।

Advertisment

ସେହିପରି ଯାଜପୁରରୋଡ ଥାନା ଅନ୍ତର୍ଗତ ଉମାପଦାର ଶ୍ରୀ ବିହାରରେ ରହୁଥିବା ଅଭିଷେକ କୁମାରଙ୍କ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଦୁଇଜଣ ଦୁର୍ବୃତ୍ତ ଝାମ୍ପି ନେଇଛନ୍ତି। ଗତକାଲି ସନ୍ଧ୍ୟାରେ ଅଭିଷେକ ହାଉସିଂ ବୋର୍ଡ ରାସ୍ତାରେ ଚାଲୁଥିବା ବେଳେ ଦୁର୍ବୁତ୍ତମାନେ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ ଫୋନ୍‌କୁ ଝାମ୍ପି ନେଇ ପଳାଇ ଯାଇଥିଲେ। ଅନ୍ୟଏକ ଘଟଣାରେ ଧବଳଗିରି ଅଞ୍ଚଳର ସୁରେନ୍ଦ୍ର ନାଥଙ୍କ ମୋବାଇଲ୍‌ ଫୋନ୍‌କୁ ମଧ୍ୟ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। ସେ କଥା ହୋଇ ଯାଉଥିବା ବେଳେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। କିଛିଦିନ ହେଲା ବ୍ୟାସନଗର ସହରରେ ଚୋରି ଓ ରାହାଜାନି ବଢ଼ି ଚାଲିଛି। ଚୋର ଓ ମୋବାଇଲ୍‌ ଲୁଟେରାଙ୍କୁ ପୁଲିସ ନିୟନ୍ତ୍ରଣ କରିପାରୁନାହିଁ। ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲାର ନୂତନ ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।