ସାମ୍ବାଦିକମାନେ ସରକାରଙ୍କୁ ପ୍ରଶ୍ନ କରିବାରୁ ବିରତ ହେବା ଉଚିତ ନୁହେଁ : ରୁବେନ୍ ବାନାର୍ଜୀ

କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧

ଭୁବନେଶ୍ୱର: କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ-୨୦୨୧ରେ ଆଉଟ୍ ଲୁକର ପୂର୍ବତନ ସଂପାଦକ ରୁବେନ୍ ବାନାର୍ଜୀ ସାମିଲ ହୋଇ ଗଣମାଧ୍ୟମ କୌଣସି କ୍ରମେ ସରକାରଙ୍କୁ ପ୍ରଶ୍ନ କରିବାରୁ ବିରତ ହେବା ଉଚିତ ନୁହେଁ ବୋଲି କହିଥିଲେ। କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ରଙ୍କ ସହ ‘ମିଡିଆ ଏ କୋଲସସ୍ ଉଇଥ୍ ଫିଟ୍ ଅଫ୍ କ୍ଲେ’ ପ୍ରସଙ୍ଗରେ ଆଲୋଚନା କରି ରୁବେନ ବାନାର୍ଜୀ କହିଛନ୍ତି, ଗଣମାଧ୍ୟମ ହେଉଛି ସମାଜର ଆଇନା। ବର୍ତ୍ତମାନ କଠିନ ପରିସ୍ଥିତି ଦେଇ ଗତି କରୁଛି ଗଣମାଧ୍ୟମ।

ସେହିପରି ଏକପାଖିଆ ଖବର ପରିବେଷଣକୁ ନେଇ ରୁବେନ ମତ ରଖିଛନ୍ତି। ସେ କହିଛନ୍ତି, ଖବର ପରିବେଷଣ ବେଳେ ଉଭୟ ପକ୍ଷକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏବେ ଭାରତୀୟ ଗଣମାଧ୍ୟମରେ ରାଜନୀତିକରଣ ଦେଖିବାକୁ ମିଳୁଛି। ଗଣମାଧ୍ୟମ ଏବେ କଠିନ ପରିସ୍ଥିତି ଭିତରେ ଚାଲିଛି। ସେହିଭଳି ରାଜ୍ୟ ସରକାର ଆରମ୍ଭ କରିଥିବା ଫାଇଭ-ଟି କାଯ୍ୟକ୍ରମକୁ ସେ ପ୍ରଶଂସା କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ ରିପୋର୍ଟ କାହିଁକି ପ୍ରକାଶିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି ବୋଲି କହିଛନ୍ତି ରୁବେନ ବାନାର୍ଜୀ ।

ଦେଶରେ ଛତୁ ଫୁଟିବା ଭଳି ଗଣମାଧ୍ୟମ ସଂସ୍ଥା ଖୋଲୁଛି । ଆଉ ସରକାରଙ୍କ ପାଖରୁ ଗଣମାଧ୍ୟମଗୁଡ଼ିକ ବିଜ୍ଞାପନ ପାଉଥିବା କାରଣରୁ ସବୁ ଖବର ସାମ୍ନାକୁ ଆସିପାରୁନି। କିଛି ଗଣମାଧ୍ୟମ କର୍ପୋରେଟ ସଂସ୍ଥା ନିୟନ୍ତ୍ରଣରେ ରହୁଥିବା ବେଳେ କିଛି ଗଣମାଧ୍ୟମ ସଂସ୍ଥାରେ ରାଜନୀତିର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି। ୨୦୦୦ରୁ ୨୦୨୧ ମଧ୍ୟରେ ଦେଶ ରାଜନୈତିକ ସ୍ଥିରତା ଦେଖିଛି। ମାତ୍ର ଏଠି ପ୍ରାୟ ୨ ବର୍ଷ ହେଲା ସାମ୍ବାଦିକଙ୍କୁ ସଚିବାଳୟକୁ ଛଡ଼ାଯାଉନି! ଏ ନେଇ ପ୍ରଶ୍ନ କରାଯିବା ଉଚିତ୍। ମିଡ଼ିଆ ସମାଜର ପ୍ରତିଛବି। କ୍ଷମତାକୁ ପ୍ରଶ୍ନ କରିବାରେ ଓଡ଼ିଶା ମିଡ଼ିଆ ଅଧିକ ସାହସ ଦେଖାଇବା ଉଚିତ ବୋଲି ସେ ମତ ରଖିଥିଲେ।

ସମ୍ବନ୍ଧିତ ଖବର