ନୂଆପଡ଼ା: ଖୁସି ଏବଂ ଦୁଃଖ ମଧ୍ୟରେ ଦୂରତ୍ବ କେତେ? ହୁଏତ ଏହାକୁ କଳିହେବନି। ତେବେ ଏହା ଯେ କିଛିସମୟର ବ୍ୟବଧାନ, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଲଛିପୁର ଛକଠାରେ ଘଟିଥିବା ଦୁର୍ଘଟଣା ହିଁ ଏହାର ଏକ ଜ୍ବଳନ୍ତ ଉଦାହରଣ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ଜଣ ସାଙ୍ଗ। ୨ ଜଣ ବି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହିଭଳି ଏକ ଦୁଃଖଦ ଘଟଣା ଖଡ଼ିଆଳ ସହରରେ ଶୋକର ଛାୟା ଖେଳାଇଦେଇଛି।
ସୂଚନା ଅନୁସାରେ, ରବିବାର ଦିନ ଖଡ଼ିଆଳ ସହରରେ ରହୁଥିବା ବ୍ୟବସାୟୀ ସୁଶାନ୍ତ ସାହୁଙ୍କ ବଡ଼ପୁଅ ଶୁଭମ ସାହୁଙ୍କ ଜନ୍ମଦିନ ଥିଲା। ଜନ୍ମଦିନ ପାଳନକୁ ନେଇ ପରିବାରରେ ଖୁସିର ମାହୋଲ ଖେଳିଯାଇଥିଲା। ସନ୍ଧ୍ୟା ସମୟରେ ଶୁଭମଙ୍କ ସାନଭାଇ ଶ୍ରୀୟାଂଶ ସାହୁ (୨୨), ଖଡ଼ିଆଳ ସହରର ଦେବେନ୍ଦ୍ର ସିଂ ଲାଲ (୨୩), ଶୁଭମ ମହାହୁତି (୨୨) ଓ ଗୋଇମୁଣ୍ଡି ଗ୍ରାମର ଦେବରାଜ ପଟେଲ (୧୯) ଖଡ଼ିଆଳ ସାନମୁଳା ଫାର୍ମ ହାଉସ୍ରେ ଆୟୋଜିତ ଜନ୍ମଦିନ ପାର୍ଟିରେ ସାମିଲ୍ ହୋଇଥିଲେ।
ଭୋଜି ଭାତଖାଇ ରାତି ୧୧ଟାରେ ଏହି ୪ ଜଣ ସାଙ୍ଗ ଏକ କାର୍ (ସିଜି ୨୩ ଏମ୍ ୪୦୫୦)ରେ ଭବାନୀପାଟଣା ପଟକୁ ଯାଉଥିଲେ। ହେଲେ, ଲଛିପୁର ଗ୍ରାମ ନିକଟରେ ୩୫୩ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର (ଓଡି ୨୬ ଏଫ୍ ୩୨୯୪)କୁ ପଛପଟୁ ଧକ୍କା ଦେଇଥିଲେ। ପରେ ପଛପଟୁ ଆସୁଥିବା ଏକ ଟ୍ରକ ମଧ୍ୟ ଦୁର୍ଘଟଣା ଗ୍ରସ୍ତ କାର୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଫଳରେ, କାର୍ଟି ଚୂର୍ମାର୍ ହେବା ସହ ଟ୍ରାକ୍ଟରର ୨ଟି ଚକ ମଧ୍ୟ ଅଲଗା ହୋଇ ଯାଇଥିଲା। କାର୍ରେ ଥିବା ୪ ଜଣ ଯୁବକଙ୍କ ମୃତଦେହ ଖଣ୍ଡବିଖଣ୍ଡ ହୋଇ ରାସ୍ତାରେ ପଡ଼ି ରହିଥିଲା। ଘଟଣାସ୍ଥଳରେ ହିଁ ୪ଜଣ ଯାକ ପ୍ରାଣ ହରାଇଥିଲେ। ଅନ୍ୟପକ୍ଷରେ, ଟ୍ରାକ୍ଟରରେ ଥିବା ବିଷ୍ଣୁ ରାଉତ (୪୫) ଓ ଯଦୁମଣି ପଟେଲ (୪୮) ଟ୍ରାକ୍ଟର ତଳେ ଚାପି ହୋଇ ଛଟପଟ ହେଉଥିଲାବେଳେ ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଖଡ଼ିଆଳ ଥାନା ପୁଲିସ ଓ ଖଡ଼ିଆଳ ଅଗ୍ନିଶମ ବିଭାଗ ପହଞ୍ଚି ମୃତାହତଙ୍କୁ ଖଡ଼ିଆଳ ଡାକ୍ତରଖାନାକୁ ନେଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ୪ ଯୁବକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ଏସ୍ଆଇ ସୁବୋଧ କୁଜୁର ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।