ପୁଅକୁ ଫେରି ପାଇବାକୁ ‘ଆଶାର ଯାତ୍ରା’

ପୁରୀ : ମହାପ୍ରଭୁ ତୁମେ ତ ଗୁଣ୍ଡିଚା ବାଡ଼ି ବୁଲିବାକୁ ଆସି ଶ୍ରୀମନ୍ଦିର ଫେରିଗଲ, କିନ୍ତୁ ମୋ ପୁଅ ଆଉ ଫେରୁନାହିଁ କାହିଁକି ? ମୋ ଗୁହାରି ଶୁଣ। ମୋତେ ବି ମୋ ପୁଅ ସହ ବଞ୍ଚିବାକୁ ସୁଯୋଗ ଦିଅ। ପୁଅକୁ ଫେରି ପାଇବା ପାଇଁ ମହାପ୍ରଭୁଙ୍କୁ ଏଇ ଗୁହାରି କରିଛନ୍ତି ସଞ୍ଜୀବ ପଣ୍ଡା। ତେବେ କଷ୍ଟ ସ୍ବୀକାର କରି ଆସିଲେ କାଳେ ମହାପ୍ରଭୁ ଭକ୍ତର ଦୁଃଖ ଶୁଣନ୍ତି ବୋଲି ବିଶ୍ବାସ ରହିଥିବାରୁ ସେଇ ଆଶାରେ ୫ ଜଣ ବନ୍ଧୁ ରାଜଧାନୀରୁ ଚାଲିଚାଲି ଆସି ଆଜି ଶ୍ରୀକ୍ଷେତ୍ରରେ ପହଞ୍ଚି ଦୁଃଖ ଜଣାଇଛନ୍ତି। ବିଭିନ୍ନ କାରଣରୁ ନିଜର ସନ୍ତାନମାନଙ୍କଠାରୁ ଦୂରେଇ ରହୁଥିବା ସମ୍ବଲପୁରର ସଞ୍ଜୀବ ପଣ୍ଡାଙ୍କ ସମେତ, କଟକର ରୋହନ ଅଗ୍ରୱାଲ, ସେକ୍‌ ଜାକିର ହୁସେନ, ସମ୍ବଲପୁରର ସୁବ୍ରତ ପ୍ରଧାନ ଓ ସୌରଭ ଗାନ୍ଧୀ ଏହି ‘ଆଶାର ଯାତ୍ରା’ରେ ସାମିଲ୍‌ ହୋଇଥିଲେ। ସେମାନଙ୍କ ଟି-ସାର୍ଟରେ ନିଜ ସନ୍ତାନମାନଙ୍କ ସହ ବିରଳ ମୁହୂର୍ତ୍ତର ଫ‌ଟୋ ଚିତ୍ର ସହ ପିତୃତ୍ବକୁ ନେଇ କିଛି ସ୍ଳୋଗାନ ଉଲ୍ଲେଖ ଥିଲା।

ଗତକାଲି ସେମାନେ ଯାତ୍ରା ଆରମ୍ଭ କରିଥିବା ବ‌େଳେ ରାତି ସାଢ଼େ ୧ଟା ସମୟରେ ବାଟମଙ୍ଗଳା ମନ୍ଦିର ନିକଟରେ ପହଞ୍ଚି ରହଣି କରିଥିଲେ। ସେଠାରୁ ସେମାନେ ଭୋର୍‌ରୁ ମା’ ବାଟମଙ୍ଗଳାଙ୍କୁ ଦର୍ଶନ କରି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରି ବାହୁଡ଼ା ପହଣ୍ଡି ଓ ବାହୁଡ଼ା ଯାତ୍ରା ଦେଖି ଫେରିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି, ମୁଁ ଓ ମୋ ପତ୍ନୀଙ୍କ ମଧ୍ୟରେ ବିବାଦ ଯୋଗୁ ୩ ବର୍ଷ ହେଲା ମୋ ସନ୍ତାନଠାରୁ ଦୂରେଇ ରହିବାକୁ ପଡ଼ିଛି। କୋର୍ଟର ଆଶ୍ରୟ ବି ନେଇଛି। ହେଲେ ପୁତ୍ର ସନ୍ତାନ ସହ ମିଶିବାର ସୁଯୋଗ ଏଯାଏ ପାଇନାହିଁ। ବିଭିନ୍ନ ସୂତ୍ରରୁ ମୋତେ ହଇରାଣ କରାଯାଉଛି। ଦୀର୍ଘବର୍ଷ ହେଲା ପୁଅକୁ ଭେଟିବାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇପାରୁନାହିଁ। ତେଣୁ ସବୁଠୁ ଆଶା ତୁଟିଗଲା ପରେ ଶେଷରେ ମହାପ୍ରଭୁଙ୍କ ପାଖକୁ କିଛି ଆଶା ନେଇ ଆସିଥିଲୁ। ମହାପ୍ରଭୁଙ୍କୁ ଏତିକି ଜଣାଇଥିଲୁ, ଯଦି ତୁମେ ଯାତ୍ରାରେ ଆସି ନିଜ ଘରକୁ ଫେରି ପାରିଲ, ଆମ ସନ୍ତାନମାନେ କାହିଁକି ଘରକୁ ଫେରିବେ ନାହିଁ। ଏହି ଅଭିମାନ ଓ ଦୁଃଖ ଜଣାଇବା ପରେ ସନ୍ତାନମାନେ ଆମ ପାଖକ‌ୁ ଫେରି ଆସିବାର ଭରସା ନେଇ ଏହି ଯାତ୍ରାର ଆରମ୍ଭ କରିଥିଲୁ।

ପୁଅ ପାଇଁ ମୁଁ ବ୍ୟକ୍ତିଗତ ଭାବେ ରାଜ୍ୟ ବାହାରୁ ଭଲ ଚାକିରି ଛାଡ଼ି ଆସି ଓଡ଼ିଶାରେ ରହିଲି। ଆଶା ଥିଲା ସବୁକିଛି ପରିବର୍ତ୍ତନ ହୋଇଯିବ। ମାତ୍ର କିଛି ବି ସମ୍ଭବ ହେଲା ନାହିଁ। ତେଣୁ ଦୀର୍ଘବର୍ଷ ହେଲା ଅକଥନୀୟ ଯନ୍ତ୍ରଣା ଭୋଗୁଛି। ଅନ୍ୟମାନେ ବି‌ ସେଇ ସମସ୍ୟା ସହ ଯୁଝୁଥିବାରୁ ସମସ୍ତେ ପରସ୍ପର ସହ ଦୁଃଖ ବାଣ୍ଟିବା ବେଳେ ମହାପ୍ରଭୁଙ୍କ ନିକଟକୁ ଚାଲିଚାଲି ଆସିବାକୁ ନିଷ୍ପତ୍ତି ନେଇଥିଲୁ। ସେଇ ନିଷ୍ପତ୍ତି ପୂର୍ବକୁ ଶ୍ରୀକ୍ଷେତ୍ର ଆସିଥିଲୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର