ହକି ଖେଳାଳି ସନ୍ତୋଷ ମାଝୀଙ୍କ ବିଡ଼ମ୍ବିତ ଯାତ୍ରା: ଜାତୀୟ ହକି ପଡ଼ିଆରୁ ଗୋଆର ମାଛଧରା ଡଙ୍ଗା

ସୁନ୍ଦରଗଡ଼: ଦିନେ ଯେଉଁ ହାତରେ ହକି ବାଡ଼ି ଧରି ଜାତୀୟ ହକି ପଡ଼ିଆରେ ଯାଦୁ ଦେଖାଉଥିଲେ, ଆଜି ସେହି ହାତ ସୁଦୂର ଗୋଆର ମାଛ ଧରା ଡଙ୍ଗାରେ ଆହୁଲା ମରିବାରେ ବ୍ୟସ୍ତ। ଜାତୀୟ ହକି ପଡ଼ିଆରୁ ଗଭୀର ସମୁଦ୍ର, ଏ ଯନ୍ତ୍ରଣାସିକ୍ତ ଯାତ୍ରାରେ ବିଡ଼ମ୍ବିତ ନାୟକଙ୍କ ନାମ ସନ୍ତୋଷ ମାଝୀ। ଘର ସୁନ୍ଦରଗଡ଼ର ହକି ଗଡ଼ ଭାବେ ପରିଚିତ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଛୋଟ ଜଙ୍ଗଲି ଗାଁ ଲୁଲୁକିଡିହି। ଯେଉଁ ଗାଁରେ ସୁନାମଧନ୍ୟା ହକି ଅଲିମ୍ପିଆନ ଦୀପଗ୍ରେସ ଏକ୍କା, ଦୁଇ ଭାଇ ଇଗ୍ନେସ ତିର୍କୀ ଓ ପ୍ରବୋଧ ତିର୍କୀଙ୍କ ଜନ୍ମ। ଯେଉଁଠି ବିନିତା ଟପ୍ପୋ, ନୀଳିମା କୁଜୁର, ଆନ୍ନାରିତା କେର୍କେଟା, ମୁକ୍ତା ବାର୍ଲାଙ୍କ ପରି ୧୦ରୁ ଅଧିକ ଜାତୀୟ ଖେଳାଳିଙ୍କ ଜନ୍ମ। ସେଇଠି ଜନ୍ମ ନେଇଥିବା ସନ୍ତୋଷ କିପରି ହକି ପ୍ରେମରୁ ବାଦ୍ ପଡ଼ିଥାନ୍ତେ।

ପିଲା ଦିନୁ ସିଏ ମଧ୍ୟ ବାଉଁଶ ବାଡ଼ି ଧରି ଦାଣ୍ଡକୁ ବାହାରି ପଡ଼ୁଥିଲେ ହକି ଖେଳିବା ପାଇଁ। ଧିରେ ଧିରେ ସନ୍ତୋଷ ହକିର ଏକ ସମ୍ଭାବନା ଥିବା ଦେଖି ସୁନ୍ଦରଗଡ଼ସ୍ଥିତ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷ (ସାଇ) ଛାତ୍ରାବାସ ଅଧିକାରୀ ତାଙ୍କୁ ଚୟନ କରି ନେଇ ଆସିଥିଲେ। ସେଠାରେ ସେ ସବ୍ ଜୁନିୟରରୁ ଜୁନିୟର ଓ ସିନିୟରକୁ ଉନ୍ନୀତ ହୋଇ ଜାତୀୟ (ବି)ଦଳରେ ଖେଳିବାକୁ ସୁଯୋଗ ପାଇଥିଲେ। ୨୦୧୫ ବେଳକୁ ସେ ଦୁଇ ଥର ସେ ଜାତୀୟ ଦଳରେ ହକି ଖେଳି ବହୁ ପଦକ ଓ ପ୍ରମାଣପତ୍ର ପାଇଥିଲେ। ପଦକ ଓ ପ୍ରମାଣପତ୍ର ଦେଖି ଚାଷୀ ବାପା ବିଦ୍ୟାଧର ମାଝୀଙ୍କ ଛାତି ବି ଚଉଡ଼ା ହୋଇ ଯାଇଥିଲା। ପୁଅ ହକିରେ ଯାଦୁ ଦେଖାଇବେ ବୋଲି ଆଶା କରିଥିଲେ।

ସନ୍ତୋଷ ମଧ୍ୟ ହକି କିମ୍ବଦନ୍ତୀ ଦିଲୀପ ତିର୍କୀ, ଇଗ୍ନେସ, ପ୍ରବୋଧଙ୍କ ପରି ଦକ୍ଷ ହୋଇ ଅଲିମ୍ପିକ୍ସ ପଡ଼ିଆକୁ ପହଞ୍ଚିବେ ବୋଲି ସ୍ବପ୍ନ ଦେଖିଥିଲେ, ପରିଶ୍ରମ କରୁଥିଲେ। କିନ୍ତୁ ବିଡ଼ମ୍ବନା ଦୁଇ ଥର ଜାତୀୟ ଦଳରେ ଖେଳିବା ପରେ ତାଙ୍କୁ ଆଉ ସୁଯୋଗ ମିଳି ନଥିଲା। ପରେ ପରେ ସୁନ୍ଦରଗଡ଼ ସାଇରୁ ବାଳକ ଛାତ୍ରାବାସକୁ ହଟାଇ ଦିଆଯାଇଥିଲା। ସନ୍ତୋଷ ଘରକୁ ଫେରି ସୁଯୋଗକୁ ଅପେକ୍ଷା କରି କରି ଥକି ପଡ଼ିଥିଲେ, କିନ୍ତୁ ହକି ନିଶା ଛାଡ଼ି ନଥିଲା।

 

ଛାତ୍ରାବାସ ଛାଡ଼ିବା ପରେ ମଧ୍ୟ ସେ ଘର ବାଡ଼ି ପଟେ ହକି ଅଭ୍ୟାସ ଜାରି ରଖିଥିଲେ। କିନ୍ତୁ ପେଟ ଓ ପରିବାର କଥା ଚିନ୍ତା କଲା ବେଳକୁ ସେ ଭାଙ୍ଗି ପଡ଼ିଥିଲେ। ଏସ୍ଥିତିରେ ଜାତୀୟ ଖେଳ ଖେଳିଥିବା ସନ୍ତୋଷଙ୍କୁ ଚାକିରିଟେ ବି ଦେଲାନି ସରକାର। ଶେଷକୁ ନିଜ ସଫଳତାର ପଦକ ଓ ପ୍ରମାଣପତ୍ରକୁ ବାକ୍ସରେ ସାଇତି ବାଧ୍ୟ ହୋଇ ହକି ପଡ଼ିଆରୁ ଗୋଆକୁ ପାଦ ବଢ଼ାଇଥିଲେ। ସେଠାରେ ଗଭୀର ସମୁଦ୍ର ଭିତରେ ଡଙ୍ଗାରେ ବସି ମାଛ ଧରିଲେ। ସେଥିରୁ ଯାହା ରୋଜଗାର ମିଳିଲା ପେଟ, ପରିବାର ଚଳିଲେ। ପ୍ରତିବର୍ଷ ଚାଷ କାମ ପରେ ସନ୍ତୋଷ ବାହାରି ପଡ଼ନ୍ତି ଗୋଆ। ମାଛ ଧରା କାମରେ ୬ ମାସ ଖଟିବା ପରେ ଠିକ୍ ବର୍ଷା ବେଳକୁ ଚାଷ କ୍ଷେତକୁ ଫେରି ଆସନ୍ତି।

ପ୍ରତି ବର୍ଷ ଗୋଆରୁ ଘରକୁ ଲେଉଟିବା ପରେ ସାଇତା ପ୍ରମାଣପତ୍ର ଓ ପଦକକୁ ବାହାର କରି ଆଖି ପୂରାଇ ଦେଖନ୍ତି। ଛାତିରୁ ଦୀର୍ଘଶ୍ବାସ ବାହାରି ପଡ଼େ, ହେଲେ ଆଖିରେ ଏବେ ବି ଖୁନ୍ଦି ହୋଇ ରହିଛି ହକି ସ୍ବପ୍ନ। ସମୟ ମିଳିଲେ ହକି ବାଡ଼ି ଓ ବଲ୍ ଧରି ଘର ବାଡ଼ିରେ ଖେଳନ୍ତି। କହନ୍ତି, ସୁଯୋଗ ମିଳିଲେ ଏବେ ମଧ୍ୟ ସେ ଜାତୀୟ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ। ହକିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରୁଥିବା ସରକାର ସନ୍ତୋଷଙ୍କ ପରି ଖେଳାଳିଙ୍କ ପ୍ରତି ଦୃଷ୍ଟି ଦେଲେ ସୁନ୍ଦରଗଡ଼ ମାଟି ଭାରତୀୟ ଦଳକୁ ଆହୁରି ଅଧିକ ଦିଲୀପ, ଅମିତ, ବୀରେନ୍ଦ୍ର ତିଆରି କରିଦେବ, ଏହା ନିଃସନ୍ଦେହ ବୋଲି କୁହାଯାଇପାରେ।

ସମ୍ବନ୍ଧିତ ଖବର