ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କର ସୋମବାର ଦେହାନ୍ତ ହୋଇଯାଇଛି। ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସୋମବାର ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରସ୍ଥିତ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ସୂଚନାଯୋଗ୍ୟ, ବାସୁଦେବ ମହାପାତ୍ର ସାମ୍ବାଦିକତା କ୍ଷେତ୍ର ସହିତ ଦୀର୍ଘ ଦିନ ଧରି ଜଡ଼ିତ ରହିଥିଲେ। ସେ ତାଙ୍କ ସାମ୍ବାଦିକତା ଜୀବନ ସମ୍ବାଦପତ୍ରରୁ ଆରମ୍ଭ କରିଥିଲେ। ଜଣେ ତୃଣମୂଳସ୍ତରର ସାମ୍ବାଦିକ ଭାବେ ସେ ବେଶ ପରିଚିତ ଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାମ୍ବାଦିକତା କରିବାରେ ତାଙ୍କର ବିଶେଷ ଦକ୍ଷତା ଥିଲା। ବିଶେଷ ଭାବେ ଗରିବ ଲୋକଙ୍କ ଅଧକାର ସୁରକ୍ଷା ଦିଗରେ ତାଙ୍କର ଲେଖନୀ ସକ୍ରିୟ ଥିଲା। ଏଥିସହ ସେ ପାରିବେଶିକ ସଂକଟ ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ସାମ୍ବାଦିକତା କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଜନ୍ମିତ ବାସୁଦେବ ଗୋଦାବରୀଶ ବିଦ୍ୟାପୀଠରୁ ସ୍କୁଲ ପାଠପଢା ଶେଷ କରିବା ପରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିଥିଲେ। ଏହାପରେ ସେ ସାମ୍ବାଦିକତାକୁ ଆସିଥିଲେ। ପ୍ରଥମେ ବିଭିନ୍ନ ସମ୍ବାଦପତ୍ର ଓ ପତ୍ରପତ୍ରିକାରେ ଲେଖାଲେଖି କରିବା ସହ ପରବର୍ତ୍ତୀ ସମୟରେ ବିଭିନ୍ନ ଟିଭି ଚ୍ୟାନେଲରେ ସେ ସଂପାଦକ ଓ ମୁଖ୍ୟସଂପାଦକ ଭାବେ କାର୍ଯ୍ୟ କରିଥିଲେ । ସଂପ୍ରତି ସେ ମୁକ୍ତବୃତ୍ତ ସାମ୍ବାଦିକତା କରିବା ସହ ଉଭୟ ସ୍ଥାନୀୟ ଓ ଜାତୀୟ ଗଣମାଧ୍ୟମ ପାଇଁ ଲେଖାଲେଖି କରୁଥିଲେ।
ତାଙ୍କର ପତ୍ନୀ ସୁଜାତା ମହାପାତ୍ର ମଧ୍ୟ ସାମ୍ବାଦିକତା କ୍ଷେତ୍ରରେ ରହିଛନ୍ତି। ଆଜି ତାଙ୍କର ଅକାଳ ବିୟୋଗ ଓଡ଼ିଆ ସାମ୍ବାଦିକତା ପରିସରରେ ଶୋକର ଛାୟା ଖେଳାଇଦେଇଛି।