ଭୁବନେଶ୍ବର : ୨୦୨୪ରେ ଓଡ଼ିଶା ଦଖଲ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ଶ୍ରୀ ନଡ୍ଡା ରାଜ୍ୟବାସୀଙ୍କ ସାମ୍ନାରେ ଦଳର ପରିବର୍ତ୍ତିତ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବା ବେଳେ ଅତି କଡ଼ା ଭାଷାରେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଠିଆ କରି ଜଣାଇଛନ୍ତି ଯେ ଏବେ ବିଜେପି ଟାର୍ଗେଟରେ କେବଳ ବିଜେଡି ହିଁ ରହିବ। ଗତ ସାଧାରଣ ନିର୍ବାଚନ ପରଠାରୁ ବିଜେପିର କୌଣସି ରାଷ୍ଟ୍ରୀୟ ନେତା ବିଜେଡି ବିରୋଧରେ ମୁହଁ ଖୋଲୁନଥିଲେ। ଆଜି ନଡ୍ଡା ଏହି ଧାରାକୁ ନିଜେ ଭାଙ୍ଗି ସିଧାସଳଖ
ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। ପ୍ରାୟ ୪୫ମିନିଟର ଭାଷଣରେ ଥରଟିଏ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇନଥିଲେ ବି ଓଡ଼ିଶାରେ ଭ୍ରଷ୍ଟାଚାର ସରକାର ଚାଲିଛି ବୋଲି ବାରମ୍ବାର ଦୋହରାଇଛନ୍ତି। ଉପରୁ ତଳ ଯାଏଁ ସମସ୍ତେ ଭ୍ରଷ୍ଟାଚାରରେ ବୁଡ଼ିକି ଅଛନ୍ତି। ଏଭଳି ସରକାରକୁ ଉପାଡ଼ି ଫୋପାଡ଼ିବାର ବେଳ ଆସିଛି ବୋଲି ବିଜେପି କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।
ଗୁରୁବାର ଦିନ ଜନତା ମଇଦାନରେ ବିଜେପି ପକ୍ଷରୁ ଆୟୋଜିତ ‘ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ପ୍ରାୟ ୨୫ହଜାର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ନଡ୍ଡା କହିଛନ୍ତି ଯେ ରାଜ୍ୟରେ ଗୋଟିଏ ଦଳ ୨୨ବର୍ଷ ହେଲା ଶାସନ କରୁଥିଲେ ବି ଲୋକଙ୍କୁ ଆମ୍ବୁଲାନ୍ସଟିଏ ମିଳୁନି। ମହିଳା ରାସ୍ତା ଉପରେ ପ୍ରସବ କରୁଛନ୍ତି। ସାଇକେଲରେ ରୋଗୀ ବୁହା ହେଉଛନ୍ତି। ଶବକୁ ଲୋକ ସାଇକେଲରେ ବୋହିକି ନେଉଛନ୍ତି। ଓଡ଼ିଶାବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। ଏହି ଦୃଶ୍ୟ କେବଳ କୁଶାସନର ଫଳ। ଆୟୁଷ୍ମାନ ଭାରତ ଯୋଜନାରେ ମୋଦୀ ସରକାର ଦେଶରେ ୫୦କୋଟିରୁ ଅଧିକ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ହେଲେ ଓଡ଼ିଶାର ୬୦ଲକ୍ଷ ପରିବାର ଏହା ପାଇବାରୁ ବଞ୍ଚିତ।
ଓଡ଼ିଶାରେ ଏବେ ଠପ୍ପା ମାରିବା ସରକାର ଚାଲିଛି। କେନ୍ଦ୍ରର ଯୋଜନାକୁ ହାଇଜାକ୍ କରି ନିଜ ଯୋଜନା ବୋଲି ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ଘରେ ବିଜୁ ପକ୍କା ଘର ଠପ୍ପା ମାରି ନିଜ ଯୋଜନା ବୋଲି ପ୍ରଚାର କରୁଛନ୍ତି। ଜଳ ଜୀବନ ମିସନ୍ରେ କେନ୍ଦ୍ର ସରକାର ୪୪୯୪କୋଟି ଖର୍ଚ୍ଚ କରୁଥିବାବେଳେ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଲୋକଙ୍କୁ ପାଣି ମିଳୁନି। ଲୋକଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହିବାକୁ ହେବ। ପ୍ରତି ବୁଥ୍, ଗାଁ, ପଞ୍ଚାୟତ, ଏନ୍ଏସି, ମ୍ୟୁନିସପାଲଟିରେ ପ୍ରତି ଘରେ ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଜଣାଇବା ସହ ରାଜ୍ୟ ସରକାର କିପରି ନିଜର ମିଥ୍ୟା ପ୍ରଚାର କରୁଛନ୍ତି ଏବଂ ସେମାନଙ୍କ ବିକାଶରେ ବାଧକ ସାଜିଛନ୍ତି ତାହା ଜଣାଇବାକୁ ହେବ ବୋଲି ନଡ୍ଡା ବିଜେପି ନେତା ଓ କର୍ମୀଙ୍କୁ କହିଛନ୍ତି।
ବିଜେପି ସଭାପତି କହିଥିଲେ, ଏଠାରେ ରକ୍ଷକ ହିଁ ଭକ୍ଷକ ସାଜିଛନ୍ତି। ତିନି ଜଣ ମନ୍ତ୍ରୀଙ୍କ ନାଁରେ ହତ୍ୟା ମାମଲା ରହିଛି। ଏଥିରୁ ଜଣାପଡ଼ୁଛି ଯେ ଏହି ସରକାରର କୁଶାସନ କେତେ ତଳସ୍ତର ପର୍ଯ୍ୟନ୍ତ ଯାଇଛି। ଏଠାରେ ତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷିତ ନାହିଁ। ଯେତେବେଳେ ଏଠାରେ ସରକାର ନକଲି ସେତେବେଳେ ଚାବି କେମିତି ନକଲି ହେବନି! ଓଡ଼ିଶାବାସୀ ଏହିଭଳି ସରକାରକୁ ବିଦା କରିବାକୁ ମନ ବଳାଇ ସାରିଲେଣି। ଏହିଭଳି କଳଙ୍କିତ ସରକାରକୁ ଘରେ ବସେଇବାର ସମୟ ଆସିଯାଇଛି। ମନରେଗା ଯୋଜନାରେ ମୋଦୀ ସରକାର ଓଡ଼ିଶାକୁ ୧୫୪୯୦ କୋଟି ଦେଇଥିଲେ। କିନ୍ତୁ ରାଜ୍ୟ ସରକାର ଜାଲ୍ ବିଲ୍ କରି ଅର୍ଥ ହଡ଼ପ କରୁଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କ ଫୋକସ୍ରେ ଓଡ଼ିଶା ଅଛି ବୋଲି ବର୍ଣ୍ଣନା କରିବାକୁ ଯାଇ ଶ୍ରୀ ନଡ୍ଡା କହିଥିଲେ, ପୂର୍ବରୁ କଂଗ୍ରେସ ସରକାର ନିଜ ଲୋକଙ୍କୁ ପଦ୍ମ ପୁରସ୍କାର ଦେଉଥିଲା। କିନ୍ତୁ ମୋଦୀ ସରକାର ସମାଜର ତଳସ୍ତରରେ କାମ କରୁଥିବା ଲୋକଙ୍କୁ ଖୋଜି ପଦ୍ମ ପୁରସ୍କାର ଦେଉଛନ୍ତି। ମୋଦୀ ସରକାର ଆସିବା ପରେ ଓଡ଼ିଶାରୁ ୧୫ଜଣ ପଦ୍ମ ପୁରସ୍କାର ପାଇଲେଣି। ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହୋଇଛନ୍ତି, ଓଡ଼ିଶାକୁ ସର୍ବାଧିକ ୮୭ଟି ଏକଲବ୍ୟ ସ୍କୁଲ ମିଳିଛି।
ସେ କହିଥିଲେ ଯେ ବିଜେପିକୁ ଛାଡ଼ି ଦେଶରେ କୌଣସି ବିଚାରଶୀଳ ଦଳ ନାହିଁ। ଦେଶର ସବୁ ଦଳ ପରିବାରକୁ ନେଇ ଗଠିତ, କଂଗ୍ରେସ ତ ଭାଇ ଭଉଣୀଙ୍କ ଦଳ ହୋଇଯାଇଛି। ଓଡ଼ିଶାରେ ବିଜେଡି ଏକମାତ୍ର ବ୍ୟକ୍ତିର ଦଳ ହୋଇଛି। ହେଲେ ବିଜେପି ଏକମାତ୍ର ଦଳ ଯେଉଁଠି ଦଳ ହିଁ ପରିବାର।
ସଭାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଦୁର୍ନୀତିଗସ୍ତ ସରକାର ଚାଲିଛି ବୋଲି କହିଥିଲେ। ଏନ୍ଆର୍ଇଜିଏସ୍ ଯୋଜନାରେ ବହୁତ ଟଙ୍କା ଆସୁଛି। ହେଲେ ଦୁର୍ନୀତି ଯୋଗୁଁ ଲୋକ ଉପକୃତ ହେଉନାହାନ୍ତି। ଓଡ଼ିଶାରେ କେଉଁ ପଞ୍ଚାୟତ ନାହିଁ, ଯେଉଁଠି ଦୁର୍ନୀତି ହେଉନି। ଚତୁର୍ଦ୍ଦଶ ଅର୍ଥ କମିସନ ହେଉ କି ପଞ୍ଚଦଶ ଅର୍ଥ କମିସନ ପଇସା, ରାଜ୍ୟ ସରକାର ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନଙ୍କ ଅଧିକାରକୁ ଛଡ଼ାଇ ଏକଚାଟିଆ ମନୋବୃତ୍ତି ଚଳାଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିପରି ଦୁର୍ନୀତି ହେଉଛି ତାହା ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଥିଲେ, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂଆ ରୂପରେ ଆରମ୍ଭ ହେଲା। ୫୦ରୁ ୭୫ ହଜାରର ଅନୁଦାନ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଲା। ଦେଶରେ ୨ କୋଟି ଘର ତିଆରି ହେବାର ଯୋଜନା ହେଲା। ଓଡ଼ିଶାରେ ୨୮ଲକ୍ଷ ପକ୍କାଘର ମିଳିବାର ସମ୍ଭାବନା ତିଆରି ହେଲା। ୧୭ ଲକ୍ଷ ଘର ଆସିଲା। କିନ୍ତୁ ଗରିବ ଓଡ଼ିଆ ପାଖରେ ପକ୍କା ଘର ନାହିଁ। ସରକାର ଦଳୀୟ ଲୋକ ଓ ଥିଲା ବାଲାଙ୍କୁ ଘର ବାଣ୍ଟିଲେ। କୁଳମଣି ବରାଳଙ୍କ ଭଳି ଶକ୍ତି କେନ୍ଦ୍ର ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ବଳିଦାନ ଦେବାକୁ ପଡ଼ିଲା। ଏହା ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ନଗ୍ନ ଉଦାହରଣ। ସେହିପରି ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ କାହିଁକି ଲାଗୁ ହେଉନି ବୋଲି କହିବାକୁ ଯାଇ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ପରୋକ୍ଷ ଭାବେ ଟାର୍ଗେଟ୍ କରି କହିଥିଲେ, ମୋଦୀ ଦେଉଥିବା ପଇସାରେ ଯଦି ଆପଣ ନିଜ ନାଁରେ ଯୋଜନା ଚଲାଉଛନ୍ତି ଆମର ଆପତ୍ତି ନାହିଁ। ଆୟୁଷ୍ମାନ ଭାରତ ଯୋଜନା କାହିଁକି ଓଡିଶାରେ ଲାଗୁ ହେଉନି ତାହାକୁ ନେଇ ଆମର ଆପତ୍ତି । ତେଲେଙ୍ଗାନା ସରକାର ସ୍ବାସ୍ଥ୍ୟ ସେବାରେ ନିଜର ରାଜ୍ୟ ସ୍କିମ୍ ଚଲାଉଛନ୍ତି। ତା’ସହିତ ଆୟୁଷ୍ମାନ ଯୋଜନା ବି ଚାଲିଛି। ଓଡ଼ିଶାରେ ଆପଣଙ୍କର କ’ଣ ଅସୁବିଧା ହେଉଛି। ଆପଣ ଅସହିଷ୍ଣୁ, ଆପଣ ଏକଚାଟିଆ ମନୋଭାବରେ ଶିକାର। ଆପଣ ଏକଛତ୍ରବାଦୀ ମନବୃତ୍ତିର ପ୍ରତୀକ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଥିଲେ ଯେ, ୨୦୧୫ ମସିହାରୁ ଗ୍ରାମପଞ୍ଚାୟତକୁ ସିଧାସଳଖ ଟଙ୍କା ଆସୁଥିଲେ ହେଁ ବ୍ଲକ ଜେଇମାନେ ଠିକାଦାର ସାଜିଛନ୍ତି। ନିଜ ଦଳର କର୍ମୀଙ୍କୁ କାମ ଦେଇ ଟଙ୍କା ବାଣ୍ଟୁଛନ୍ତି। ଗତ ମାସରେ ବର୍ଷାରେ ମୟୂରଭଞ୍ଜରେ କାନ୍ଥ ଭୁଶୁଡ଼ି ୬ଜଣଙ୍କର ମୃତ୍ୟୁ ହେବା ଦର୍ଶାଉଛି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକଙ୍କ ପାଖରେ ପହଞ୍ଚିନି।
ଏହି ସଭାରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସାଂସଦ ଜୁଏଲ ଓରାମ, ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ବରୀ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ସମସ୍ତ ସାଂସଦ, ବିଧାୟକ ଏବଂ ପଦାଧିକାରୀ ମଞ୍ଚସ୍ଥ ଥିଲେ।