ବିଷ୍ଣୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜେପି ନଡ୍ଡା

ମାଟି, ମାଆ ଓ ମଣିଷଙ୍କୁ ଭଲ ପାଉଥିଲେ ବିଷ୍ଣୁ: ଧର୍ମେନ୍ଦ୍ର

ଭଦ୍ରକ/ତିହିଡ଼ି : ଦିବଂଗତ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଠା। ସ୍ବର୍ଗତ ସେଠୀଙ୍କ ଜନ୍ମମାଟି ତିହିଡ଼ିଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଷ୍ଣୁଙ୍କ ଅଧୁରା କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି‌ଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି। ଏହି ଅବସରରେ ଅାୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଷ୍ଣୁ ସେଠୀ ମାଟି, ମାଆ ଓ ସାଧାରଣ ଜନତାଙ୍କୁ ଭଲ ପାଉଥିବା ମଣିଷଟିଏ ଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସ୍ବର୍ଗତ ସେଠୀଙ୍କ ଦ୍ବାଦଶାହ ଅବସରରେ ବିଷ୍ଣୁ ସ୍ମୃତି କମିଟି ପକ୍ଷରୁ ଆଜି ଜନ୍ମମାଟି ତିହିଡ଼ିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସଭାପତିତ୍ବରେ ତିହିଡ଼ି କଲେଜ ପରିସରରେ ଆୟୋଜିତ ଏହି ସଭାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ କାହାଠୁ କିଛି ପାଇବାର ଆଶା ନ ରଖି ବିଷ୍ଣୁ ଗରିବ ଓ ଅବହେଳିତଙ୍କ କଥା ଚିନ୍ତା କରୁଥିଲେ ବୋଲି କହିଥିଲେ। ମୁଖ୍ୟବକ୍ତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ବିଷ୍ଣୁ ସେଠୀ କେବଳ ଜଣେ ନେତା ନ ଥିଲେ, ଏକ ଅନୁଷ୍ଠାନ ଥିଲେ। ଗରିବ ଲୋକଙ୍କ ଉନ୍ନତି କଥା ସବୁବେଳେ ଚିନ୍ତା କରିବା ସହ ମାଟି, ମାଆ ଓ ମଣିଷଙ୍କୁ ଭଲ ପାଉଥିବା ମଣିଷ ଥିଲେ। ସୃଜନଶୀଳ ବ୍ୟକ୍ତିତ୍ବ ଭାବେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ଥିଲା। ତାଙ୍କ ବିୟୋଗ‌ରେ ତିହିଡ଼ି, ଚାନ୍ଦବାଲି, ଭଦ୍ରକ, ବାଲେଶ୍ବର କିମ୍ବା ଓଡ଼ିଶା ନୁହେଁ, ସାରା ଦେଶରେ ଏକ ଉଜ୍ଜ୍ବଳ ଦୀପ ଲିଭିଗଲା ବୋଲି ଶ୍ରୀ ପ୍ରଧାନ କହିଥିଲେ। ସମ୍ମାନିତ ଅତିଥି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ନିଜ ବକ୍ତବ୍ୟରେ ବିଷ୍ଣୁଙ୍କୁ ଏକାଧାରରେ ଜଣେ ସାହିତ୍ୟିକ, ସଂଗଠକ, ଲୋକପ୍ରିୟ ରାଜନେତା ଭାବେ ଅଭିହିତ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସ୍ମୃତି ପତ୍ରିକା ‘ବିଷ୍ଣୁପଥ’ ଉନ୍ମୋଚିତ ହୋଇଥିଲା। ଅତିଥିମାନେ ସ୍ବର୍ଗତ ସେଠୀଙ୍କ ମଙ୍ଗରାଜପୁରସ୍ଥିତ ବାସଭବନକୁ ଯାଇ ସମାଧି ପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ସ୍ବର୍ଗତ ସେଠୀଙ୍କର ଧର୍ମପତ୍ନୀ ଊର୍ମିଳା, ପୁତ୍ର ସୂରଜ ସୂର୍ଯ୍ୟବଂଶୀ ଓ ତାଙ୍କ କନ୍ୟା ସ୍ମୃତି ସରନ୍ୟାଙ୍କୁ ଭେଟି ସମବେଦନା ଜଣାଇଥିଲେ।

ସମ୍ବନ୍ଧିତ ଖବର