ବିଷ୍ଣୁ ସେଠୀ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଥିଲେ: ଜେ ପି ନଡ୍ଡା

ଭଦ୍ରକ/ ତିହିଡ଼ି: ବିଷ୍ଣୁ ସେଠୀ ଜଣେ ସମ୍ବେଦନଶୀଳ ବ୍ୟକ୍ତି ଥିଲେ। ସେ ନିଜ ଦେହକୁ ଧ୍ୟାନ ନ ଦେଇ କେବଳ ଲୋକଙ୍କ ସେବା କରିଥିଲେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ବଡ଼ କ୍ଷତି। ଏହି ଅପୂରଣୀୟ କ୍ଷତିର ଭରଣା କରାଯାଇପାରିବ ନାହିଁ, ମାତ୍ର ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଧାମନଗର ନିର୍ବାଚନ ମଣ୍ଡଳୀର ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦ୍ବାଦଶାହ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏହା କହିଛନ୍ତି। ସେ ଏହା ପୂର୍ବରୁ ଶ୍ରୀ ନଡ୍ଡା ବିଷ୍ଣୁ ସେଠୀଙ୍କ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ଭେଟି ନିଜର ସମବେଦନା ଜଣାଇଥିଲେ।

ସକାଳ ୮ ଟା ୩୦ ମିନିଟ ସମୟରେ ତିହିଡି କାଳି ପଡ଼ିଆ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ତିହିଡ଼ି କଲେଜ ପଡ଼ିଆରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଦିବଙ୍ଗତ ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପ୍ରମୁଖ ଦିବଙ୍ଗତ ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପନେତା , ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ବିଷ୍ଣୁ ସେଠୀଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ଶ୍ରୀ ନଡ୍ଡା ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସ୍ମୃତି ସଭାରେ ଦଳମତ ନିର୍ବିଶେଷରେ ହଜାର ହଜାର ଲୋକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର