ମିସନ ୨୦୨୪ : ସେପ୍ଟେମ୍ବରରେ ଓଡ଼ିଶା ଆସିବେ ବିଜେପି ସଭାପତି ଜେପି ନଡ୍ଡା

ଭୁବନେଶ୍ବର : ସେପ୍ଟେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ସଭାପତି ଜଗତ ପ୍ରକାଶ (ଜେପି) ନଡ୍ଡା । ମିସନ ୨୦୨୪ ପାଇଁ ବିଜେପି ଓଡ଼ିଶା ଉପରେ ମଧ୍ୟ ଫୋକସ କରୁଥିବାରୁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପି କର୍ମୀଙ୍କ ପାଇଁ ଆୟୋଜନ କରାଯାଇଥିବା ଏକ କର୍ମଶାଳାରେ ନଡ୍ଡା ଯୋଗ ଦେବେ । ତାଙ୍କ ସହିତ ବିଜେପି ରାଷ୍ଟ୍ରୀୟ ମହାସଚିବ ବିଏଲ ସନ୍ତୋଷ ଓ ଓଡ଼ିଶା ପ୍ରଭାରି ସୁନୀଲ ବନସଲ ମଧ୍ୟ ଓଡ଼ିଶା ଆସିବେ ବୋଲି ବିଜେପି ରାଜ୍ୟ ମହାସଚିବ ପୃଥ୍ବିୀରାଜ ହରିଚନ୍ଦନ କହିଛନ୍ତି । ପୂର୍ବରୁ ଏହି କର୍ମଶାଳା ଜୁଲାଇ ମାସରେ ହେବାକୁ ଥିବାବେଳେ ତାହାକୁ ସେପ୍ଟେମ୍ବର ଶେଷ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଥିଲା ବୋଲି ହରିଚନ୍ଦନ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିଲେ ଓ ରାଜ୍ୟରେ ଦଳର ଦୁର୍ବଳ ସଂଗଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।  ପଞ୍ଚାୟତ ନିର୍ବାଚନରେ ୨୦୧୭ ତୁଳନାରେ ୨୦୨୨ରେ ଦଳ କମ ଆସନ ଜିଣିବାକୁ ନେଇ ମଧ୍ୟ ଶାହା ଅସନ୍ତୋଷ ପ୍ରକଟ କରିଥିଲେ । ଆସନ୍ତା ନିର୍ବାଚନରେ ଭଲ କରିବାକୁ ହେଲେ ଦଳକୁ ଗାଁ, ଓ୍ବାର୍ଡ ଓ ବୁଥ ସ୍ତରରେ ମଝବୁତ କରିବାକୁ ହେବ ବୋଲି ସେ କର୍ମୀମାନଙ୍କୁ କହିଥିଲେ ।

 

 

 

ସମ୍ବନ୍ଧିତ ଖବର