ଯାଜପୁରସଦର/ପାଣିକୋଇଲି: କୋରେଇ ବ୍ଲକ୍ ଗୋଳେଇପୁର ପଞ୍ଚାୟତର ଜିଆର୍ଏସ୍ (ଗ୍ରାମ ରୋଜଗାର ସେବକ) ଦିଲୀପ କୁମାର ଦୀକ୍ଷିତ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଇ ବାଇକ୍ରେ ଖସି ପଳାଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗୋଡ଼ାଇ ଧରିଥିଲା। ଅଭିଯୁକ୍ତ ଜିଆର୍ଏସ୍ଙ୍କୁ ଗିରଫ କରାଯିବା ସହ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ତଦନ୍ତ କରାଯାଉଥିବା ଭିଜିଲାନ୍ସ ଡିଏସ୍ପି ସୁଶୀଲ କୁମାର ଏକ୍କା ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ୍ କରିଦେବା ପାଇଁ ସେ ୫ ହଜାର ଟଙ୍କା ଦାବି କରିଥିଲେ ବୋଲି ତେଲିଆ ଗ୍ରାମର ମୃତ୍ୟୁଞ୍ଜୟ ବିଶ୍ୱାଳ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ଣରେ ଦିଲୀପ ତେଲିଆ ଗ୍ରାମରେ ପହଞ୍ଚି ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇଥିଲେ। ଟଙ୍କା ନେବା ପରେ ସେ ବାଇକ୍ରେ ପଳାଉଥିଲେ। ଯାଜପୁର ଭିଜିଲାନ୍ସ ଟିମ୍ ତାଙ୍କୁ ପିଛା କରି ବାଟରେ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା। ପରେ ତାଙ୍କୁ ଯାଜପୁରସ୍ଥିତ କାର୍ଯ୍ୟାଳୟକୁ ନିଆଯାଇଛି। ଏ ସଂକ୍ରାନ୍ତରେ କଟକ ଭିଜିଲାନ୍ସରେ ୩୨/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ଅନେକ ହିତାଧିକାରୀଙ୍କଠାରୁ ସେ ପୂର୍ବରୁ ଲାଞ୍ଚ ନେଇଥିବା ଗ୍ରାମବାସୀ କହିଛନ୍ତି। ଦିଲୀପ ମୂଳାପାଳ ପଞ୍ଚାୟତ ଦାୟିତ୍ବରେ ମଧ୍ୟ ଥିଲେ।