ଭୁବନେଶ୍ବର: ଓଡ଼ିଶାରେ ଜେଏସ୍‌ଡବ୍ଲ୍ୟୁର ପ୍ରସ୍ତାବିତ ବୃହତ୍‌ ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରି ପ୍ରକଳ୍ପକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ପ୍ରକଳ୍ପ ଅନ୍ୟ ରାଜ୍ୟକୁ ଚାଲିଯିବା ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଦିନତମାମ ରାଜନୈତିକ ବୟାନବାଜି ଚାଲିଥିଲା। ରାଜ୍ୟ ସରକାର ମଧ୍ୟ ଏହି ପ୍ରସଙ୍ଗରେ ଅକଳରେ ପଡ଼ିଯାଇଥିଲା। ଶେଷରେ ଜେଏସ୍‌ଡବ୍ଲ୍ୟୁ କମ୍ପାନି ନିଜ ପକ୍ଷରୁ ଏହାକୁ ଖଣ୍ଡନ କରି ଚର୍ଚ୍ଚାରେ ବିରାମ ଲଗାଇବାକୁ ଉଦ୍ୟମ କରିଛି। ଚଳିତ ବର୍ଷ ଫେବ୍ରୁଆରିରେ ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶ‌ାରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରି ତିଆରି କାରଖାନା ସ୍ଥାପନ କରିବାକୁ ଘୋଷଣା କରିଥିଲା। ସେହି ପ୍ରକଳ୍ପକୁ କମ୍ପାନି ମହାରାଷ୍ଟ୍ର ସ୍ଥାନାନ୍ତର କରୁଥିବା ନେଇ ଜାତୀୟ ଗଣମ‌ାଧ୍ୟମ ‘ମିଣ୍ଟ’ରେ ଏକ ଖବର ପ୍ରକାଶ ପାଇବା ପରେ ପ୍ରକଳ୍ପ ଭାଗ୍ୟକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି (କର୍ପୋରେଟ୍ ରଣନୀତି) ରଞ୍ଜନ ନାୟକ ଏକ ‌ପ୍ରେସ୍ ବିବୃତି ଜାରି କରି ଜଣାଇଛନ୍ତି ଯେ ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପରୁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓହରିନାହିଁ। ଏହି ପ୍ରସଙ୍ଗ ଉପରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି ଯେ ନିବେଶକମାନେ ନିଜ ଇଚ୍ଛ‌ା‌ ଅନୁସାରେ ନିବେଶ କରନ୍ତି। ଜେଏସ୍‌ଡବ୍ଲ୍ୟୁର ଇଭି ପ୍ରକଳ୍ପ ଆରମ୍ଭ ହେବା ବିଳମ୍ବ ହୋଇଛି। କିନ୍ତୁ କମ୍ପାନି ଏହି ପ୍ରକଳ୍ପକୁ ଓଡ଼ିଶାରୁ ଅନ୍ୟତ୍ର ନେଇଯିବା ନେଇ କିଛି ଚୂଡ଼ାନ୍ତ ହୋଇନାହିଁ। କମ୍ପାନି ସହ ଏନେଇ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି।

Advertisment

ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଫେବ୍ରୁଆରିରେ କମ୍ପାନି ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଥିଲା। ପୂର୍ବ ସରକାର କମ୍ପାନିକୁ ଜମି ଆବଣ୍ଟନ କରିନାହାନ୍ତି। ଆମ ସରକାର ଆସିବା ପରେ ଆମେ କମ୍ପାନିକୁ କାରଖାନା ସ୍ଥାପନ କରିବାକୁ କହୁଛୁ। ପ୍ରକଳ୍ପକୁ ଅନ୍ୟତ୍ର ନେଉଥିବା ବିଷୟରେ କମ୍ପାନି ଆମକୁ କିଛି ଜଣାଇନାହିଁ। ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜୁ ଜନତା ଦଳ (ବିଜେଡି)। ଦଳର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି ଯେ ଜାତୀୟ ଗଣମାଧ୍ୟମରେ ବାରମ୍ବାର ପ୍ରକଳ୍ପ ଓଡ଼ିଶାରୁ ଚାଲିଯାଉଥିବା ନେଇ ଖବର ପ୍ରକାଶ ପାଉଛି। ନବୀନ ପଟ୍ଟନାୟକଙ୍କ ସରକାର ବହୁ ପରିଶ୍ରମ କରି ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଓଡ଼ିଶାକୁ ଆଣିଥିଲେ। ତାଙ୍କ ନେତୃତ୍ବ ଦେଖି କମ୍ପାନିଗୁଡ଼ିକ ଆସିଥିଲେ। ଯଦି ଏହି ପ୍ରକଳ୍ପ ରାଜ୍ୟ ବାହାରକୁ ଚାଲିଯିବ ତେବେ ଓଡ଼ିଶାର ମର୍ଯ୍ୟାଦା କ୍ଷୁଣ୍ଣ ହେବ। ଏହି ପ୍ରକଳ୍ପ ଯେଭଳି ସ୍ଥାପନ ହେବ ସେନେଇ ନୂଆ ସରକାର ଉଦ୍ୟମ କରିବେ ବୋଲି ଆଶା ପ୍ରକଟ କରିବା ସହ ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ଘୋଷଣା କରିଥିବା କମ୍ପାନିଗୁଡ଼ିକୁ ପ୍ରକଳ୍ପ କରିବା ଲାଗି ସେ ନିବେଦନ କରିଛନ୍ତି। 

କମ୍ପାନି ସହ ଆଲୋଚନା ଚାଲିଛି: ଶିଳ୍ପ ମନ୍ତ୍ରୀ
କମ୍ପାନି ଓହରିଲେ ମର୍ଯ୍ୟାଦା କ୍ଷୁଣ୍ଣ ହେବ: ସଂତୃପ୍ତ
ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଚର୍ଚ୍ଚା

କଟକ ଜିଲ୍ଲାର ନରାଜରେ ଏକ ଇଭି ଓ ଉପକରଣ କାରଖାନା ଏବଂ ଜଗତସିଂହପୁରର ପାରାଦୀପରେ ଏକ କପର ସ୍ମେଲଟର ଓ ଲିଥିୟମ୍ ରିଫାଇନାରି କାରଖାନା ସ୍ଥାପନ କରିବାକୁ ଜେଏସ୍‌ଡବ୍ଲ୍ୟୁ ଘୋଷଣା କରିଥିଲା। କମ୍ପାନି ୫୦ ଜିଡବ୍ଲୁଏଚ୍‌ର ଇଭି ବ୍ୟାଟେରି କାରଖାନା, ଲିଥିୟମ୍ ବିଶୋଧନାଗାର, କପର ସ୍ମେଲଟର୍‌ ଓ ଇଭି ଉପକରଣ ଆଦି ଉତ୍ପାଦନ କରିବା ଲାଗି କାରଖାନା ସ୍ଥାପନ କରିବାକୁ ଘୋଷଣା କରିଥିଲା। କମ୍ପାନିର ଏହି ପ୍ରକଳ୍ପ ଲାଗି ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍‌କୁ ମଧ୍ୟ ରାଜ୍ୟ କ୍ୟାବିନେଟ୍ କମିଟି ବୈଠକରେ ମଞ୍ଜୁର କରାଯାଇଥିଲା। 

ତେବେ କମ୍ପାନି ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କ ସହ ସମାନ ଧରଣର ଏକ କାରଖାନା ସ୍ଥାପନ ଲାଗି ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପରେ ଓଡ଼ିଶାର ପ୍ରକଳ୍ପ ଆଉ ହେବନାହିଁ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସରକାର କିମ୍ବା କମ୍ପାନି କେହି ଏକଥାକୁ ସ୍ପଷ୍ଟ କରିନଥିଲେ। ଗତ ବିଧାନସଭା ଅଧିବେଶନରେ ମଧ୍ୟ ଏହି ପ୍ରକଳ୍ପର ଭାଗ୍ୟ ନେଇ ବିରୋଧୀ ଦଳ ବିଧାୟକମାନେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ରଖାଯାଇ ନଥିଲା।