ଜଗତସିଂହପୁର: ନୂଆ କରି ପାଦ ଥାପିବାକୁ ଯାଉଥିବା ଜେଏସ୍ଡବ୍ଲ୍ୟୁ ଶିଳ୍ପର ପାରାଦୀପରେ ଥିବା କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ପାରାଦୀପ ଭବନର ତୃତୀୟ ଓ ଚତୁର୍ଥ ମହାଲାରେ ଥିବା ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଟର୍ମିନାଲ କାର୍ଯ୍ୟାଳୟରେ ନିଯୁକ୍ତି ଦାବିରେ କେତେକ ଯୁବକ ଏମିତି କାଣ୍ତ କରିଛନ୍ତି। ବିଶେଷକରି ଟର୍ମିନାଲ କାର୍ଯ୍ୟାଳୟରେ ଅଧିକ ଭଙ୍ଗାରୁଜା ହୋଇଛି। ପୁଲିସ ଏହି ଘଟଣାରେ ୧୦ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି। ଭଙ୍ଗାରୁଜାରେ ସମ୍ପୃକ୍ତ ସମସ୍ତ ଯୁବକ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ଅଫ୍ ବିଜୁ ପଟ୍ଟନାୟକ ୟୁନିଭର୍ସିଟି (ସୋବୁ) ସଂଗଠନର ବୋଲି ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ଯୁବକମାନେ ଗତ ଅକ୍ଟେବାର ୧୫ ତାରିଖରେ ନିଯୁକ୍ତି ଦାବିରେ ଜେଏସ୍ଡବ୍ଲ୍ୟୁ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ। ପରେ ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧୀରଙ୍କ ଅଧ୍ୟକ୍ଷତାରେ କମ୍ପାନି କର୍ତ୍ତୃପକ୍ଷ ଏବଂ ପାରାଦୀପ ବନ୍ଦରର ଦୁଇ ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର ଓ ଭୁବନ ମୋହନ ଜେନାଙ୍କ ସହ ଏ ନେଇ ଆଲୋଚନା କରିବା ପରେ ଏହି ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ। ମାତ୍ର ଆଜି ହଠାତ୍ ଏହି ଯୁବକମାନେ ଜୋରଜବରଦସ୍ତ ଅଫିସ୍ରେ ପଶି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭଙ୍ଗାରୁଜା ଆରମ୍ଭ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ତୃତୀୟ ଓ ଚତୁର୍ଥ ମହଲାରେ ଥିବା କମ୍ପାନି କାର୍ଯ୍ୟାଳୟକୁ ଭାଙ୍ଗି ଚୁର୍ମାର କରି ଦେଇଥିଲେ। ଏହି ଯୁବକମାନେ ଏମିତି ତାଣ୍ତବ ଚଳାଇଥିଲେ ଯେ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କର୍ମଚାରୀ ଭୟରେ ଥରିବାକୁ ଲାଗିଥିଲେ। ପରେ ସେଠାରୁ ଏହି ଯୁବକମାନେ କମ୍ପାନି ବିରୋଧରେ ମାମଲା ଦାୟର କରିବା ପାଇଁ ପାରାଦୀପ ଆଦର୍ଶ ଥାନାରେ ପହଞ୍ଚିଥିଲେ। ଇତିମଧ୍ୟରେ ଅଫିସ୍ରେ ଭଙ୍ଗାରୁଜା କରାଯାଇଥିବା ସଂକ୍ରାନ୍ତରେ ପୁଲିସ ଖବର ପାଇ ତୁରନ୍ତ ଏହି ଯୁବକମାନଙ୍କୁ କାବୁ କରିବା ପାଇଁ ପ୍ରୟାସ କରିଥିଲା। ଫଳରେ ସେଠାରୁ ବହୁ ଯୁବକ ଦୌଡ଼ି ପଳାଇଥିଲେ। ମାତ୍ର ସେମାନଙ୍କ ମଧ୍ୟରୁ ପୁଲିସ ୧୦ ଜଣଙ୍କୁ ଥାନାରେ ଅଟକ ରଖିଥିଲା। ମାତ୍ର ପୁଲିସ ଭୟରେ ଦୌଡ଼ି ପଳାଇଥିବା ଯୁବକମାନେ ଥାନା ସାମ୍ନାରୁ ବାଇକ୍ ନେବା ପାଇଁ ସମୟ ପାଇ ନଥିଲେ। ଫଳରେ ପାଖାପାଖି ୧୫ଟି ବାଇକକୁ ପୁଲିସ ଥାନାକୁ ଉଠାଇ ଆଣିଛି। ଅନ୍ୟପଟେ ଏ ନେଇ ଜେଏସ୍ଡବ୍ଲ୍ୟୁ ଷ୍ଟିଲ ଓ ଟର୍ମିନାଲ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଛି। ଏହି ଦୁଇଟି କାର୍ଯ୍ୟାଳୟରେ ହୋଇଥିବା କ୍ଷୟକ୍ଷତି ୧୦ ଲକ୍ଷ ଟଙ୍କା ଟପିଯିବ ବୋଲି ଅଭିଯୋଗ ହୋଇଛି। ତେବେ, ଯୁବକମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ ପ୍ରଥମେ ଜେଏସ୍ଡବ୍ଲ୍ୟୁ ଅଧିକାରୀମାନେ ସେମାନଙ୍କୁ ଧକ୍କା ମାରିଥିଲେ। ଏପଟେ ପୁଲିସ ମଧ୍ୟ ସେମାନଙ୍କୁ ସହଯୋଗ କରିବାକୁ ଯାଇ ଏମିତି ପଦକ୍ଷେପ ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପାରାଦୀପରେ ଜେଏସ୍ଡବ୍ଲ୍ୟୁକୁ ଚମକାଇବା ପାଇଁ ଏମିତି ପଦକ୍ଷେପ ନିଆଯାଇଥିବା ନେଇ ଚର୍ଚ୍ଚା ଚାଲିଛି। ଏହି ଶିଳ୍ପ ଆରମ୍ଭ ନ ହେଉଣୁ ଏକାଧିକ ଶ୍ରମିକ ସଂଘ ଗଢ଼ି ଉଠିଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। କେଉଁ ଢଙ୍ଗରେ ଏହି ପ୍ରକଳ୍ପକୁ ଲୁଟିବେ, ସେ ନେଇ ମଧ୍ୟ ଯୋଜନା କରିସାରଛନ୍ତି। ଆଜି ଏପରି ଢଙ୍ଗରେ ଅଫିସ୍ରେ ଭଙ୍ଗାରୁଜା ପରେ ଜେଏସ୍ଡବ୍ଲ୍ୟୁ କର୍ମଚାରୀ ଭୟଭୀତ ହୋଇଯାଇଛନ୍ତି। ଅନ୍ୟପଟେ ଦୁର୍ଘଟଣାରେ ସମ୍ପୃକ୍ତ କୁହାଯାଉଥିବା ସଂଗଠନ ପଛରେ ବିଜେପି ରହିଥିବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁ।
ଏ ସମ୍ପର୍କରେ ଜେଏସ୍ଡବ୍ଲ୍ୟୁ ମାନବ ସମ୍ବଳ ବିଭାଗର ଅଧିକାରୀ ରଜତ ନାୟକ କହିଛନ୍ତି ଯେ, ଗତ ଅକ୍ଟୋବର ମାସରେ କିଛି ଯୁବ ପହଞ୍ଚି ଚାକିରି ପ୍ରସଙ୍ଗ ଉଠାଇଥିଲେ। ପର୍ଯ୍ୟାୟ କ୍ରମେ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯିବ ବୋଲି କମ୍ପାନି ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତା’ ସତ୍ତ୍ବେ ହଠାତ୍ ଆସି ସେମାନେ ଗଣ୍ଡଗୋଳ କରିଛନ୍ତି। ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/f56h4f65h7f46h54f5h14sfhhhhhhhhhhhhhhhhh.jpg)