ଭୁବନେଶ୍ବର/ଅନୁଗୁଳ: ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ‌ପୋସ୍କୋ ଓଡ଼ିଶ‌ାରେ ଇସ୍ପାତ କାରଖାନା ବସାଇବା ପାଇଁ ୨୦୦୫ର ସ୍ବପ୍ନକୁ ଭୁଲି ପାରୁନାହିଁ। ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ସହ ମିଶି କମ୍ପାନି ରାଜ୍ୟରେ ଏକ ବାର୍ଷିକ ୬ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ପୁଣି ଥରେ ଉଦ୍ୟମ ଆରମ୍ଭ କରିଛି। ଏନେଇ ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ର ସିଇଓ ଜୟନ୍ତ ଆଚାର୍ଯ୍ୟ ଓ ପୋସ୍କୋ ହୋଲ୍‌ଡିଂସ୍‌ର ସଭାପତି ଲି ଜୁ-ଟାଏ ଏକ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ଉଭୟ ପୋସ୍କୋ ଓ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକଳ୍ପ ଲାଗି ଓଡ଼ିଶାକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଉଛି। 

ସମ୍ଭବତଃ କେନ୍ଦୁଝରରେ ହେବ: ଶିଳ୍ପମନ୍ତ୍ରୀ
୮୦ ହଜାର କୋଟିର ନିବେଶ ଯୋଜନା

Advertisment

ଅନୁଗୁଳ ଗସ୍ତରେ ଥିବା ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଆଜି କହିଛନ୍ତି ଯେ ସମ୍ଭବତଃ ଦୁଇ କମ୍ପାନି ମିଶି ଏହି ପ୍ରକଳ୍ପକୁ କେନ୍ଦୁଝରରେ ସ୍ଥାପନ କରିବେ। ୨୦୨୪ ଅକ୍ଟୋବରରେ ଏକ ୫ ନିୟୁତ ଟନ୍ ବିଶିଷ୍ଟ ଇସ୍ପାତ କାରଖାନା ବସାଇବା ଲାଗି ଉଭୟ କମ୍ପାନି ପରସ୍ପର ସହ ହାତ ମିଳାଇଥିଲେ। ସେହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ସ୍ଥାପନ କରାଯିବ। ଖୁବ୍‌ଶୀଘ୍ର ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ଆରମ୍ଭ ‌ହେବ ବୋଲି ନିକଟରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଏହି ପ୍ରକଳ୍ପ ନେଇ ଜେଏସ୍‌ଡବ୍ଲ୍ୟୁ ଓ ରାଜ୍ୟ ସରକାରଙ୍କ ଭିତରେ ଏକ ବୁଝାମଣାପତ୍ର ମଧ୍ୟ ସ୍ବାକ୍ଷର ହୋଇଥିଲା। ତେବେ କୁହାଯାଉଛି ଯେ ଗତବର୍ଷ ଘୋଷଣା ହୋଇଥିବା ଏହି ପ୍ରକଳ୍ପର କ୍ଷମତାକୁ ୨୦ ପ୍ରତିଶତ ବଢ଼ାଇ ୬ ନିୟୁତ ଟନ୍ କରାଯିବ। ପୂର୍ବ ପ୍ରକଳ୍ପରେ ୪୦ ହଜାର କୋଟିରୁ ୬୫ ହଜାର କୋଟି ଟଙ୍କା ନିବେଶ କରିବା ଯୋଜନା ଥିଲା। କିନ୍ତୁ ଆଜି ଘୋଷଣା ହୋଇଥିବା ପ୍ରକଳ୍ପରେ ୮୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ହେବ। ଚଳିତ ବର୍ଷ ଏପ୍ରିଲ୍‌-ସେପ୍ଟେମ୍ବର ମଧ୍ୟରେ କମ୍ପାନି ଯେଉଁ ୯୦୦ ଏକର ଜମି ଅଧିଗ୍ରହଣ କରିଛି, ସେହିଠାରେ ନୂଆ ପ୍ରକଳ୍ପ ସ୍ଥାପନ କରାଯିବ। ଏକ ବିଶ୍ବସ୍ତ ସୂତ୍ରରୁ ଏହି ସୂଚନା ମିଳିଛି। 

୨୦୦୫ରେ ପୋସ୍କୋ ୧୨୦୦ କୋଟି ଡଲାର ନିବେଶରେ ଜଗତସିଂହପୁରରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। ସେହି ସମୟରେ ପୋସ୍କୋକୁ ଖଣ୍ଡାଧାର ଖଣି ଦିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖଣି ଆବଣ୍ଟନ ଢାଞ୍ଚା ବଦଳିଯିବାରୁ କମ୍ପାନି ସେହି ଖଣି ପାଇପାରିନଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନଙ୍କ ପ୍ରବଳ ବିରୋଧ କାରଣରୁ ଜମି ଅଧିଗ୍ରହଣ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନଥିଲା। ବହୁଦିନ ଉଦ୍ୟମ କରିବା ପରେ ଶେଷରେ ୨୦୧୭ରେ କମ୍ପାନି ଓଡ଼ିଶା ପ୍ରକଳ୍ପରୁ ଓହରିଯାଇଥିଲା। ୨୦୨୨ରେ ପୋସ୍କୋ ପୁଣି ଥରେ ଭାରତରେ କାରଖାନା ସ୍ଥାପନ କରିବା ଉଦ୍ୟମ କରିଥିଲା। ପ୍ରଥମେ ଏହା ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ହାତ ଧରିଥିଲା। କିନ୍ତୁ ପ୍ରକଳ୍ପ ସଫଳତା ସମ୍ଭାବନାକୁ ବଢ଼ାଇବା ଲାଗି ଏହା ଜେଏସ୍‌ଡବ୍ଲ୍ୟୁକୁ ନିଜର ସହଯୋଗୀ ଭାବେ ଚୟନ କରିଥିଲା।