ଭୁବନେଶ୍ବର: ଓଡ଼ିଶାର ଜଗତ୍‌ସିଂହପୁରରେ ୫୨ ହଜାର କୋଟି ଟଙ୍କା ନିବେଶ କରି ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବାରେ ବିଫଳ ହେବା ପରେ ରାଜ୍ୟ ଛାଡ଼ି ଚାଲିଯାଇଥିବା ଦକ୍ଷିଣ କୋରିଆର ଇସ୍ପାତ କମ୍ପାନି ‘ପୋସ୍କୋ’ ପୁଣି ଥରେ ଫେରିବା ଆଶା ଉଜ୍ଜୀବିତ ହୋଇଛି। କମ୍ପାନି ପକ୍ଷରୁ ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲୁ ଷ୍ଟିଲ୍ ସହିତ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରାଯିବା ପରେ ପୋସ୍କୋକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଏହି ବୁଝାମଣା ହୋଇଛି। କିନ୍ତୁ କେଉଁ ସ୍ଥାନରେ ଏହି ପ୍ରକଳ୍ପ ସ୍ଥାପିତ ହେବ ତାହା ସ୍ପଷ୍ଟ ହୋଇ ନ ଥିଲେ ବି ଏହି ବୁଝାମଣା ଜେଏସ୍‌ଡବ୍ଲୁର ଓଡ଼ିଶା ପ୍ରକଳ୍ପ ସମ୍ପର୍କିତ ହୋଇପାରେ ବୋଲି ଅନୁମାନ କରାଯାଉଛି।

Advertisment

‌ଜଗତସିଂହପୁରର ଯେଉଁ ସ୍ଥାନରେ ଇସ୍ପାତ କାରଖାନା ବସାଇବା ଲାଗି ‘ପୋସ୍କୋ’ ଉଦ୍ୟମ କରୁଥିଲା, ସେହି ଜମି ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ଦିଆଯାଇଛି। କମ୍ପାନି ସେଠାରେ କାରଖାନା ସ୍ଥାପନ କରିବା ଲାଗି ଉଦ୍ୟମ କରୁଥିବା ବେଳେ ‘ପୋସ୍କୋ’ ସହିତ ବୁଝାମଣା କରିବା ଆଲୋଚନାକୁ ଖୋରାକ ଯୋଗାଇଛି। ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଲୋକମାନଙ୍କ ପ୍ରବଳ ବିରୋଧ କାରଣରୁ ପୋ‌ସ୍କୋ ଏହି ପ୍ରକଳ୍ପ ସ୍ଥାପନ କରିପାରିନଥିଲା। ନିର୍ଧାରିତ ସମୟରୁ ୧୨ ବର୍ଷ ବିଳମ୍ବ ହେବା ପରେ ମଧ୍ୟ ପୋସ୍କୋ ପ୍ରକଳ୍ପ ଆଗକୁ ବଢ଼ିପାରିନଥିଲା।

ମୁମ୍ବାଇଠାରେ ଜେଏସ୍‌ଡବ୍ଲୁ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଓ ପୋସ୍କୋର ଅଧ୍ୟକ୍ଷ ଚାଙ୍ଗ-ଇନ୍ ହ୍ବାଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏକ ପାଞ୍ଚ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବା ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ। ଜେଏସ୍‌ଡବ୍ଲୁ ଓ ପୋସ୍କୋ ମଧ୍ୟରେ ହୋଇଥିବା ବୁଝାମଣା ଦୁଇଟି ବିଷୟକୁ ନେଇ ହୋଇଛି। ଗୋଟିଏ ନୂଆ ଇସ୍ପାତ କାରଖାନା ସମ୍ପର୍କିତ ହୋଇଥିବା ବେଳେ ଅନ୍ୟଟି ଇଲେକ୍ଟ୍ରିକ୍ ଯାନ ସମ୍ପର୍କିତ। ଏହି ଦୁଇ କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଜେଏସ୍‌ଡବ୍ଲୁ ଗ୍ରୁପ୍ ଘୋଷଣା କରିଛି। ତେଣୁ ଏହି ବୁଝାମଣା ଓଡ଼ିଶା ପ୍ରକଳ୍ପ ଲାଗି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

୨୦୦୫ରେ ଏମ୍‌ଓୟୁ କରିଥିଲା
୨୦୧୭ ମାର୍ଚ୍ଚରେ ଓହରିଯାଇଥିଲା

ଚଳିତ ବର୍ଷ ଫେବ୍ରୁଆରିରେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ପକ୍ଷରୁ ଏହାର ଇସ୍ପାତ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା। କମ୍ପାନି ଏହି ପ୍ରକଳ୍ପରେ ୬୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୦ ହଜାର ପ୍ରତ୍ୟକ୍ଷ ଓ ପ‌ରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନ୍ୟପକ୍ଷରେ, ରାଜ୍ୟର କଟକ ଓ ପାରାଦୀପରେ ୪୦ ହଜାର କୋଟି ଟଙ୍କା ନିବେଶରେ ଏକ ସମନ୍ବିତ ଇଲେକ୍ଟ୍ରିକ୍ ଯାନ (ଇଭି) ଓ ବ୍ୟାଟେରି ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ମଧ୍ୟ ଜେଏସ୍‌ଡବ୍ଲୁ ଘୋଷଣା କରିଛି। 

ଓଡ଼ିଶାରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ୨୦୦୫ ଜୁନ୍‌ରେ ପୋସ୍କୋ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିଲା। କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଅଞ୍ଚଳରେ କମ୍ପାନିକୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ୨୦୦୫ରେ ସ୍ବାକ୍ଷର ହୋଇଥିବା ଏମ୍‌ଓୟୁର ଅବଧି ୨୦୧୧ ଜୁନ୍ ଶେଷ ଶେଷ ହୋଇଯାଇଥିଲା। ୨୦୧୨ ଏପ୍ରିଲ୍ ପର୍ଯ୍ୟନ୍ତ କମ୍ପାନି ତାହାର ନବୀକରଣ କରିନଥିଲା। କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୪୦୦୦ ଏକର ଜମି ମାଗିଥିଲା। ଜମି ଅଧିଗ୍ରହଣ ହୋଇ ନ ପାରିବାରୁ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରି ମଧ୍ୟ ମିଳିପାରିନଥିଲା। କମ୍ପାନି ଭୁବନେଶ୍ବରର ଫର୍ଚୁନ୍ ଟାୱାରରେ ଏହାର କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲା। ଜଗତସିଂହପୁରର ପ୍ରକଳ୍ପ ଅଞ୍ଚଳରେ ମଧ୍ୟ କାର୍ଯ୍ୟର ତଦାରଖ କରିବା ଲାଗି କର୍ମଚାରୀ ନିୟୋଜିତ କରିଥିଲା। ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ମଧ୍ୟ ପୋସ୍କୋ ଚାହିରହିଥିଲା। ଗୋଟିଏ ପଟେ ଜମି ମିଳିବାରେ ଅସୁବିଧା ଏବଂ ଅନ୍ୟପଟେ ଖଣି ନ ମିଳିବାରୁ ବାଧ୍ୟ ହୋଇ କମ୍ପାନି ୨୦୧୭ ମାର୍ଚ୍ଚରେ ଏହି ପ୍ରକଳ୍ପରୁ ଓହରିଯାଇଥିଲା।