ଭୁବନେଶ୍ୱର : ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଥିବା ଜିଏମଆର କମଳାଙ୍ଗ ତାପଜ ବିଦ୍ୟୁତ ପ୍ରକଳ୍ପ ଅଧିଗ୍ରହଣ ଚୁକ୍ତିକୁ ବାତିଲ କରିଛି ଜେଏସଡବ୍ଲୁ ଏନର୍ଜି । କରୋନା ମହାମାରୀ ଯୋଗୁଁ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ଡିଲରୁ ଓହରିବାକୁ କମ୍ପାନି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଏହାପରେ କ୍ଷତିରେ ଚଲୁଥିବା ଏହି ପ୍ଲାଣ୍ଟର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ।
ଢେଙ୍କାନାଳ ଜିଲ୍ଲାରେ ଥିବା ୧୦୫୦ ମେଗାଓ୍ୱାଟ କ୍ଷମତା ସଂପନ୍ନ ଜିଏମଆର କମଳାଙ୍ଗ ତାପଜ ବିଦ୍ୟୁତ ପ୍ରକଳ୍ପକୁ ୫୩୨୧ କୋଟି ଟଙ୍କା ବିନିମୟରେ ଅଧିଗ୍ରହଣ କରିବା ସଂପର୍କରେ ଗତ ଫେବ୍ରୁଆରି ମାସରେ ଜେଏସଡବ୍ଲୁ ଏନର୍ଜି ଘୋଷଣା କରିଥିଲା । ଏହି ଅଧିଗ୍ରହଣ ସଂପୂର୍ଣ ହୋଇଥିଲେ ଜିଏମଆର ନିଜର ଋଣ ହ୍ରାସ କରିପାରିଥାନ୍ତା ଓ ଜେଏସଡବ୍ଲୁ ମଧ୍ୟ ଓଡ଼ିଶାରେ ନିଜସ୍ଥିତିକୁ ସୁଦୃଢ କରିପାରିଥାନ୍ତା ।
ବର୍ତ୍ତମାନ ବଜାରରେ ଅନିଶ୍ଚିତତା ଲାଗି ରହିଥିବାରୁ ଏହି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି ବୋଲି ଜେଏସଡବ୍ଲୁ ଏନର୍ଜି ସିଇଓ ପ୍ରଶାନ୍ତ ଜୈନ ଗତ ମେ ମାସରେ କହିଥିଲେ । କରୋନା ଭାଇରସ ଓ ଲକଡାଉନ ପରିସ୍ଥିତି ଯୋଗୁଁ ଏବେ ବଜାରରୁ ଅର୍ଥ ଉଠାଇବା ସମ୍ଭବ ନୁହେଁ । ଏଣୁ ଅଧିଗ୍ରହଣ ପାଇଁ ଅର୍ଥ ଯୋଗାଡ଼ କଷ୍ଟକର ହୋଇପଡ଼ିବ ବୋଲି ସେ କହିଥିଲେ ।
କେବଳ ଜିଏମଆର କମଳାଙ୍ଗ ନୁହେଁ, ଓଡ଼ିଶାରେ ଥିବା ଆଉ ଏକ ତାପଜ ବିଦ୍ୟୁତ ପ୍ରକଳ୍ପ ଇଣ୍ଡ ବରାଥକୁ ମଧ୍ୟ ଅଧିଗ୍ରହଣ କରିବାକୁ ଜେଏସଡବ୍ଲୁ ଚୁକ୍ତି କରିଥିଲେ ମଧ୍ୟ ତାହା ମଧ୍ୟ ଏ ପର୍ଯ୍ୟନ୍ତ ଅନିଶ୍ଚିତତା ମଧ୍ୟରେ ରହିଛି ।