ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ଆଲୋଚନା, ଓଡ଼ିଶାରେ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ

ଭୁବନେଶ୍ୱର : ଜେଏସଡବ୍ଲୁ ଷ୍ଟିଲ ଆସନ୍ତା ୧୦ ବର୍ଷରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିର ପୁଞ୍ଜି ନିବେଶ କରିବାକୁ ଯୋଜନା କରୁଛି ବୋଲି ଏହାର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ପରେ ସେ କହିଛନ୍ତି ଯେ ରାଜ୍ୟରେ କମ୍ପାନିର ଇସ୍ପାତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ କମ୍ପାନି ନିଜର ଖଣିଗୁଡ଼ିକରୁ ଖନନ କାର୍ଯ୍ୟ ଆରମ୍ଭ କରିଦେଇଛି । ଏହାଛଡ଼ା କମ୍ପାନି ସମ୍ବଲପୁର ଆଇଆଇଏମ ସହ ମିଶି ଏକ ସେଣ୍ଟର ଫର ଡେଭେଲପମେଣ୍ଟ ଷ୍ଟଡିଜ ଆରମ୍ଭ କରିବାକୁ ଯାଉଛି ।

ଏହି ଇସ୍ପାତ ପ୍ରକଳ୍ପକୁ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏଣୁ ଯଥାଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଜିନ୍ଦଲଙ୍କୁ କହିଛନ୍ତି । ଓଡ଼ିଶାରେ ଉପଲବ୍ଧ ସମ୍ବଳର ସର୍ବୋତ୍ତମ ମୂଲ୍ୟ ସଂଯୁକ୍ତ କରିବା ସହ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ସଜ୍ଜନ ଜିନ୍ଦଲଙ୍କ ସହ ହୋଇଥିବା ଭିଡିଓ ବାର୍ତ୍ତାକୁ ଟୁଇଟ କରିଛନ୍ତି।

ଜେଏସଡବ୍ଲୁ ଷ୍ଟିଲ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପାରାଦୀପ ନିକଟରେ ଏକ ୧୩.୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ନିର୍ମାଣ କରୁଛି । ଗତ ଫେବ୍ରୁଆରି ମାସରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଖଣି ନିଲାମରେ କମ୍ପାନି ୪ଟି ଖଣି ହାସଲ କରିଛି ।

ସମ୍ବନ୍ଧିତ ଖବର