ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ସୁଦୂର ଯାଜପୁର ଜିଲ୍ଲାରୁ ପ୍ରାୟ ଦଶ ଜଣ ମହିଳା ଓ ପୁରୁଷ ପୁରୀ ଆସିଥିଲେ। ଆଜି ରଜସଂକ୍ରାନ୍ତି ହୋଇଥିବାରୁ ଏଠାରେ ପ୍ରବଳ ଭିଡ଼ ରହିଥିଲା। ଏଭଳି ପରିସ୍ଥିତିରେ ଦୋଳମଣ୍ଡପସାହି ପଟେ ଥିବା ବ୍ୟାରିକେଡ୍ ଦେଇ ଏହି ଭକ୍ତମାନେ ଶ୍ରୀମନ୍ଦିରକୁ ଯିବାପାଇଁ ଉଦ୍ୟମ କରିବା ସମୟରେ ଜେଟିପି ସହିତ ହାତାହାତି ହୋଇଥିଲା। ଏହି ହାତାହାତିରେ ଜଣେ ଜେଟିପିଙ୍କ ପୋଷାକ ଚିରିଯାଇଥିବା ବେଳେ ଦଶ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପରିବର୍ତ୍ତେ ଥାନାରେ ଭୋକଉପାସରେ ଅଟକ ରହିଥିଲେ। ଏଭଳି ପରିସ୍ଥିତିରେ ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ଯାଜପୁର ଜିଲ୍ଲାରୁ ପ୍ରାୟ ୧୦ ଜଣ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀକୁ ଆସିଥିଲେ। ତେବେ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଯିବାପାଇଁ ଲମ୍ବାଧାଡ଼ି ଦେଖି ସେମାନେ ଦୋଳମଣ୍ଡପସାହି ପଟକୁ ଥିବା ବ୍ୟାରିକେଡ୍ ପ୍ରବେଶ ପଥ ଦେଇ ଶ୍ରୀମନ୍ଦିରକୁ ଯିବାକୁ ଚାହିଥିଲେ। ମାତ୍ର ଏଠାରେ ଥିବା ପୁଲିସ, ଜେଟିପି ଓ ସେବାୟତ ସେମାନଙ୍କୁ ଏହି ରାସ୍ତାରେ ଛାଡ଼ିନଥିଲେ। ଏହି ସମୟରେ କିଛି ଭିଆଇପି ଭକ୍ତ ଏହି ବାଟ ଦେଇ ଶ୍ରୀମନ୍ଦିରକୁ ଯାଉଥିବାର ଦେଖି ଯାଜପୁର ପାଣିକୋଇଲି ଅଞ୍ଚଳର ସନ୍ଧ୍ୟାରାଣୀ ବିଶ୍ବାଳ ଓ ଅନ୍ୟମାନେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ସେଠାରେ ଡ୍ୟୁଟିରେ ଥିବା ଜେଟିପି ଲକ୍ଷ୍ମୀଧର ଉପାଧ୍ୟାୟ ସେମାନଙ୍କୁ ଅଟକାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଠେଲାପେଲା ହେବାରୁ ଏଥିରେ ଲକ୍ଷ୍ମୀଧରଙ୍କ ପୋଷାକ ଚିରିଯାଇଥିଲା। ଅପରପକ୍ଷେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ସେ ଆହତ ହୋଇଥିଲେ। ଅନ୍ୟପଟେ ଏହି ଶ୍ରଦ୍ଧାଳୁମାନେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ସିଂହଦ୍ବାର ଥାନାକୁ ଯାଇଥିବା ବେଳେ ଉଭୟ ପରସ୍ପରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଫଳରେ ବହୁ ସମୟ ଧରି ସନ୍ଧ୍ୟାରାଣୀଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ଥାନାରେ ଅଟକ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jagannath-temple-the-financial-express.jpg)