ଆଇଜିଏଚ୍‌, ଦ୍ୱିତୀୟ ବ୍ରାହ୍ମଣୀ ସେତୁ ରାଜନୀତି : ମୁକ୍ତିକାନ୍ତଙ୍କୁ ନିରାଶ କଲେ ଜୁଏଲ୍‌

ରାଉରକେଲା : ଗତ ଏପ୍ରିଲ୍‌ ୧୬ ତାରିଖରୁ ପଦଯାତ୍ରାରେ ବାହାରି ନୂଆଦିଲ୍ଲୀଠାରେ ପହଞ୍ଚଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ନିରାଶ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟେଇବା ତାଙ୍କ କ୍ଷମତାରେ ନାହିଁ ବୋଲି ନାସ୍ତିବାଣୀ ଶୁଣାଇଛନ୍ତି। ଫଳରେ, ମୁକ୍ତିକାନ୍ତ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ୩ ଦିନ ଧରି ଉଦ୍ୟମ କରିବେ, ନଚେତ୍‌ ଦିଲ୍ଲୀର ଯନ୍ତରମନ୍ତର କିମ୍ବା ଅନ୍ୟ କୌଣସି ସ୍ଥାନରେ ଧାରଣାରେ ବସିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌)କୁ ସୁପର ସ୍ପେଶାଲିଟି ହସ୍ପିଟାଲ ଓ ମେଡ଼ିକାଲ୍‌ କଲେଜରେ ରୂପାନ୍ତର ଓ ୬ ଲେନ୍‌ ବିଶିଷ୍ଟ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଏଠାରେ ୩ ବର୍ଷ ତଳେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇବା ଲକ୍ଷ୍ୟରେ ଗତ ଏପ୍ରିଲ୍‌ ୧୬ରେ ରାଉରକେଲାରୁ ଦିଲ୍ଲୀ ପଦଯାତ୍ରା ଆରମ୍ଭ କରିଥିଲେ ମୁକ୍ତିକାନ୍ତ। ଓଡ଼ିଶାରୁ ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ ଓ ହରିଆଣା ଦେଇ ଆଜି ୭୧ ଦିନରେ ସେ ଦିଲ୍ଲୀ ପହଞ୍ଚିବା ପରେ ଅପରାହ୍ନ ୨ଟା ୩୦ରେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ଭେଟି ଉପରୋକ୍ତ ଦାବି ପୂରଣ ପାଇଁ ଆଲୋଚନା କରିବା ସହ ସ୍ମାରକପତ୍ର ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ସାହାଯ୍ୟ କରିବାକୁ ମୁକ୍ତିକାନ୍ତ ଜୁଏଲଙ୍କୁ ଅନୁରୋଧ କରି ଶେଷରେ ନିରାଶ ହୋଇଛନ୍ତି। ନାସ୍ତିବାଣୀ ଶୁଣାଇ ଜୁଏଲ୍‌ ତାଙ୍କୁ କହିଥିଲେ, ‘‘ତମ ପଛରେ ରାହୁଲ ଗାନ୍ଧି ଓ କଂଗ୍ରେସର ହାତ ରହିଛି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରାଇଦେବା କ୍ଷମତା ତାଙ୍କର ନାହିଁ’’। ଅପର ପକ୍ଷରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ନିର୍ମାଣ ଓ ଆଇଜିଏଚ୍‌ରେ ସୁପର ସ୍ପେଶାଲିଟି ସେବା ପାଇଁ ଇତିମଧ୍ୟରେ କାମ ଆରମ୍ଭ ହୋଇଥିବାରୁ ସେ ପଦଯାତ୍ରାରେ ଦିଲ୍ଲୀ ଆସିବା ଆବଶ୍ୟକ ନଥିଲା ବୋଲି କହି ମୁକ୍ତିକାନ୍ତଙ୍କୁ ଅନୁରୋଧକୁ ଜୁଏଲ୍‌ ଅଗ୍ରାହ୍ୟ କରିଥିଲେ।

ଜୁଏଲ୍‌ଙ୍କଠାରୁ ସାହାଯ୍ୟ ପାଇବାର ଆଶା ହରାଇ ମୁକ୍ତିକାନ୍ତ ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ଯୁବକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ସାକ୍ଷାତ ପାଇଁ ଅନୁମତି ମାଗିଥିଲେ। କାର୍ଯ୍ୟାଳୟର ଅଧିକାରୀମାନେ ତାଙ୍କୁ ଜଣାିଥିଳେ ଯେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ନିମନ୍ତେ ଅନୁମତି ପାଇବାକୁ ନିହାତି ୧୫ରୁ ୨୦ ଦିନ ସମୟ ଲାଗିବ; ପୁଣି ପ୍ରଧାନମନ୍ତ୍ରୀ ଚାହିଁଲେ ତାହା ସମ୍ଭବ। ସେଠାରୁ ଫେରି ମୁକ୍ତିକାନ୍ତ ହଜ୍‌ଖସ୍‌ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ସେଠାରୁ ସେ ଲଗାତର ୩ ଦିନ ଧରି ପ୍ରଧାନମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ତାଙ୍କୁ ଭେଟିବା ପାଇଁ ଅନୁରୋଧ କରିବେ। ଯଦି ତାହା ସମ୍ଭବ ନହୁଏ, ତେବେ ସେ ଦିଲ୍ଲୀରେ ଧାରଣାରେ ବସିବେ ବୋଲି କହିଛନ୍ତି।

ବିଜେପିରେ ବୟାନ୍‌ବାଜି : ଦିଲୀପଙ୍କ ମନ୍ତବ୍ୟକୁ ବିରୋଧ

ରାଉରକେଲା : ରାଉରକଲାରେ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ୍‌) ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ବିଜେପି ଭିତରେ ବୟାନ୍‌ବାଜି ଜାରି ରହିଛି। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଦିଲୀପ ରାୟ ଦେଇଥିବା ମନ୍ତବ୍ୟକୁ ଦଳର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିଛି।

ବିଧାୟକ ଶ୍ରୀ ରାୟ ଏହି ପ୍ରସଙ୍ଗରେ ବିଭିନ୍ନ ସମୟରେ ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ସରକାର ତଥା ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି ଆସୁଛନ୍ତି। ତେବେ, ଏତେ ଦିନ ଯାଏ ଚୁପ୍‌ ରହିଥିବା ସୁନ୍ଦରଗଡ଼ ଜିଲ୍ଲା ବିଜେପିର ମିଡ଼ିଆ ସେଲ୍‌ ଆଜି ପ୍ରଥମ ଥର ପାଇଁ ଦିଲୀପଙ୍କ ବିବୃତିକୁ ଆନୁଷ୍ଠାନିକ ଭାବେ ନାପସନ୍ଦ କରିଛି।

ଏକ ପ୍ରେସ ବିବୃତିରେ ଦଳର ରାଜ୍ୟ ସମ୍ପାଦକ ତଥା ମିଡିଆ ସେଲ ପ୍ରମୁଖ ଧିରେନ ସେନାପତି କହିଛନ୍ତି, ଦିଲୀପଙ୍କ ବିବୃତି ରାଜ୍ୟରେ କ୍ଷମତାସୀନ ବିଜେଡ଼ି ସରକାର ଓ ବିରୋଧୀ ଦଳ କଂଗ୍ରେସର ଶସ୍ତା ରାଜନୀତିକୁ ସୁହାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାବାସୀଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିଲେ ମଧ୍ୟ ଦିଲୀପ ତାଙ୍କୁ ସମାଲୋଚନା କରୁନାହାନ୍ତି। ବ୍ରାହ୍ମଣୀ ସେତୁର କାମ ଆରମ୍ଭ ହେବା ପରେ ସେ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସେନାପତି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର