ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’କୁ ଜୁଏଲଙ୍କ ସମର୍ଥନ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ ନିଷ୍ପତ୍ତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ଠାରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠାକୁ ନେଇ ମୂଳରୁ ନକାରାତ୍ମକ ଟିପ୍ପଣୀ ଦେଇଥିବା ସାଂସଦ ଜୁଏଲ ଓରାମ ଆଜି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସୁନ୍ଦରଗଡ଼ର ‘ମିସନ ଏମ୍ସ’ର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏକ ସ୍ମାରକପତ୍ର ଦେବା ସହ ଏ ସଂକ୍ରାନ୍ତରେ ଆଲୋଚନା କରିବା ପରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠାକୁ ସେ କେବେ ବିରୋଧ କରି ନଥିବା ଓ ଏଥିପାଇଁ ପୂର୍ଣ୍ଣ ସମର୍ଥନ ରହିଥିବା ପ୍ରକାଶ କରିଥିଲେ।

ସୁନ୍ଦରଗଡ଼ରେ ଏମ୍ସ ସ୍ଥାପନ ହେଲେ ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣ କଟକ-ଭୁବନେଶ୍ବର ଯିବା ପରିବର୍ତ୍ତେ ନିଜ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ସେ ପ୍ରକାଶ କରିଥିଲେ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ଗତ ୨୦୨୦ ନଭେମ୍ବରରେ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପରେ ସୁନ୍ଦରଗଡ଼ରେ ଏମ୍ସ ସମ୍ଭବ ନୁହେଁ କହି ସେତେବେଳେ ଏହାକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ ସାଂସଦ ଜୁଏଲ ଓରାମ। ଏହା ସହ ‘ଏନଟିପିସି ସହ ଚୁକ୍ତିନାମା ସ୍ବାକ୍ଷର କରିଥିବା ରାଜ୍ୟ ସରକାର ପ୍ରଥମେ ନିଜକୁ ଅପାରଗ ଘୋଷଣା କରି ଚୁକ୍ତିନାମା ପ୍ରତ୍ୟାହାର କଲେ ଆମେ ଏମ୍ସ କଥା ଚିନ୍ତା କରିବୁ’ ବୋଲି କହିଥିଲେ ଜୁଏଲ। ଯାହା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଆଜି ସୁନ୍ଦରଗଡ ପ୍ରଦିକ୍ଷଣ ଗୃହ ଠାରେ ‘ମିଶନ ଏମ୍ସ ସୁନ୍ଦରଗଡ଼’ ଟିମ ଅଧ୍ୟକ୍ଷ ଡ. ଦିଲୀପ ମିଶ୍ରଙ୍କ ନେତୃତ୍ବରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ସାକ୍ଷାତ କରି ସୁନ୍ଦରଗଡ଼ଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ଠାରେ ସାଂସଦ ଶ୍ରୀ ଓରାମଙ୍କ ସମର୍ଥନ ଓ ସହଯୋଗ କାମନା କରିଥିଲେ। ଏହା ପରେ ସାଂସଦ ନିଜ ସମର୍ଥନ ପ୍ରକାଶ କରି ତାଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କୁ ମିସନ ଏମ୍ସ ଟିମ୍ ଭେଟି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଅନୁରୋଧ କରାଯିବ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଏମ୍ସ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ ବୋଲି କହିଥିଲେ। ଏହି ଅବସରରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ସ୍ଥିର କରିବାକୁ ଦାୟିତ୍ବ ପ୍ରଦାନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ନାଗରିକ କମିଟି ସଭାପତି ଅଶୋକ କୁମାର ଦାସ, ବରିଷ୍ଠ ଆଇନଜୀବୀ ନିମାଇଁ ଚରଣ ନାଏକ, ଜିଲ୍ଲା କଂଗ୍ରେସ ସଭାପତି ବେଣୁମାଧବ ତ୍ରିପାଠୀ, ପୂର୍ବତନ ତଲସରା ବିଧାୟକ ପ୍ରଫୁଲ୍ଲ କୁମାର ମାଝି, ବରିଷ୍ଠ ବିଜେଡି ନେତା ହରଜେନ୍ଦ୍ର ସିଂ, ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ପୁର୍ବତନ ସଭାପତି ଭବାନି ମାଝି, ସମାଜସେବୀ ସୁରୁ ମିଶ୍ର, ବିଜେଡି ନେତା ସନ୍ତୋଷ ଅମାତ, ସ୍ବତନ୍ତ୍ର ବିକାଶ ପରିଷଦ ଆବାହକ ଦିଲୀପ ପଟେଲ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଜୟ ପଟେଲ, ପୂର୍ବତନ ଶିକ୍ଷାବିତ ଚିରବ୍ରତ ଦତ୍ତ, ନାଗରିକ କମିଟି କାର୍ଯ୍ୟକାରୀ ସଭାପତି ସିଦ୍ଧାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର