ମୋଦୀଙ୍କ ଗସ୍ତ ପ୍ରସ୍ତୁତି ସମୀକ୍ଷା କଲେ ଧର୍ମେନ୍ଦ୍ର ଓ ଜୁଏଲ

ଝାରସୁଗୁଡ଼ା : ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ତଦାରଖ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ। ଉଭୟ କେନ୍ଦ୍ରମନ୍ତ୍ରୀ ଆଜି ଝାରସୁଗୁଡ଼ା ଗସ୍ତରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଥିଲେ।

ଏଥିସହ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଥିବାରୁ ଉଭୟ ମନ୍ତ୍ରୀ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯାଇ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହାପରେ ଶଙ୍କର ହୋଟେଲ ସମ୍ମିଳନୀ କକ୍ଷରେ ୧୯ ଗୋଟି ବିଧାନସଭା କ୍ଷେତ୍ରରୁ ଆସିଥିବା ବିଜେପି ଦଳର କର୍ମକର୍ତ୍ତା ଓ ଛାମୁଆ ସଂଗଠନର ସଦସ୍ୟ ମାନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ବିମାନ ବନ୍ଦର ଓ ଅମଲିପାଲି ପଡ଼ିଆ ମଧ୍ୟ ପରିଦର୍ଶନ କରିଥିଲେ। ଉଭୟ ମନ୍ତ୍ରୀଙ୍କ ସହିତ ଜିଲ୍ଲା ସଭାନେତ୍ରୀ ତଥା ବିଧାୟିକା ରାଧାରାଣୀ ପଣ୍ଡା, ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଓଡ଼ିଶା ନିର୍ବାଚନରେ ଦୁର୍ନୀତି ବଡ଼ ପ୍ରସଙ୍ଗ ହେବ
ରାଜ୍ୟ ବିଜେଡି ସରକାରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ଅତୀତରେ ଦୁର୍ନୀତି ଅଭିଯୋଗରେ ନବୀନ ପଟ୍ଟନାୟକ ଯେଉଁ ନେତାମାନଙ୍କୁ ବାହାର କରିଥିଲେ ଏବେ ସେହି ନେତାମାନେ ଦଳର ମୁଖ୍ୟ ପୁରୋଧା ସାଜିଥିବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି, ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ନନ୍ଦ, ଅରୁଣ ସାହୁ, ସଂଜୟ ଦାସ ବର୍ମାଙ୍କ ନାମ ଉଲ୍ଳେଖ କରିଥିଲେ। ସେହିପରି ୨୦୦୪ରେ ନବୀନ ବାବୁ ପ୍ରଚାର ବେଳେ ପକେଟରୁ ଖଣ୍ଡିଏ କାଗଜ ବାହାର କରି ଜାନକୀ ପଟ୍ଟନାୟକ, ଜୟନ୍ତୀ ଦେବୀ, ନିରଞ୍ଜନ ବାବୁ ଓ ସୌମ୍ୟବାବୁଙ୍କ ନାମ ପଢ଼ୁଥିଲେ। ଦୁର୍ନୀତି ଓ ପରିବାରବାଦର ଏମାନେ ପ୍ରତୀକ ବୋଲି କହୁଥିଲେ। ସମସ୍ତେ ଏବେ ନବୀନ ବାବୁଙ୍କ ସାଙ୍ଗରେ ଅଛନ୍ତି। ପ୍ରମିଳା ମଲ୍ଲିକ ଓ ପ୍ରଶାନ୍ତ ନନ୍ଦଙ୍କୁ ଦୁର୍ନୀତି ଅଭିଯୋଗରେ ବାହାର କରିଥିଲେ ଏବେ ସେମାନେ ଦଳର ମଙ୍ଗୁଆଳ। ନବୀନ ସରକାର ଶତାବ୍ଦୀର ସବୁଠାରୁ ବଡ଼ ଭ୍ରଷ୍ଟାଚାରୀ ସରକାର ବୋଲି ସେ କହିଥିଲେ। ନବୀନ ଦୁର୍ନୀତିକୁ ପ୍ରଶ୍ରୟ ଦେଇ ନିଜର ଆସନ ବଞ୍ଚାଇବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ଓଡ଼ିଶାର ଜନସାଧାରଣ ଆଗାମୀ ନିର୍ବାଚନରେ ଏହାର ଜବାବ ଦେବେ ବୋଲି ସେ କହିଥିଲେ। ଆଗାମୀ ନିର୍ବାଚନରେ ଦୁର୍ନୀତି ଏକ ବଡ଼ ପ୍ରସଙ୍ଗ ହେବ ବୋଲି କହିଥିଲେ।

ସ୍ପାଇସ୍‌ଜେଟ୍‌ ଓ ଇଣ୍ଡିଗୋ ଯୋଗାଇବ ସେବା
ଝାରସୁଗୁଡ଼ା ଏୟାର ପୋର୍ଟରୁ ଦେଶର ବଡ଼ ବଡ଼ ସହରକୁ ଯୋଡ଼ିବା ପାଇଁ ସ୍ପାଇସଜେଟ୍‌ ଓ ଇଣ୍ଡିଗୋ ଭଳି ଏୟାର୍‌ଲାଇନ୍ସ ସଂସ୍ଥା ସେବା ଯୋଗାଇ ଦେବ ବୋଲି ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଆଶା ପ୍ରକଟ କରିଛନ୍ତି। ପ୍ରଥମ ପଯ୍ୟର୍ାୟରେ ରାଞ୍ଚି, ରାୟପୁର, ଜଗଦଲପୁର, ଭୁବନେଶ୍ୱରକୁ ଛୋଟ ଏୟାର କ୍ରାଫ୍ଟ ଚଳାଚଳ କରିବ ଓ ଆଗାମୀ ଦିନରେ ବଡ଼ ବଡ଼ ବିମାନ ଚଳାଚଳ ପାଇଁ ସେ ସ୍ପାଇସଜେଟ୍‌ର ମାଲିକ ଅଜୟ ସିଂହ ଓ ଇଣ୍ଡିଗୋର ମାଲିକ ରାହୁଲ ଭାଟିଆଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି। ଝାରସୁଗୁଡ଼ାର କୋଇଲା ଖଣି, ଲୁହାପଥର, ତାପଜ ବିଦ୍ୟୁତ ଓ ଆଲୁମିନିୟମ କ୍ଷେତ୍ର ସହିତ ଏହି ସ୍ଥାନ ତିନୋଟି ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାର କେନ୍ଦ୍ରସ୍ଥଳ ହୋଇଥିବାରୁ ଏଠାରେ ବିମାନ ସେବାର ଉଜ୍ଜଳ ସମ୍ଭାବନା ରହିଥିବା ଧର୍ମେନ୍ଦ୍ର କହିଛନ୍ତି।

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ
ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ, ଏମ୍‌ସିଏଲ୍‌ ଓ ଏନ୍‌ଟିପିସି କୋଇଲା ଖଣି, ଝାରସୁଗୁଡ଼ା-ସବଡ଼େଗା ରେଳଲାଇନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶିଲାଲ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ, କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ଅନନ୍ତ କୁମାର, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ତୁଙ୍ଗ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର