ବିଜେଡି-କଂଗ୍ରେସ ମଧ୍ୟରେ ଅଘୋଷିତ ମେଣ୍ଟ ରହିଛି: ଜୁଏଲ

ଭୁବନେଶ୍ୱର: ରାଜ୍ୟରେ ଶାସକ ବିଜେଡି ଓ କଂଗ୍ରେସ ମଧ୍ୟରେ ଅଘୋଷିତ ମହାମେଣ୍ଟ ରହିଛି ବୋଲି ଆରୋପ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ। ଉଭୟ ଦଳକୁ ଟାର୍ଗେଟ୍‌ କରି ସେ କହିଛନ୍ତି, କେବଳ ଆଜି ନୁହେଁ କଂଗ୍ରେସ ସବୁ ସମୟରେ ବିଜେଡିକୁ ସହାୟତାର ହାତ ବଢ଼ାଇ ଚାଲିଛି। କଂଗ୍ରେସର ବରିଷ୍ଠ ନେତାଙ୍କୁ ବିଜେଡିରେ ସାମିଲ୍‌ କରି ଦଳର ଶକ୍ତି ବୃଦ୍ଧି କରିବା ପ୍ରସଙ୍ଗରେ କଂଗ୍ରେସର ମୁଖ୍ୟ ଭୂମିକା ରହିଛି। ଲୋକଙ୍କୁ ନିର୍ମଳ ଭାବମୂର୍ତ୍ତି ଦେଖାଉଥିବା ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପଛରେ କଂଗ୍ରେସ ସହ ମେଣ୍ଟ କରି ନିଜର ସ୍ୱାର୍ଥ ହାସଲ କରିଚାଲିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜୁଏଲ ଓରାମ କହିଲେ, ବିଜେପୁର ଉପନିର୍ବାଚନରେ ବିଜେଡିକୁ ଜିତାଇବାରେ କଂଗ୍ରେସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ଜେଡିଏସ୍‌ ଓ କଂଗ୍ରେସ ମଧ୍ୟରେ ଗଠବନ୍ଧନ ଦ୍ୱାରା କର୍ଣ୍ଣାଟକରେ ସରକାର କରିବା ପ୍ରସଙ୍ଗରେ ରାଜ୍ୟରେ ବିଜେଡି ଓ କଂଗ୍ରେସର ପ୍ରତିକ୍ରିୟା ସମାନ ରହିଛି। ଗତ ୨୦୦୯ ମସିହାରେ ବିଜେପି ସମର୍ଥନ ପ୍ରତ୍ୟାହାର କଲା ପରେ ବିଜେଡି ସଂଖ୍ୟାଗରିଷ୍ଠତା ହରାଇଥିଲା। ସେହି ସମୟରେ କଂଗ୍ରେସ ରାଜ୍ୟପାଳଙ୍କ ପାଖରେ ଫେରାଦ ନ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲେ। ବର୍ତ୍ତମାନର କଂଗ୍ରେସ ଓ ବିଜେଡି ନେତୃତ୍ୱଙ୍କୁ ସମାଲୋଚନା କରି କେନ୍ଦ୍ର ମନ୍ତ୍ରୀ କହିଲେ, ରାଜ୍ୟରେ ପିପିପି ମୋଡ୍‌ ଅର୍ଥାତ ନିରଞ୍ଜନ ପଟ୍ଟନାୟକ-ନବୀନ ପଟ୍ଟନାୟକ-ପାର୍ଟନର୍‌ସିପ୍‌ରେ ସରକାର ଚାଲିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆପୋସ ବୁଝାମଣା ସରିଛି। ଏହି ଦୁଇ ପଟ୍ଟନାୟକଙ୍କ ମଧ୍ୟରେ ସୌମ୍ୟରଞ୍ଜନ ପଟ୍ଟନାୟକ ସେତୁ ପରି କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ କଂଗ୍ରେସର ପୂର୍ବତନ ନେତା ସୌମ୍ୟରଞ୍ଜନଙ୍କୁ ରାଜ୍ୟସଭା ପଠାଇବା ଗୋଟିଏ ପ୍ରକାର ପୂର୍ବ ନିର୍ଦ୍ଧାରିତ ଯୋଜନା। ଧୀରେ ଧୀରେ ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ୍‌ ହେଉଛନ୍ତି। ସାମ୍‌ ପିଟ୍ରୋଡାଙ୍କୁ ନବୀନ କ୍ୟାବିନେଟ୍‌ ପାହ୍ୟା ଦେଇଥିଲେ, ଆଉ ଏବେ ସେ ରାହୁଲଙ୍କ ଟିମ୍‌ରେ ଅଛନ୍ତି। ପୂର୍ବରୁ ଇଣ୍ଟାକ୍‌ରେ ନବୀନ ପଟ୍ଟନାୟକ ଓ ସୋନିଆ ଗାନ୍ଧୀ କାର୍ଯ୍ୟ କରୁଥିଲେ। ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ୍‌ ପରି ଅନେକ ସ୍କାମ୍‌ରେ ଉଭୟ ଦଳର ନେତା ସାମିଲ୍‌ ହୋଇଛନ୍ତି। ଭବିଷ୍ୟତରେ ଓଡ଼ିଶା ରାଜନୀତିକୁ ଦୂରେଇ ରଖିବା ପାଇଁ ଉଭୟ ଦଳ ହୀନ ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଓରାମ କହିଛନ୍ତି। ସେ ଆହୁରି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ସବୁ ସମୟରେ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଆଗାମୀ ଦିନରେ ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ରାଜ୍ୟବାସୀ ବିଜେପିକୁ ପୂର୍ଣ୍ଣ ବହୁମତ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ।

ସୌମ୍ୟରଂଜନଙ୍କ ଜବାବ

ଜୁଏଲ ଆଜି ଗଣମାଧ୍ୟମ ସାମ୍ନାରେ ରଖିଥିବା ମନ୍ତବ୍ୟ ଉପରେ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଜୁଏଲ ବାବୁ ସଂସଦରେ ଓଡ଼ିଶାକୁ କେବଳ ପ୍ରତିନିଧିତ୍ୱ କରୁଛନ୍ତି ତା ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ସ୍ୱାଭାବିକ ଭାବେ ଏଭଳି ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ମନ୍ତବ୍ୟକୁ ମୁଁ ସର୍ବଦା ଗୁରୁତ୍ୱ ଦେଇଥାଏ। ହେଲେ ଆଜି ଶ୍ରୀ ଓରାମ ଯେଉଁ ଅବାନ୍ତର ଓ ନିରାଧାର ମନ୍ତବ୍ୟ ରଖିଛନ୍ତି, ତାହାକୁ ମୁଁ ସେତିକି ଗୁରୁତ୍ୱ ଦେଇପାରୁନାହିଁ। ଜୁଏଲ ତାଙ୍କ ସଂପର୍କରେ ଆଣିଥିବା ଦୁର୍ନୀତି ଅଭିଯୋଗ ନେଇ ପ୍ରତିକ୍ରିୟା ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ୩୪ ବର୍ଷ ଧରି ମୁଁ ସାଧାରଣ ଜୀବନରେ ଅଛି ଓ ମୋ ଜୀବନ ଏକ ଖୋଲାବହି। ଓଡ଼ିଶାର ଜନସାଧାରଣ ମୋତେ ଭଲଭାବରେ ଜାଣିଛନ୍ତି। ରାଜନୈତିକ ବାଧ୍ୟ ବାଧ୍ୟକତାରୁ ଜୁଏଲ ଓରାମ ଆଜି ଏଭଳି ବକ୍ତବ୍ୟ ରଖିଛନ୍ତି ବୋଲି ସୂଚାଇ ଶ୍ରୀ ପଟ୍ଟନାୟକ କହିଛନ୍ତି, କର୍ଣ୍ଣାଟକ ନିର୍ବାଚନ ପରେ ବିଜେପି ଅପଦସ୍ତ ହୋଇଛି ଓ ଓଡ଼ିଶାବାସୀ ମଧ୍ୟ ସେମାନଙ୍କୁ ସନ୍ଦେହ ଆଖିରେ ଦେଖୁଛନ୍ତି। ଏଣୁ ଶ୍ରୀ ଓରାମ ଏଭଳି ଅବାନ୍ତର କଥା କହି ଲୋକଙ୍କ ନଜର ହଟାଇବାକୁ କେବଳ ଉଦ୍ୟମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ବାରମ୍ବାର କହିଛନ୍ତି, ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତ୍ୱ ଅବଲମ୍ବନ କରୁଛି। ଏମିତିରେ ବି ୨୦୧୯ରେ ଏକାକୀ ସରକାର ଗଠନ କରିବାକୁ ବିଜେଡିର ଆତ୍ମବିଶ୍ୱାସ ଅଛି। କାହା ସହ ହାତ ମିଳାଇବାକୁ ଦରକାର ପଡିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ପାରିବାରିକ ସଂପର୍କ ନେଇ କେନ୍ଦ୍ରମନ୍ତ୍ରୀ ଉଠାଇଥିବା ଆପତ୍ତି ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ପାରିବାରିକ ସଂପର୍କକୁ ନେଇ ରାଜନୀତି ଖେଳିଲେ ତାଙ୍କୁ ବିଶେଷ ସଫଳତା ମିଳିବ ନାହିଁ। ଏହା କାଚଘରେ ରହି ଟେକା ଫିଙ୍ଗିବା ଭଳି କଥା ହେବ। କାରଣ ଯେଉଁ ପରିବାରରେ ମୁଁ ଜନ୍ମ ହୋଇଛି, ତାହା କେବେ ବଦଳାଇପାରିବି ନାହିଁ। ମାତ୍ର ମୋ ରାଜନୀତି ମୁଁ ନିଜ ଢଙ୍ଗରେ କରେ। ଏକଥା ମୁଁ ବିଜେପିରେ ଥିବା ବେଳେ ବି ଜୁଏଲ ବାବୁ ଜାଣିଛନ୍ତି। କାରଣ ସେତେବେଳେ ମଧ୍ୟ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ଓ ନିରଞ୍ଜନ ପଟ୍ଟନାୟକ କଂଗ୍ରେସରେ ଥିଲେ। ତେବେ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ଓ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ମଧ୍ୟରେ କଣ ସଂପର୍କ ରହିଛି? ତାକୁ ନେଇ ଜୁଏଲ କଣ ମନ୍ତବ୍ୟ ରଖିବେ?

ବିଜେପି ନେତା ଅତ୍ୟନ୍ତ ଭୟଭୀତ ହୋଇଯାଇଛନ୍ତି: ନିରଞ୍ଜନ

ଜୁଏଲ୍‌ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ମଧ୍ୟରେ ୯ ବର୍ଷ ଧରି ମେଣ୍ଟ ଥିଲା। କଂଗ୍ରେସ ସହିତ ମେଣ୍ଟ ହୋଇ ନ ଥିଲା। ଏହାକୁ ଜୁଏଲ୍‌ ଭୁଲିବା ଉଚିତ ନୁହେଁ। ବିଜେପି ନେତାଙ୍କ ବୟାନରୁ ଲାଗୁଛି, ସେମାନେ ଅତ୍ୟନ୍ତ ଭୟଭୀତ ହୋଇଯାଇଛନ୍ତି। ସୌମ୍ୟ ବାବୁ ଜଣେ ରାଜନେତା। ସେ ଯେ କୌଣସି ରାଜନୈତିକ ଦଳକୁ ଯାଇପାରନ୍ତି। ସେ ଜଣେ ସ୍ୱାଧୀନଚେତା ମଣିଷ ଓ ଓଡ଼ିଶାର ଉନ୍ନତି ପାଇଁ ଚିନ୍ତା କରନ୍ତି। ସେ ବିଜେଡିରେ ଯୋଗ ଦେବାକୁ ଉଚିତ ମଣିଛନ୍ତି। ସୌମ୍ୟ ବାବୁଙ୍କର କଂଗ୍ରେସ ସହ ଏବେ କୌଣସି ସମ୍ପର୍କ ନାହିଁ। ତେଣୁ ବିଜେପି ଅଯଥା ଭୟଭୀତ କାହିଁକି ହେଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର