ମମିତା ମେହେର ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଜୁଏଲ

ସରକାରୀ କଳ ଚାପରେ ମମିତାଙ୍କ ବାପାମା’: ବିରୋଧୀ ଦଳ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ମମିତାର ବାପାମା’ଙ୍କ ଭିଡିଓ ବାର୍ତ୍ତା ଭାଇରାଲ୍ ହେବା ପରେ ଏହାକୁ ନେଇ ପୁଣି ରାଜନୀତି ଜୋର୍‌ ଧରିଛି। ପୀଡ଼ିତାର ବାପାମା’ ମୁଖ୍ୟମନ୍ତ୍ରୀ ନ୍ୟାୟ ଦେବେ ବୋଲି କହିଥିବା ବେଳେ ସାଂସଦ ଜୁଏଲ୍ ଓରାମ ଆଜି ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ ମମିତା ହତ୍ୟା ଘଟଣା ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀ ଜାଣୁଛନ୍ତି ନା ନାହିଁ ତାହାକୁ ନେଇ ସନ୍ଦେହ । ପୂର୍ବରୁ ‘ସ୍ୟାଡୋ‌ ଅଫ୍ କରପସନ୍‌’ର ଟିକେ ଅଭିଯୋଗ ଆସିବା ପରେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଥିଲେ । ହେଲେ ଏବେ ଏ ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅନେକ ଅଭିଯୋଗ ଆସିବା ପରେ ମଧ୍ୟ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ସରକାରୀ କଳ ଲଗାଇ ମମିତାଙ୍କ ପରିବାର ଉପରେ ଚାପ ପକାଯାଇଛି। ଯେଉଁଥିପାଇଁ ତା’ର ବାପାମା’ ଏବେ ଭିଡ଼ିଓରେ ଏଭଳି କହୁଛନ୍ତି। ପୂର୍ବରୁ ତାଙ୍କ ପରିବାର ଲୋକ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରୁଥିଲେ। ମନ୍ତ୍ରୀଙ୍କ ପିଏ, ଡ୍ରାଇଭର ଯଦି ସମ୍ପୃକ୍ତ ଅଛନ୍ତି ତେବେ ମନ୍ତ୍ରୀ କେମିତି ସମ୍ପୃକ୍ତ ନାହାନ୍ତି। ମମିତାକୁ ନ୍ୟାୟ ଦେବାକୁ ବିଜେପି ଜୋରଦାର ଲଢେଇ କରୁଛି,ଆଉ କରିବ। ମନ୍ତ୍ରୀ ବହିଷ୍କାର ନ ହେବା ପର୍ଯ୍ୟନ୍ତ ବିଜେପିର ଲଢେଇ ଜାରି ରହିବ।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ ପୁଲିସ ଚାପରେ ମମିତାଙ୍କ ପରିବାର ଲୋକ ସ୍ବର ବଦଳାଇଛନ୍ତି। ସେମାନେ ନିଜ ଜୀବନକୁ ନେଇ ଭୟଭୀତ। ମମିତା ହତ୍ୟାକାଣ୍ଡକୁ ମାସେ ପୂରିଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କଲାନାହିଁ। ଏବେବି ରାୟପୁରରେ କିଛି ରାଜ୍‌ ରହିଛି। ପେନ୍‌ଡ୍ରାଇଭ୍‌ରେ ବହୁ ତଥ୍ୟ ଅଛି। ମମିତା ଏବେ ସାରା ଓଡ଼ିଶାର ଝିଅ। ତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। ବିଜୁ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିବା ଠାରୁ ମମିତାକୁ ନ୍ୟାୟ ଦେବା ବେଶୀ ଜରୁରି। ତେଣୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି ସାଲୁଜା କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ରାଜଧାନୀରେ ଏହାକୁ ବିରୋଧ କରାଯିବ ବୋଲି କଂଗ୍ରେସ ଓ ବିଜେପି କହିଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ, ମମିତାଙ୍କ ବାପା ବୋଉ ବଦଳି ଗଲେଣି। ସେ କହିଲେଣି ମୋ ଝିଅର ଚରିତ୍ର ସଂହାର କରନ୍ତୁ ନାହିଁ। ଆଜି ଯାଏଁ ବାପାମା’ କେଉଁଠି ଥିଲେ।ହଠାତ୍ ବାହାରିକି ଗଣମାଧ୍ୟମକୁ କହୁଛନ୍ତି। ଅର୍ଥ ଚାପ ଓ ପାୱାର ଚାପରେ ଏବେ ପରିବାର ଲୋକ ଅଛନ୍ତି। ମମିତା ପାଇଁ ଆମ ଲଢେଇ ଶେଷ ଯାଏଁ ରହିବ।

ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ କହିଛନ୍ତି ଯେ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରିବା କାର୍ଯ୍ୟକ୍ରମ ରହିଥିବା ବେଳେ ତାହାକୁ କେନ୍ଦ୍ର କରି ଜିଲ୍ଲା ବିଜେପି ତରଫରୁ ରାଜମହଲ ଛକରୁ ଏକ ରାଲି ବାହାରି ନବୀନ ନିବାସ ଅଭିମୁଖେ ଯିବ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କଳାପତକା ପ୍ରଦର୍ଶନ କରିବ। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଘଟଣା‌ ଉପରେ ମନ୍ତବ୍ୟ ‌ଦେଇ କହିଛନ୍ତି ଯେ ଓଡ଼ିଶାର ମା’ ଭଉଣୀମାନେ ଏବେ ବିପଦରେ ଅଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ଥାଉ ଥାଉ କିଏ ତାଙ୍କ ବିରୋଧରେ ତଦନ୍ତ କରିବ। ଏସବୁ ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରାଯାଉଛି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ରିପୋର୍ଟ ଦେଲା କେନ୍ଦ୍ରୀୟ ପ୍ରତିନିଧି ଦଳ
ଭୁବନେଶ୍ବର : ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ସରଜମିନ୍ ଯାଞ୍ଚ ପାଇଁ ଅକ୍ଟୋବର ୨୯‌େର ବଲାଙ୍ଗୀର ଓ କଳହାଣ୍ଡି ଗସ୍ତରେ ଆସିଥିବା ବିଜେପିର କେନ୍ଦ୍ରୀୟ ପ୍ରତିନିଧି ଦଳ ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟି ସବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ବନଥୀ ଶ୍ରୀନିବାସନ, କମିଟିର ସଦସ୍ୟା ଶ୍ରୀରୁପା ମିତ୍ର ଚୌଧୁରୀ, ସୁନିତା ଦୁଗଲ ମିଳିତ ଭାବେ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ହେଲେ ଏହି ରିପୋର୍ଟରେ କ’ଣ ସୁପାରିସ୍‌ କରାଯାଇଛି ତାହା ଦଳ ପକ୍ଷରୁ କୁହାଯାଇନି। ଅପରପକ୍ଷେ କେନ୍ଦ୍ରୀୟ ପ୍ରତିନିଧି ଦଳ କଳାହାଣ୍ଡି ଓ ବଲାଙ୍ଗୀର ଗସ୍ତରୁ ଫେରିବା ପରେ ଭୁବନେଶ୍ବରରେ ଆ‌ୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବି କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

ସମ୍ବନ୍ଧିତ ଖବର