କାଳିଆପାଣି : ସଚେତନତା ଅଭାବରୁ କିଶୋର ବୟସରେ ବାହା ହୋଇଗଲେ। ପାଠପଢ଼ା ବୟସରେ ଜୀବନ ସାଥୀ ବାଛିନେଲେ। ପତ୍ନୀ ଓ ପରିବାରକୁ ନେଇ କିଛି ଜୁଆଙ୍ଗ କିଶୋର ଏବେ ଜୀବନର ଦୋ'ଛକିରେ। ପେଟ ପାଇଁ ଏହି ନାବାଳକମାନଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଏମିତିରେ ମୂଳ ପରିବାରଠାରୁ ଅଲଗା ରହି ଭିନ୍ନେ ଖାଉଥିବା ଗୁହିଆଶାଳ ମୌଜାର ୪ ଯୋଡ଼ା ନବଦମ୍ପତି ନିଜନିଜ ଭବିଷ୍ୟତକୁ ନେଇ ଭାରାକ୍ରାନ୍ତ। ଅସହାୟ ଅବସ୍ଥାରେ ଅଭାବ ଅନଟନରେ ଚଳୁଥିଲେ ମଧ୍ୟ ସେମାନେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ। ଜାମୁନି ଓ କୁଞ୍ଜ ପ୍ରଧାନ, ସୀମା ଓ କୈଳାସ ପ୍ରଧାନ, ବାସନ୍ତୀ ଓ ଶ୍ରୀଧର ପ୍ରଧାନ ଏବଂ ମେଞ୍ଜାରି ଓ ମାଧ ପ୍ରଧାନ ବର୍ଷେରୁ ଦୁଇବର୍ଷ ମଧ୍ୟରେ ବିବାହ କରିଛନ୍ତି।
ଜାମୁନିଙ୍କ ଓ ମେଞ୍ଜାରିଙ୍କ କୋଳରେ ଜନ୍ମ ନେଇଥିବା ୨ ଶିଶୁ ଦ୍ରୌପଦୀ ଓ ମାମୁନି ଜନ୍ମରୁ ଅବହେଳିତ। ଜନ୍ମ ପରେ ମାମୁନି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ଶିଶୁଭବନରେ ୧୫ ଦିନ ଧରି ଚିକିତ୍ସିତ ହୋଇ ଏବେ ଗାଁକୁ ଫେରିଛନ୍ତି। ସେମାନଙ୍କ ନାଁରେ ସ୍ବତନ୍ତ୍ର ରାସନ କାର୍ଡ ନଥିବା କିମ୍ବା ରୋଜଗାର ନଥିବାରୁ ଚାଉଳ ଗଣ୍ଡାକ ପାଇଁ ସମସ୍ତ ନବଦମ୍ପତି ନିଜ ମାଆବାପାଙ୍କ ଉପରେ ବୋଝ ହୋଇଛନ୍ତି। ମାଆଙ୍କୁ ମିଳୁଥିବା ରାସନରୁ ଭାଗ ବସାଉଛନ୍ତି। ବାଲ୍ୟକାଳରୁ ଘରସଂସାରକୁ ନେଇ ରାହା ଖୋଜୁଛନ୍ତି। ପରିବାରରୁ ଅଲଗା ହୋଇ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ଝାଟିମାଟି ଓ ଛଣଛପରରେ ମୁଣ୍ଡ ଗୁଞ୍ଜିଲା ଭଳି କୁଡ଼ିଆ ଘର ତୋଳି ସେଠାରେ ରହୁଛନ୍ତି। ଅଧିକାଂଶ ନିଜନିଜ ବଡ଼ ପରିବାରରେ ଖାପ ଖୁଆଇ ପାରୁନଥିବାରୁ ଶୈଶବରୁ ଦାଦନ ଖଟିବା ପାଇଁ ପ୍ରସ୍ତୁତ ହେଲେଣି।
ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ପ୍ରଭାବିତ ପରିବାର ପକ୍ଷରୁ ଦାବି ହୋଇଛି। ନାବାଳକଙ୍କୁ ସାମାଜିକ ସୁରକ୍ଷା ଓ ଥଇଥାନ କ୍ଷେତ୍ରରେ ସରକାର ଓ ଜିଲ୍ଲା ପ୍ରଶାସନର ନଜରରେ ଥିବା ନଗଡ଼ା ଓ ପାର୍ଶ୍ବବର୍ତ୍ତୀ ଗାଁରେ ଶିଶୁ ସୁରକ୍ଷା ଓ ଅଧିକାର ୟୁନିଟ୍, ଶିଶୁ ମଙ୍ଗଳ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗର ସେବା ଓ ସହାୟତା ସନ୍ତୋଷଜନକ ନଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସୁକିନ୍ଦା ବ୍ଲକ ଯୋଗାଣ ନିରୀକ୍ଷକ(ଏମ୍ଆଇ) ଦେବାଶିଷ କରଙ୍କୁ ଯୋଗାଯୋଗ କରିବାରେ ତାଙ୍କ ପରିବାର ସର୍ଭେ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସୁଯୋଗ ଦେଖି ସଂପୃକ୍ତ ପରିବାର ସମୂହକୁ ସ୍ବତନ୍ତ୍ର ରାସନ କାର୍ଡ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/jajpur.jpg)