ଗାଁ ମୁଖିଆଙ୍କ ବିରୋଧରେ ରାୟ ଶୁଣାଇଲେ ଗ୍ରାମବାସୀ, ଦୃଷ୍ଟିହୀନ ନାଇଡୁଙ୍କୁ ୧.୧୧ ଲକ୍ଷ ଜରିମାନା

ଚିକିଟି: ଗାଁ ମୁଖିଆ ହେଉ କି ପୁଲିସ, କୁଳ ହର୍ତ୍ତାକର୍ତ୍ତାଙ୍କ ଆଗରେ ତୁଚ୍ଛ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅର୍ନ୍ତଗତ କତୁରୁ ପ˚ଚାୟତର କତୁରୁ ଗାଁରେ ଘଟିଛି ଏମିତି ଏକ ଉଲ୍ଲେଖନୀୟ ଘଟଣା। ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ଆସିବା ପରେ ମାମଲା ପୁଲିସ ଥାନାକୁ ନ ନେଇ ଗାଁ ନାଇଡୁ ତଥା ଗାଁ ମୁଖିଆଙ୍କ ବିରୋଧରେ ରାୟ ଶୁଣାଇଛନ୍ତି ଗ୍ରାମବାସୀ। ଗାଁ କୁଳ କମିଟି ତାଙ୍କୁ ୧ ଲକ୍ଷ ୧୧ହଜାର ଟଙ୍କା ଜରିମାନା କରିଛି। ଗାଁ ମୁଖିଆ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ତେବେ‌ ସେ ନିଜ ଭୁଲ୍ ମାନିଛନ୍ତି। ଜରିମାନା ନ ଦେଲେ କାର୍ଯ୍ୟାନୁଷ୍ଠାନ ଆଶଙ୍କା ରହିଛି। ତେଣୁ ଗ୍ରାମବାସୀଙ୍କ ଏହି ଦଣ୍ଡକୁ ମାନି ନେଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ସୁନାପୁର ସାମୁଦ୍ରିକ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

କତୁରୁ ଗାଁରେ ୨୪ ବର୍ଷ ହେଲା ନାଇଡୁ(ଗ୍ରାମ ମୁଖିଆ) ଭାବେ ରହି ଆସିଛନ୍ତି ସେହି ଗ୍ରାମର ସିଏଚ୍‌.ଜଗନ୍ନାଥ ରେଡ୍ଡି। ନିକଟରେ ସରକାରଙ୍କ ବିଭିନ୍ନ ଯୋଜନାରେ ୧୫ରୁ ୧୬ଲକ୍ଷ ଟଙ୍କାର ଉନ୍ନୟନ କାର୍ଯ୍ୟ ଗ୍ରାମରେ ଚାଲିଛି। ସମସ୍ତ କାର୍ଯ୍ୟ ନାଇଡୁଙ୍କ ତତ୍ତ୍ବାବଧାନରେ ବ୍ଲକ୍‌ ଜରିଆରେ ହେଉଛି। ମନରେଗା କାର୍ଯ୍ୟର କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀ ଓ ଏସ୍‌ଏଫ୍‌ସି କାର୍ଯ୍ୟର କାର୍ଯ୍ୟାଦେଶ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ରହିଥାଏ। ତେବେ ଉକ୍ତ ଗାଁରେ ଏସ୍‌ଏଫ୍‌ସି ଅନୁଦାନରେ ନିର୍ମାଣ ହୋଇଥିବା ମାର୍କେଟ କ˚ପ୍ଲେକ୍ସ କାର୍ଯ୍ୟକୁ ନେଇ ନାଇଡୁ ଏବ˚ ଗ୍ରାମବାସୀଙ୍କ ଗତ କିଛି ମାସ ତଳେ ମତଭେଦ ହୋଇଥିଲା। ଏହି ମାର୍କେଟ କ˚ପ୍ଲେକ୍ସ ଗ୍ରାମବାସୀ ଗାଁରେ କରିବା ଲାଗି ଚାହୁଁଥିବା ବେଳେ ତାହାକୁ ଓଡିଆର୍‌ପି କଲୋନିରେ ନିର୍ମାଣ କରାଯାଉଛି। ନାଇଡୁଙ୍କ ପ୍ରରୋଚନାରେ ସେଠାରେ ଏହା ନିର୍ମାଣ କରାଯାଉଥିବା ଗ୍ରାମବାସୀ ସନ୍ଦେହ କରିଥିଲେ। ଏହିଠାରୁ ହିଁ ବିବାଦର ସୂତ୍ରପାତ ହୋଇଥିଲା। ଏହାକୁ କେନ୍ଦ୍ର କରି ନାଇଡୁ ଏବ˚ ଗ୍ରାମବାସୀଙ୍କ ମଧ୍ୟରେ କଥା କଟାକଟି ଓ ବାକ୍‌ଯୁଦ୍ଧ ହୋଇଥିଲା। ନାଇଡୁ କିଛି ଗ୍ରାମବାସୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ। ଏହା ପରଠାରୁ ପ୍ରାୟ ୭ ମାସ ହେଲା ତାଙ୍କ ସହ ଗାଁର କେହି କଥାବାର୍ତ୍ତା ହେଉ ନଥିଲେ। କ୍ରମଶଃ ତିକ୍ତତା ଉଗ୍ରରୂପ ନେଇଥିଲା। ଶେଷରେ ଗ୍ରାମବାସୀ ଏକଜୁଟ ହୋଇ ଗତକାଲି ଗ୍ରାମ୍ୟ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ମଧ୍ୟାହ୍ନ ୧୨ଟାରେ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ନାଇଡୁଙ୍କୁ ଦୋଷୀ ସାବ୍ୟସ୍ତ କରା ଯାଇ ୧ଲକ୍ଷ ୧୧ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେବଳ ସେତିକି ନୁହେଁ; ତାଙ୍କୁ ନାଇଡୁ ପଦରୁ ହଟାଇବା ଲାଗି ମଧ୍ୟ ଗ୍ରାମବାସୀ ଚିନ୍ତା କରୁଛନ୍ତି।

ଏ ସମ୍ପର୍କରେ ନାଇଡୁ ସି.ଏଚ୍‌ ଜଗ୍ନନ୍ନାଥ ରେଡ୍ଡି କହିଛନ୍ତି, ମୁଁ ଦୀର୍ଘବର୍ଷ ହେଲା ଗାଁ କାର୍ଯ୍ୟ ତୁଲାଇ ଆସୁଥିଲି। ମାର୍କେଟ କଂପ୍ଲେକ୍ସକୁ ନେଇ ବିବାଦ ଆରମ୍ଭ ହେବା ପରେ ମୁଁ ଉତ୍ତ୍ୟକ୍ତ ହୋଇ ଗାଳି କରି ଦେଇଥିଲି, ଯାହା ମୋର ଭୁଲ ଥିଲା। ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ମୋତେ ୭ମାସ ହେଲା ବାସନ୍ଦ କରି ରଖିଥିଲେ। ଗତକାଲି ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଁ ଜଣେ ଭିନ୍ନକ୍ଷମ ହୋଇଥିବାରୁ ଏ ସ˚କ୍ରାନ୍ତରେ ଥାନାରେ ଅଭିଯୋଗ କରିବା ଉଚିତ ମନେ କରୁନାହିଁ।

ଅନ୍ୟପକ୍ଷରେ କତୁରୁ ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଆମେ ପ୍ରତିକ୍ରିୟା ନେଇଥିଲୁ। ସେମାନେ ନିଜ ନାମ ଗୋପନ ରଖି କହିଛନ୍ତି, ନାଇଡୁ ଦୀର୍ଘ ବର୍ଷ ହେଲା ଗାଁ ମୁଖିଆ ପଦରେ ରହି ଆସିଛନ୍ତି। ଦିନକୁ ଦିନ ତାଙ୍କର ବ୍ୟବହାର ରୁକ୍ଷ ହେବା ସାଙ୍ଗକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏହା ଅସହ୍ୟ ହେବାରୁ ଗ୍ରାମର ପରମ୍ପରା ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ନାଇଡୁ ନିଜେ ମଧ୍ୟ ଅନେକ ଘଟଣାରେ ଏଭଳି ଦଣ୍ତ ବିଧାନ କରିଛନ୍ତି। ଗାଁର ଅଧିକା˚ଶ ଘଟଣା ଗାଁରେ ହିଁ ସାମାଧାନ ହୋଇଥାଏ। ଅଣାୟତ୍ତ ହେଲେ ଥାନା, କୋର୍ଟକଚେରି ଯିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର