ରାୟର ଦିନ: ପନ୍ଦାଡ଼ୋ ଡବଲ ମର୍ଡର ୬ ଜଣଙ୍କୁ ଆଜୀବନ କାରାଦଣ୍ତ

ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍‌ଦଣ୍ଡ

ଆନନ୍ଦପୁର: ସୋସୋ ଥାନା ଅନ୍ତର୍ଗତ ପନ୍ଦାଡ଼ୋ ଗ୍ରାମରେ ଘଟିଥିବା ଡବଲ୍‌ ମର୍ଡର ଘଟଣାରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୬ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୫ ମସିହା ଏପ୍ରିଲ ୭ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପନ୍ଦାଡ଼ୋ ଗ୍ରାମ ନିକଟସ୍ଥ କରଞ୍ଜବାଟି ଛକରେ ସେହି ଗ୍ରାମର ବିଦ୍ୟାଧର ଆଏଚ ଓ ରମେଶ ନାୟକଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ଏଥିରେ ବିଦ୍ୟାଧରଙ୍କ ବାପା ବାଞ୍ଝାନିଧି ଆଏଚ ମଧୢ ଗୁରୁତର ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ ସଢ଼ା ଗ୍ରାମର ଜଗନ୍ନାଥ ବେହେରା, ପନ୍ଦାଡ଼ୋର ଦିଲ୍ଲୀପ ନାୟକ, ପ୍ରଦୀପ ନାୟକ, ଉଦୟନାଥ ନାୟକ, ସ˚ଜୀବ ନାୟକ, ପ୍ରଫୁଲ୍ଲ ନାୟକଙ୍କୁ ଗିରଫ କରିଥିଲା। ଆଜି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ରାଜେଶ ଦାଶ ଏହି ମାମଲାର ଶୁଣାଣି କରି ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିବା ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୫ ବର୍ଷ ଜେଲ୍‌ଦଣ୍ଡ
ବ୍ରହ୍ମପୁର: ବ୍ରହ୍ମପୁରରେ ୨୦୧୬ରେ ସଂଘଟିତ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲାର ଶୁଣାଣି କରି ଏଡିଜେ-୨ ଦୀପକ କୁମାର ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ୪ଜଣ ଅଭିଯୁକ୍ତଙ୍କୁ ୨୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୫୦ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ନଦେଲେ ଅଧିକ ୧ବର୍ଷ ଲେଖାଏଁ ଜେଲ ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟ ଦେଇଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲାର ନାବାଳିକା ଜଣକ ବ୍ରହ୍ମପୁରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରହି ଏକ କଲେଜରେ ପାଠ ପଢ଼ୁଥିଲେ। ଗତ ୨୦୧୬ ମାର୍ଚ୍ଚ ୧୫ ତାରିଖ ରାତି ପ୍ରାୟ ୮ଟା ବେଳେ ନାବାଳିକା ଛାତ୍ରୀ ଜଣକ କମ୍ପ୍ୟୁଟର୍‌ କ୍ଲାସ୍‌ ସାରି ଘରକୁ ଫେରୁଥିଲେ। ଗଜପତିନଗର ନିକଟରେ ଛାତ୍ରୀ ଜଣକୁ ଏକୁଟିଆ ପାଇ ଦୁଇ ଜଣ ଯୁବକ ତାଙ୍କୁ ବାଇକ୍‌ରେ ଉଠାଇ ନେଇଥିଲେ। ସେମାନେ ସମ୍ପୃକ୍ତ ଛାତ୍ରୀଙ୍କୁ ମେଡିକାଲ କଲେଜ ଖେଳ ପଡ଼ିଆ ନିକଟକୁ ନେଇ ଯାଇଥିଲେ। ଆଉ ଦୁଇଜଣ ଯୁବକ ସେଠାରେ ପହଞ୍ଚିଥିଲେ। ଏହାପରେ ୪ଜଣ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍
କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତାଳଚୁଆଁ ନିକଟ ଶୈଳେନ୍ଦ୍ରୀନଗର ଗାଁର ଜ‌ଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅମରାବତୀ ଗ୍ରାମର ଜୟଦେବ ଗିରି(୩୩)କୁ ୧୦ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନାରେ ଦଣ୍ତିତ କରାଯାଇଛି। ମାମଲାର ବିଚାର କରି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ସ୍ବତନ୍ତ୍ର କୋର୍ଟ ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ଏଭଳି ରାୟ ଶୁଣାଇବା ସହ ଜରିମାନା ଆଦାୟ ନହେଲେ ଅଭିଯୁକ୍ତକୁ ଆଉ ୬ ମାସ ଜେଲ ଦଣ୍ତରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶଯୋଗ୍ୟ ଯେ ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତାଳଚୁଆଁ ମେରାଇନ୍ ଥାନାରେ ଗତ ୨୦୧୬ ଏପ୍ରିଲ ୨୪ ତାରିଖରେ ଏହି ମାମଲା ରୁଜୁ ହୋଇଥିଲା ।

ସମ୍ବନ୍ଧିତ ଖବର