ଓଇଆରସିରେ ଶୁଣାଣି: ୟୁନିଟ୍‌ ପିଛା ୪୭ ପଇସା ବୃଦ୍ଧି ଚାହୁଛି ଓପିଜିସି

ଭୁବନେଶ୍ବର: ବିଦ୍ୟୁତ ଦର ବଢ଼ାଇବା ଲାଗି ବିଭିନ୍ନ ବିତରଣକାରୀ ଓ ଉତ୍ପାଦନକାରୀ କମ୍ପାନିଗୁଡ଼ିକର ଆବେଦନ ଉପରେ ଓଇଆରସି(ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ରେ ଚାଲିଥିବା ଜନଶୁଣାଣିରେ ଆଜି ଓପିଜିସି(ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ)ପକ୍ଷ ରଖିଛି। ବର୍ତ୍ତମାନ ଓପିଜିସି ଗ୍ରିଡ୍‌କୋକୁ ୨ଟଙ୍କା ୪୧ ପଇସା ହିସାବରେ ବିଦ୍ୟୁତ ଯୋଗାଉଛି। ଏବେ କମ୍ପାନି କ୍ଷତି ଦର୍ଶାଇ ୟୁନିଟ୍‌ ପିଛା ୪୭ ପଇସା ବଢ଼ାଇବା ପାଇଁ ଆବେଦନ କରିଛି। ଆସନ୍ତା ଆର୍ଥିକ ବର୍ଷରୁ ୟୁନିଟ୍‌ ପିଛା ୨ ଟଙ୍କା ୮୮ ପଇସା ଲେଖାଏଁ ଦେବାପାଇଁ ଦାବି କରିଛି।

ଗତ କାଲି ଠାରୁ ଶୈଳଶ୍ରୀ ବିହାର ଓଇଆରସି ଅଫିସ୍‌ରେ ଆରମ୍ଭ ହୋଇଥିବା ଶୁଣାଣି ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୬ ତାରିଖରେ ରାଜ୍ୟ ଉପଦେଷ୍ଟା କମିଟି ବୈଠକ ବସିବ। ଏଥିରେ ସମସ୍ତ ଆବେଦନ ଉପରେ ତର୍ଜମା କରାଯିବା ପରେ ମାର୍ଚ୍ଚ ତୃତୀୟ ସପ୍ତାହ ସୁଦ୍ଧା ଦେୟ ବୃଦ୍ଧି ନେଇ ଓଇଆରସି ନୀତିଗତ ନିଷ୍ପତି ନେବ। ଆଜିର ଶୁଣାଣିରେ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ସଂଘ ପକ୍ଷରୁ ଓପିଜିସିର ଦାବିକୁ ବିରୋଧ କରାଯାଇଛି। ଓପିଜିସିରେ ୫୧ ପ୍ରତିଶତ ଅଂଶଧନ ସରକାରଙ୍କ ହାତ‌ରେ ରହିଛି। ୪୯ ପ୍ରତିଶତ ଏଇଏସ୍‌ କମ୍ପାନି ହାତରେ ରହିଛି। ୫୧ ପ୍ରତିଶତ ସରକାରଙ୍କ ହାତରେ ରହୁଥିବାରୁ ଏହା ସରକାରୀ ସଂସ୍ଥା। ଏହି ସଂସ୍ଥା ଗ୍ରିଡ୍‌କୋକୁ ବିକ୍ରି କରୁଛି। ଗ୍ରିଡ୍‌କୋ ମଧ୍ୟ ସରକାରୀ ସଂସ୍ଥା। ଏଣୁ ସରକାର ଦର ବଢ଼ାଇବା ପାଇଁ ଚାହୁଛନ୍ତି। ଓପିଜିସିର ୪ଟି ଉତ୍ପାଦ ୟୁନିଟ୍‌ ରହିଛି। ଏଥିରେ ପ୍ରଦୂଷଣ ନିୟନ୍ତ୍ରଣ ୟୁନିଟ୍‌ ସ୍ଥାପନ କରିବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ ରହିଛି। କିନ୍ତୁ ଅଦ୍ୟାବଧି ତାହା ସ୍ଥାପନ ହୋଇ ନାହିଁ। ଏଇଏସ୍‌ ସଂସ୍ଥା ଗତ ୨୦୦୦ ମସିହାରେ ବିଦ୍ୟୁତ ଯୋଗାଣ ଦାୟିତ୍ବ ଛାଡ଼ି ଚାଲି ଯାଇଥିଲା। ପାଖାପାଖି ୭ଶହ କୋଟି ବାକି ପକାଇଥିଲା। ଏଣୁ ଏହି ଦର ନ ବଢ଼ାଇ ଉପଭୋକ୍ତାଙ୍କୁ ସୁହାଇବା ଭଳି ପୁନଃ ଚୁକ୍ତି କରାଯାଉ ବୋଲି ସଂଘ ସଭାପତି ରମେଶ ଶତପଥୀ ଓଇଆରସିକୁ ପରାମର୍ଶ ଦେଇଛନ୍ତି। ଆସନ୍ତାକାଲି ଗ୍ରିଡ୍‌କୋ ଆବେଦନ ଉପରେ ଶୁଣାଣି ରହିଛି।

ସମ୍ବନ୍ଧିତ ଖବର