କ୍ବାର୍ଟର୍ସ ଭି‌ତରେ ବିଚାରପତିଙ୍କ ଆତ୍ମହତ୍ୟା

ବେକରେ ରଶି ଗୁଡ଼ାଇ ସିଲିଂ ଫ୍ୟାନ୍‌ରେ ଝୁଲିପଡ଼ିଲେ

କଟକ-ସିଡିଏ : ସ୍ବତନ୍ତ୍ର ପୋକ୍‌ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ‌ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯) ଶୁକ୍ରବାର ଦିନ ନିଜ ସରକାରୀ କ୍ବାର୍ଟର୍ସରେ ଆତ୍ମହତ୍ୟା କରିଛନ୍ତି। ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଣେ ବିଚାରପତି ଏଭଳି ଢଙ୍ଗରେ ଆତ୍ମହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଚର୍ଚ୍ଚା ତଥା ଉଦ୍‌ବେଗର କାରଣ ହୋଇଛି। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହୁଛି। କିନ୍ତୁ, ଏଭଳି ଆତ୍ମହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନଥିଲେ ବି ପାରିବାରିକ ଅଶାନ୍ତି ହୁଏତ କାରଣ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ ବିଚାରପତି ସୁବାସ କୁମାର ବିହାରୀ ସିଡିଏସ୍ଥିତ ତାଙ୍କର ସରକାରୀ କ୍ବାର୍ଟର୍ସରେ ପରିବାର ସହିତ ରହୁଥିଲେ। ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଦୁଇ ଝିଅ। ବଡ଼ଝିଅ ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସାନଝିଅ ସପ୍ତମ ଶ୍ରେଣୀର ଛାତ୍ରୀ। ସେମାନେ ଆଜି ସ୍କୁଲ୍‌ ଯାଇଥିବା ବେଳେ ପତ୍ନୀ ବି କୌଣସି କାମରେ ବାହାରକୁ ଯାଇଥିଲେ। ବିଚାରପତିଙ୍କ କର୍ମଚାରୀମାନଙ୍କ ମଧ୍ୟରୁ କେତେଜଣ କୋର୍ଟ ଯାଇଥିଲେ। ଅନ୍ୟଜଣେ ତଳିଆ କର୍ମଚାରୀ ବାହାର ଅଗଣାରେ ଥିଲେ। ଦିନ ପ୍ରାୟ ୧୨ଟା ବେଳକୁ ସେ ଶୋଇବା ଘର କବାଟ ଭିତରୁ ବନ୍ଦ କରି ବେକରେ ରଶି ଗୁଡ଼ାଇ ସିଲିଂ ଫ୍ୟାନ୍‌ରୁ ଝୁଲି ପଡିଥିବା ସନ୍ଦେହ କରାଯାଉଛି। ବିଚାରପତି ଏଭଳି ଝୁଲି ରହିଥିବା ଦୃଶ୍ୟ ଅଗଣାରେ ଥିବା କୋର୍ଟ କର୍ମଚାରୀ ଝରକା ବାଟେ ଦେଖିବା ପରେ ‌ସେ ତୁରନ୍ତ ବିଚାରପତିଙ୍କ ପତ୍ନୀଙ୍କୁ ଫୋନ୍ କରି ଜଣାଇଥିଲେ। ତାଙ୍କର ପତ୍ନୀ ଘରକୁ ଫେରି ଆସି ଘର କବାଟ ଭିତରପଟୁ ବନ୍ଦ ଥିବା ଜାଣିଥିଲେ। ଏ ସଂପର୍କରେ ମର୍କତନଗର ଥାନାକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପରେ ଶବକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା।

ଅନ୍ୟପଟେ ମିଳିଥିବା ସୂଚନା ଅନୁଯାୟୀ ଗଲା ଦୁଇଦିନ ଧରି କୋର୍ଟ ଛୁଟି ଥିବାବେଳେ ଶୁକ୍ରବାର ସକାଳେ ବିଚାରପତି ସୁବାସ କୁମାର ବିହାରୀ ତାଙ୍କ ଷ୍ଟେନୋଙ୍କୁ ଫୋନ୍‌ କରି ଆଉ ଦୁଇ ଦିନ ଛୁଟିରେ ରହିବେ ବୋଲି କହିଥିଲେ। କିନ୍ତୁ, ଘରେ ନିଜକୁ ଏକୁଟିଆ ରଖି ସେ ଏଭଳି ଏକ ଚରମ ପଦକ୍ଷେପ ନେଇଥିଲେ। ଏ ସଂପର୍କରେ ଖବର ପାଇ ଜିଲ୍ଲା ଜଜ୍ ସୌମେନ୍ଦ୍ର କୁମାର ରାଜଗୁରୁ, ଅତିରିକ୍ତ ଜିଲ୍ଲା ଜଜ୍ ଅଶୋକ କୁମାର ପହୀ, ଆଇନୀଜୀବୀ ଅକ୍ଷୟ କୁମାର ପତି, ଦିଲ୍ଲୀପ ମହାରଣା, ସୁବାସ ମହାନ୍ତି, ବାପି ପାଣିଗ୍ରାହୀଙ୍କ ସମେତ ବିଚାର ବିଭାଗର ଅଧିକାରୀ ଓ ବହୁ ଆଇନଜୀବୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସୁବାସ କୁମାର ବିହାରୀ ୨୦୨୧, ଏପ୍ରିଲ ୬ ତାରିଖରୁ ପୋକ୍‌ସୋ କୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ପୋକ୍‌ସୋ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡିତ କରିବା ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ ଦେଇ ସେ ଚର୍ଚ୍ଚାରେ ଥିଲେ।

ସମ୍ବନ୍ଧିତ ଖବର