କଟକ : ଶ୍ରୀମନ୍ଦିର ପରିଚାଳନା କ୍ଷେତ୍ରରେ ସଂସ୍କାର ପାଇଁ ଗଠିତ ଜଣିକିଆ କମିସନ୍‌ ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ଆଉ କଳାବିକାଶ କେନ୍ଦ୍ର ନିକଟ କାର୍ଯ୍ୟାଳୟକୁ ଆସୁ ନାହନ୍ତି। କାର୍ଯ୍ୟାଳୟରେ କମିସନ୍‌ଙ୍କ ବୈଠକ ଆଉ ବସୁ ନାହିଁ। ଏପରି ପରିସ୍ଥିତିରେ ଶ୍ରୀମନ୍ଦିର ସଂସ୍କାର କମିସନଙ୍କ ତଦନ୍ତ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇଯାଇଥିବା ଅବସ୍ଥାକୁ ଆସି ଯାଇଛି। ୨୦୧୮, ଜାନୁଆରି ୨୨ରୁ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସରିଥିବା ବେଳେ ଏହାକୁ ସରକାର ବୃଦ୍ଧି କରି ନାହାନ୍ତି। ଫଳରେ ଏପରି ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି।

Advertisment

ସୂଚନା ଯୋଗ୍ୟ ଯେ ୨୦୧୬, ଜୁଲାଇ ୨୩ରେ ତଦନ୍ତ କମିସନ ବସିବା ନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ଧାର୍ଯ୍ୟ କରାଯାଇଥିଲା। ୨୦୧୭, ଜାନୁଆରି ୨୧ରେ କମିସନଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଯାଇଥିଲା। ବର୍ଦ୍ଧିତ ୬ ମାସ କାର୍ଯ୍ୟକାଳ ଜୁଲାଇ ୨୨ ତାରିଖରେ ପୂରୁଥିବା ବେଳେ ସରକାର ପୁଣି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। ତେବେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ କାର୍ଯ୍ୟାଳୟରୁ ୨୦୧୭, ଡିସେମ୍ବର ୧୮ରେ ସରକାରଙ୍କୁ ଏକ ଚିଠି ଲେଖାଯାଇଥିଲା। କିନ୍ତୁ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ।

କମିସନ ୨୦୧୭ ଏପ୍ରିଲ ମାସ ୨୦ତାରିଖରେ ରାଜ୍ୟ ସରକାରଙ୍କୁ କମିସନ୍‌ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ୬୦ପୃଷ୍ଠାର ରିପୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଓ ପୁରୀର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାପରେ ପୁଣି କମିସନ ୨୦୧୭, ଡିସେମ୍ବର ମାସ ୭ତାରିଖରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ ପାଇଁ ପ୍ରକାଶିତ ୬ଟି ଟର୍ମସ୍‌ ଅଫ୍‌ ରେଫରେନ୍ସ ମଧ୍ୟରୁ ଏବେ ମଧ୍ୟ ବହୁ ପ୍ରସଂଗରେ ତଦନ୍ତ ସରି ନଥିବା ବେଳେ ସରକାର କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ନକରିବା ସମସ୍ତଙ୍କୁ ଚକିତ କରିଛି।